Categories
ଆଜିର ଖବର ଜାତୀୟ ଖବର

ଭାରତରେ ପ୍ରଥମ ବ୍ୟାପକ ପଶୁ ଉଦ୍ଧାର, ଯତ୍ନ, ସଂରକ୍ଷଣ ଓ ଥଇଥାନ କାର୍ଯ୍ୟକ୍ରମ ‘ବନ୍ତାରା’ ର ଶୁଭାରମ୍ଭ

ଜାମନଗର / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ‘ବନ୍ତାରା’ (ଜଙ୍ଗଲର ତାରା) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଉଭୟ ଭାରତ ଓ ବିଦେଶରେ ଆହତ, ଉତ୍ପୀଡ଼ନର ଶିକାର ଏବଂ ଭୟରେ ଥିବା ପଶୁମାନଙ୍କୁ ଉଦ୍ଧାର, ଚିକିତ୍ସା, ଯତ୍ନ ଓ ଥଇଥାନ ବ୍ୟବସ୍ଥା କରାଯାଇଛି। ଗୁଜରାଟରେ ରିଲାଏନ୍ସ ଜାମନଗର ରିଫାଇନାରି ପରିସରରେଥିବା ସବୁଜ ବଳୟର ୩୦୦୦ ଏକରରେ ବ୍ୟାପ୍ତ, ‘ବନ୍ତାରା’ ର ଲକ୍ଷ୍ୟ ହେଉଛି ବିଶ୍ୱରେ ସଂରକ୍ଷଣ ଉଦ୍ୟମରେ ଅନ୍ୟତମ ପ୍ରମୁଖ ଯୋଗଦାନକାରୀରେ ପରିଣତ ହେବା। ପଶୁ ଯତ୍ନ ଓ କଲ୍ୟାଣ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟ କରି ‘ବନ୍ତାରା’ ୩୦୦୦ ଏକର ସ୍ଥାନକୁ ଏକ ପ୍ରାକୃତିକ ଜଙ୍ଗଲ ଭଳି ପରିବେଶରେ ପରିଣତ କରିଛି ଯେଉଁଠାରେ ଉଦ୍ଧାର କରାଯାଇଥିବା ପଶୁମାନେ ଆରାମରେ ବାସ କରିପାରିବେ।

ଆରଆଇଏଲ୍ ବୋର୍ଡ ଓ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ତଥା ଉତ୍ସାହଭରା ନେତୃତ୍ୱ ରେ ସ୍ଥାପନ କରାଯାଇଥିବା ଏହି ‘ବନ୍ତାରା’ ଉଦ୍ୟମ ହେଉଛି ଭାରତରେ ପ୍ରଥମ। ଅନନ୍ତ ଅମ୍ବାନୀ ଜାମନଗରରେ ରିଲାଏନ୍ସର ମହତ୍ୱପୂର୍ଣ୍ଣ ଅକ୍ଷୟ ଶକ୍ତି ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି ଯାହା ୨୦୩୫ ସୁଦ୍ଧା ରିଲାଏନ୍ସକୁ ନେଟ୍ କାର୍ବନ ଜିରୋ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମ ଅଧୀନରେ ଗତ କିଛି ବର୍ଷ ଭିତରେ ୨୦୦ରୁ ଉର୍ଦ୍ଧ୍ୱ ହାତୀ, ହଜାର ହଜାର ଅନ୍ୟ ଜୀବ, ସରୀସୃପ ଓ ପକ୍ଷୀଙ୍କୁ ଅସୁରକ୍ଷିତ ସ୍ଥିତିରୁ ଉଦ୍ଧାର କରାଯାଇଛି। ଗଣ୍ଡା, କଲରାପତରିଆ ବାଘ ଓ କୁମ୍ଭୀର ଭଳି ପ୍ରମୁଖ ଜୀବଙ୍କୁ ଉଦ୍ଧାର ଓ ଥଇଥାନ ଦିଗରେ ମଧ୍ୟ ଏଥିରେ ଉଦ୍ୟମ କରାଯାଇଛି। ମେକ୍ସିକୋ ଓ ଭେନେଜୁଏଲା ଭଳି ବିଦେଶ ରାଷ୍ଟ୍ରର ଉଦ୍ଧାର କାର୍ଯ୍ୟକ୍ରମରେ ମଧ୍ୟ ‘ବନ୍ତାରା’ ସାମିଲ ହୋଇଥିଲା। କେନ୍ଦ୍ରୀୟ ଆମେରିକା ପ୍ରାଣୀ ଉଦ୍ୟାନରୁ ଫୋନ୍ କଲ୍ ପାଇ ଏହା ନିକଟରେ ବହୁ ବଡ଼ ଓ ଛୋଟ ପଶୁଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଉଦ୍ଧାର କାର୍ଯ୍ୟ ଭାରତ ଓ ଆନ୍ତର୍ଜାତିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି କରାଯାଇଛି।

