ସୁଟିଂ କ୍ରୀଡା: ଭାରତୀୟ ସେନାର ‘ମିଶନ ଅଲିମ୍ପିକ୍ସ ୱିଙ୍ଗ’ ଅଧୀନରେ ମଉ ସ୍ଥିତ ପ୍ରତିଷ୍ଠିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ), ସୁଟିଂ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ (ଆରଏଫ) ସହିତ ପ୍ରଥମ କର୍ପୋରେଟ୍ ସହଭାଗୀତା କରିଛି।
ଏହି ସହଭାଗୀତା ବର୍ତ୍ତମାନ ଏଏମୟୁରେ ତାଲିମ ନେଉଥିବା ୧୪ ଜଣ ସୁଟରଙ୍କୁ ସହାୟତା ପ୍ରଦାନ କରିବ। ଏଥିରେ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସନ୍ଦୀପ ସିଂହ ଏବଂ ସେନାର ପ୍ରଥମ ମହିଳା ସୁବେଦାର ପ୍ରୀତି ରଜକ ଅନ୍ତର୍ଭୁକ୍ତ ରହିଛନ୍ତି।
ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀ ଏହି ଅବସରରେ କହିଛନ୍ତି, “ଭାରତୀୟ ସେନା ଏବଂ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ) ସହିତ ଯୋଡି ହେବା ଆମ ପାଇଁ ସମ୍ମାନର ବିଷୟ। ଏହି ସହଭାଗୀତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତକୁ କ୍ରୀଡ଼ାରେ ଶୀର୍ଷରେ ପହଞ୍ଚାଇବା ପାଇଁ ଏକ ସଂକଳ୍ପ। ଆମେ ମିଳିତ ଭାବରେ ଏପରି ଚାମ୍ପିଅନମାନଙ୍କୁ ପ୍ରସ୍ତୁତ କରିବୁ ଯେଉଁମାନେ ଦେଶର ଗୌରବ ବଢ଼ାଇବେ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ “ଭାରତୀୟ ସେନା କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କଠାରୁ ଆରମ୍ଭ କରି ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀରଜ ଚୋପ୍ରାଙ୍କ ପର୍ଯ୍ୟନ୍ତ ଅନେକ ଉତ୍କୃଷ୍ଟ କ୍ରୀଡ଼ାବିତ ସୃଷ୍ଟି କରିଛି, ଯେଉଁମାନେ ଅନେକ ଥର ଭାରତ ଏବଂ ଭାରତୀୟମାନଙ୍କୁ ଗର୍ବିତ କରିଛନ୍ତି।
ଏହି ସହଭାଗୀତା ମାଧ୍ୟମରେ, ଆମର ଲକ୍ଷ୍ୟ ହେଉଛି ମେଧାବୃତ୍ତି, ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ, ଅନ୍ତର୍ଜାତୀୟ ଏକ୍ସପୋଜର ବା ଅଭିଜ୍ଞତା ଏବଂ ଉଚ୍ଚସ୍ତରୀୟ ତାଲିମ ଭଳି ବିବିଧ ସୁବିଧା ମାଧ୍ୟମରେ ୨୦୨୮ ଏବଂ ୨୦୩୨ ଅଲିମ୍ପିକ୍ ଗେମ୍ସ ପାଇଁ ଭାରତର ଦୃଢ଼ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା।“



