ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ପନ୍ଦର ଜଣଙ୍କ ଦସ୍ତଖତରେ ଏହି ଅନାସ୍ଥା ପ୍ରସ୍ତାବ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି। କଂଗ୍ରେସର ୧୪ ଜଣ ବିଧାୟକ ଥିବା ବେଳେ ଏକମାତ୍ର ସିପିଆଇ ବିଧାୟକ ଏହାକୁ ସମର୍ଥନ କରିଛନ୍ତି। ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ହେଲେ ୧୫ ଜଣ ବିଧାୟକଙ୍କର ଦସ୍ତଖତ ଦରକାର। ସେଥିପାଇଁ ଏହି ପ୍ରସ୍ତାବ କଂଗ୍ରେସ ସିପିଆଇର ସମର୍ଥନରେ ଆଣିଛି।
ତେବେ ଏହା ଗୃହିତ ହେବ କି ନାହିଁ ତାହା ଭିନ୍ନ କଥା ହେଲେ ଓଡିଶା ରାଜନୀତିରେ ଏହାକୁ ନେଇ ବେଶ ଚର୍ଟ୍ଟା ଆରମ୍ଭ ହୋଇଯାଇଛି। କାରଣ ସଂଖ୍ୟା ଖେଳରେ କିଏ ଆଗରେ ରହିବ କିଏ ପଛରେ ସେ ନେଇ ଗଣିତ କଷା ଚାଲିଛି। କାରଣ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାରେ ସଂଖ୍ୟା ଜୁଟାଇ ଦେଲା। ହେଲେ ଅନାସ୍ଥା ପ୍ରସ୍ତାବ ପାଶ କରିବାରେ କେତେ ସମର୍ଥ ହେବ ସେ ନେଇ ରହିଛି ସନ୍ଦେହ।
Read-Buy BSNL SIMs and Recharges at Post Office, Know Details Here
ବର୍ତ୍ତମାନ ବିଧାନସଭାରେ ୧୪୭ ଟି ଆସନ ମଧ୍ୟରୁ ଗୋଟିଏ ଆସନ ଖାଲି ରହିଛି। ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବର୍ତ୍ତମାନ ଆସନ ସଂଖ୍ୟା ୧୪୬ ହୋଇଯାଇଛି। ଏଥି ମଧ୍ୟରେ ବିଜେପିର ମୋଟ ବିଧାୟକ ୭୮ ଥିବା ବେଳେ ତାଙ୍କୁ ୩ ସ୍ବାଧୀନ ବିଧାୟକ ସମର୍ଥନ ଦେଉଛନ୍ତି। ଫଳରେ ବିଜେପି ଖାତାରେ ବର୍ତ୍ତମାନ ୮୧ ଟି ଭୋଟ ରହିଛି। ସେହିପରି ବିଜେଡିର ଗୋଟିଏ ଆସନ ଖାଲି ହୋଇଯିବା ଫଳରେ ୫୧ ବିଧାୟକରୁ ୫୦ କୁ ଖସିଆସିଛି। କଂଗ୍ରେସର ମୋଟ ବିଧାୟକଙ୍କ ସଂଖ୍ୟା ୧୪ ରହିଛି।
ଯଦି ବିଜେଡି କଂଗ୍ରେସକୁ ସମର୍ଥନ ଦିଏ ତେବେ ବିରୋଧୀ ଦଳ ମ୍ୟାଜିକ ନମ୍ବର ଛୁଇଁ ପାରିବେ ନାହିଁ। କାରଣ ବର୍ତ୍ତମାନ ଅନାସ୍ଥା ପାଶ କରିବାକୁ ହେଲେ ଗୃହରେ ୭୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ କଂଗ୍ରେସ ବିଜେଡି ପାଖରେ ସେହି ସଂଖ୍ୟା ନାହିଁ। କାରଣ ଉଭୟଙ୍କ ସଂଖ୍ୟା ମିଶାଲେ ତାହା ମୋଟ ହେଉଛି ୬୪। ଯାହା ମ୍ୟାଜିକ ନମ୍ବରଠାରୁ ବହୁ ଦୂରରେ।