ଏହି ଅବସରରେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ, “ଛୋଟ ବେଳେ ମୋ ପାଇଁ ଏକ ଅଭିଳାଷ ଭାବେ ଯାହା ଆରମ୍ଭ ହୋଇଥିଲା ତାହା ଏବେ ‘ବନ୍ତାରା’ ରୂପରେ ଆମର ଚମତ୍କାର ଓ ପ୍ରତିବଦ୍ଧ ଟିମ୍ ଜରିଆରେ ଏକ ମିସନରେ ପରିଣତ ହୋଇଛି। ଭାରତର ବିଲୁପ୍ତପ୍ରାୟ ଜୀବଙ୍କୁ ସୁରକ୍ଷିତ ରଖିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ପ୍ରମୁଖ ବସତିର ପୁନରୁଦ୍ଧାରୂ କରିବା ଏବଂ ଜୀବଙ୍କ ପ୍ରତି ରହିଥିବା ବିପଦର ମୁକାବିଲା କରିବା ଏବଂ ‘ବନ୍ତାରା’ କୁ ଏକ ଅଗ୍ରଣୀ ସଂରକ୍ଷଣ କାର୍ଯ୍ୟକ୍ରମରେ ପରିଣତ କରିବାକୁ ଆମେ ଚାହୁଛୁ। ଆମେ ବହୁତ ଖୁସି ଯେ ଆମର ଉଦ୍ୟମକୁ ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ଆମର ଏହି ମିସନରେ ଭାରତର ବହୁ ଶ୍ରେଷ୍ଠ ଜୀବବିଜ୍ଞାନୀ ଓ ଚିକିତ୍ସା ବିଶେଷଜ୍ଞ ଯୋଡ଼ି ହୋଇଛନ୍ତି ଏବଂ ସରକାରୀ ସଂସ୍ଥା, ଗବେଷଣା ସଂସ୍ଥା ଓ ଶିକ୍ଷାନୁଷ୍ଠାନଠାରୁ ଆମକୁ ପ୍ରତ୍ୟକ୍ଷ ସହଯୋଗିତା ଓ ମାର୍ଗଦର୍ଶନ ମିଳିଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ। ଭାରତରେ ଥିବା ୧୫୦ରୁ ଅଧିକ ପ୍ରାଣୀ ଉଦ୍ୟାନରେ ତାଲିମ, ଦକ୍ଷତା ଗଠନ ଓ ପଶୁ ଯତ୍ନ ଭିତିଭୂମିରେ ଉନ୍ନତି ଆଣିବା ଲାଗି ଭାରତର ପ୍ରମୁଖ ବନ୍ୟପ୍ରାଣୀ କର୍ତୃପକ୍ଷ ଓ ଅନ୍ୟାନ୍ୟ ସଂପୃକ୍ତ ସରକାରୀ ସଂସ୍ଥା ସହ ସହଯୋଗୀତା ସ୍ଥାପନ କରିବାକୁ ବନ୍ତାରା ଲକ୍ଷ୍ୟ ରଖିଛି। ଆମେ ଆଶା କରୁଛୁ ଯେ ବନ୍ତାରା ବିଶ୍ୱସ୍ତରରେ ଆଶାର କିରଣ ହେବ ଏବଂ ବିଶ୍ୱ ଜୈବବିବିଧତା ସଂରକ୍ଷଣ ଅଭିଯାନ ପାଇଁ ଭବିଷ୍ୟତ ଚିନ୍ତାଧାରା ରଖିଥିବା ସଂସ୍ଥା କିଭଳି ସହାୟକ ହୋଇପାରିବ ତାହା ପ୍ରଦର୍ଶିତ କରିବ।’’

ବନ୍ତାରାକୁ ଶୁଭାରମ୍ଭ କରିବା ପଛର ଚିନ୍ତାଧାରା ସମ୍ପର୍କରେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ, “ଏହା ହେଉଛି ପ୍ରାଚୀନ ସମବେଦନାର ମୂଲ୍ୟବୋଧ ଏବଂ ଆଧୁନିକ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟାର ସମାହାର। ମୁଁ ଜୀବ ସେବାକୁ ଭଗବାନ ଓ ମାନବ ସମାଜର ସେବା ଭାବେ ଦେଖୁଛି।’’

ବନ୍ତାରାରେ ହାତୀଙ୍କ ପାଇଁ କେନ୍ଦ୍ର ଏବଂ ସିଂହ, ବାଘ, କୁମ୍ଭୀର ଓ କଲରାପତରିଆ ବାଘ ଆଦିଙ୍କ ଭଳି ଭଳି ବଡ ଓ ଛୋଟ ଜୀବଙ୍କ ପାଇଁ ସୁବିଧା ରହିଛି।

