ନୂଆଦିଲ୍ଲୀ: କୋଲଡ୍ରିଫ୍ କଫ୍ ସିରପ୍ ଅନେକ ପିଲାଙ୍କ ଜୀବନ ନେଇଛି। ଆଜି ଏହି ମାମଲା ସହିତ ଜଡିତ ଚେନ୍ନାଇର ସାତଟି ଶ୍ରୀସନ୍ ଫାର୍ମାର ୭ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀସନ୍ ଫାର୍ମା କାର୍ଯ୍ୟାଳୟ ସହିତ ତାମିଲନାଡୁ ଔଷଧ ନିୟନ୍ତ୍ରଣ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କୋଲଡ୍ରିଫ୍ ଯୋଗୁଁ ଅତି କମରେ ୨୦ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ପାଞ୍ଚ ବର୍ଷରୁ କମ୍ ବୟସର ଥିଲେ।
କଫ୍ ସିରପ୍ରେ ବିଷାକ୍ତ ପଦାର୍ଥ ମିଳିଲା
ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) କହିଛି ଯେ, କାଞ୍ଚିପୁରମରେ ଅବସ୍ଥିତ ଶ୍ରୀସନ୍ ଫାର୍ମା, ଯାହା ୨୦୧୧ ମସିହାରେ ତାମିଲନାଡୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ (TNFDA) ଦ୍ୱାରା ଲାଇସେନ୍ସପ୍ରାପ୍ତ, ଖରାପ ଭିତ୍ତିଭୂମି ଏବଂ ଜାତୀୟ ଔଷଧ ସୁରକ୍ଷା ନିୟମାବଳୀର ବହୁବାର ଉଲ୍ଲଂଘନ ସତ୍ତ୍ୱେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ ଜାରି ରଖିଛି। ଏହି କଫ ସିରପରେ ଡାଇଥାଇଲିନ୍ ଗ୍ଲାଇକଲ୍ (DEG) ନାମକ ଏକ ଅତ୍ୟନ୍ତ ବିଷାକ୍ତ ପଦାର୍ଥର “ବିପଜ୍ଜନକ” ମାତ୍ରା ମିଶିଥିବା ଜଣାପଡ଼ିଥିଲା। ଶ୍ରୀସନ୍ ଫାର୍ମାସ୍ୟୁଟିକାଲର ମାଲିକ ଜି. ରଙ୍ଗନାଥନଙ୍କୁ ମଧ୍ୟପ୍ରଦେଶ ପୋଲିସ ଅକ୍ଟୋବର ୯ ତାରିଖରେ ଗିରଫ କରିଥିଲା।