ବନ୍ତାରାରେ ପ୍ରମୁଖ ଅଂଚଳରେ ରହିଥିବା ହାତୀ କେନ୍ଦ୍ରରେ ଦିନ ଓ ରାତି ପାଇଁ ଅତ୍ୟାଧୁନିକ ବିଜ୍ଞାନ ସମ୍ମତ ଏନ୍‌‌କ୍ଲୋଜର, ହାଇଡ୍ରୋଥେରାପି ପୁଲ୍‌‌, ଜଳାଶୟ ଓ ହାତୀଙ୍କ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ଏକ ବିରାଟ ଜକୁଜୀ ଆଦି ରହିଛି। ଏଥିରେ ୨୦୦ରୁ ଅଧିକ ହାତୀ ଥିବା ବେଳେ ୫୦୦ରୁ ଅଧିକ ପ୍ରଶିକ୍ଷିତ କର୍ମଚାରୀ ସେମାନଙ୍କ ଦେଖାଶୁଣା କରୁଛନ୍ତି। ଏଥିରେ ୨୫୦୦୦ ବର୍ଗଫୁଟର ଏକ ହାତୀ ଚିକିତ୍ସାଳୟ ରହିଛି ଯେଉଁଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣ ରହିଛି । ହାତୀଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବା ନିମନ୍ତେ ୧୪୦୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ରୋଷେଇ ଘର ରହିଛି।

ସେହିପରି, ବନ୍ତାରାରେ ୬୫୦ ଏକରରୁ ଅଧିକ ସ୍ଥାନରେ ଉଦ୍ଧାର ଓ ଥଇଥାନ କେନ୍ଦ୍ର ରହିଛି ଯେଉଁଥିରେ ସର୍କସ ଓ ଅନ୍ୟ ବିପଦଜନକ ପରିସ୍ଥିତିରୁ ଭାରତ ଓ ବିଶ୍ୱର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିଓବା ଜୀବଜନ୍ତୁଙ୍କୁ ସ୍ଥାନିତ କରାଯାଉଛି। ୨୧୦୦ରୁ ଅଧିକ ଲୋକ କାମ କରୁଥିବା ଏହି କେନ୍ଦ୍ର ସାରା ଭାରତରେ ସଡକ ଦୁର୍ଘଟଣା ଓ ମଣିଷ-ବନ୍ୟଜନ୍ତୁ ସଂଘର୍ଷରେ ଆହତ ହୋଇଥିବା ୨୦୦ରୁ ଅଧିକ କଲରାପତରିଆ ବାଘଙ୍କୁ ଉଦ୍ଧାର କରିବା ସହିତ ତାମିଲନାଡୁରେ ସ୍ୱଳ୍ପ ସ୍ଥାନରେ ଅତ୍ୟନ୍ତ ଭିଡ ମଧ୍ୟରେ ପ୍ରତିକୂଳ ପରିସ୍ଥିତିରେ ଥିବା ୧୦୦୦ରୁ ଅଧିକ କୁମ୍ଭୀରକୁ ଉଦ୍ଧାର କରିଛି।

ଏହି କେନ୍ଦ୍ରରେ ଏକ ଲକ୍ଷ ବର୍ଗଫୁଟର ଏକ ହସ୍ପିଟାଲ୍ ଓ ମେଡିକାଲ୍ ଏହି କେନ୍ଦ୍ରରେ ଏକ ଲକ୍ଷ ବର୍ଗଫୁଟର ଏକ ହସ୍ପିଟାଲ୍ ଓ ମେଡିକାଲ୍ ଗବେଷଣା କେନ୍ଦ୍ର ରହିଛି। ବନ୍ତାରାକୁ ଉଦ୍ଧାର ହୋଇ ଆସୁଥିବା ପ୍ରତ୍ୟେକଟି ଜୀବ ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ଅଧିକାରୀ / ସଂରକ୍ଷକ, କେନ୍ଦ୍ରୀୟ ଜୁ ଅଥୋରିଟିଙ୍କ ଅନୁମତି ତଥା ସମସ୍ତ ଆବଶ୍ୟକୀୟ ବନ୍ୟପ୍ରାଣୀ ନିୟମ ପାଳନ କରି ସ୍ଥାନ ଦିଆଯାଉଛି। ବନ୍ତାରା ପକ୍ଷରୁ ଜାତୀୟ ଓ ଆନ୍ତର୍ଜାତିକ ସହଯୋଗିତା ମଧ୍ୟ ସ୍ଥାପନ କରାଯାଇଛି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ସହଭାଗିତାରେ ଜୀବ ସଂରକ୍ଷଣକୁ ନେଇ ଏହା ଶିକ୍ଷା ଓ ସଚେତନତା ମଧ୍ୟ ସୃଷ୍ଟି କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ସହଯୋଗିତା, ଉପକୃତ ହେବେ ୫ ଲକ୍ଷ ଯୁବକଯୁବତୀ

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ମଧ୍ୟରେ ଏକ ସହଯୋଗିତା ସ୍ଥାପନ ହୋଇଛି। ଏଥିରେ ୫ ଲକ୍ଷ ଭାରତୀୟ ଯୁବକଯୁବତୀଙ୍କ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଦକ୍ଷତା ଉପରେ ଆଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ। ପାଠ୍ୟକ୍ରମ ବିକାଶ ଏବଂ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହିତ ଏଡ୍‌‌ଟେକ୍‌‌, ସାଇବର ସୁରକ୍ଷା, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ପରିବେଶ ସ୍ଥାୟିତ୍ୱ, ନୀତି-ବିଶ୍ଳେଷଣ ଭଳି ବିଭିନ୍ନ କ୍ଷେତ୍ର ଉପରେ ଏହି ସହଯୋଗିତାରେ ଗୁରୁତ୍ୱ ପ୍ରଦାନ କରାଯିବ। ରିଲାଏନ୍ସ ଫାଉଣ୍ଡେସନର “ଡିଜିଟାଲ ଫରୱାର୍ଡ ଆପ୍ରୋଚ୍‌‌” ଭବିଷ୍ୟତର ନୂଆ କ୍ୟାରିୟର ପାଇଁ ଆଗ୍ରହୀ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି।

ଏହି ଅବସରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ଦକ୍ଷତା, ପୁନଃଦକ୍ଷତା (ରି-ସ୍କିଲିଂ) ଓ କୌଶଳ ଉନ୍ନତିର ମନ୍ତ୍ର ଆପଣାଇ ଭାରତ ଏବେ ଆଦୌ ଅଟକିବ ନାହିଁ। ପୁନଃ ଦକ୍ଷତା ବିକାଶ ପରିବ୍ୟବସ୍ଥାରେ ବିଭିନ୍ନ ଡିଜିଟାଲ୍ ସେବାକୁ ବ୍ୟବହାର କରି ପ୍ରତ୍ୟେକ ଯୁବକଯୁବତୀଙ୍କ ପାଇଁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିଜର ଦକ୍ଷତା ବିକାଶ ପାଇଁ ସୁବିଧା ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯାଉଛି। ବୈଷୟିକ ଜ୍ଞାନକୌଶଳ, ବ୍ୟାପକତା, ସ୍ଥାୟିତ୍ୱ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତୀୟ କର୍ମବୀରମାନେ କେବଳ ଦେଶର ଚାହିଦା ପୂରଣ କରିବେ ନାହିଁ ବରଂ ବିଶ୍ୱସ୍ତରରେ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରିବ।’’

ରିଲାଏନ୍ସ ଫାଉଣ୍ଡେସନର ସିଇଓ ଶ୍ରୀ ଜଗନ୍ନାଥ କୁମାର କହିଛନ୍ତି ଯେ, “ଭାରତରେ ବିଶ୍ୱର ସବୁଠାରୁ ଅଧିକ ଯୁବ ଜନସଂଖ୍ୟା ରହିଛି ଏବଂ ସେମାନଙ୍କୁ ‘ଭବିଷ୍ୟତ ପାଇଁ ପ୍ରସ୍ତୁତ’ ଦକ୍ଷତା ପ୍ରଦାନ କରିବାକୁ ଆମେ ପ୍ରୟାସ କରୁଛୁ। ରିଲାଏନ୍ସ ଫାଉଣ୍ଡେସନର ଆମେ ବିଶ୍ୱାସ କରୁ ଯେ ସେମାନଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏହି ସହଯୋଗିତା ଏକ ଅନନ୍ୟ ପଦକ୍ଷେପ। ଏନଏସଡିସି ସହିତ ଏହି ସହଯୋଗିତା ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ ଯାହା ଦ୍ୱାରା ସେମାନେ ପରିବର୍ତ୍ତନଶୀଳ କାର୍ଯ୍ୟ ପ୍ରଣାଳୀ ଏବଂ ସୁଯୋଗ ସହିତ ସମତାଳରେ ଯୋଜନା ପ୍ରସ୍ତୁତ କରିପାରିବେ। ରିଲାଏନ୍ସ ଫାଉଣ୍ଡେସନ ଏବଂ ଏନଏସଡିସି ସମାନ ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟ ସହିତ ଯୁବ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକତ୍ରୀତ ହୋଇଛନ୍ତି।’’

ଉଚ୍ଚମାନର ପାଠ୍ୟକ୍ରମ ଡିଜାଇନ୍ ଏବଂ ବିକାଶ; ଛାତ୍ରଛାତ୍ରୀଙ୍କ ପାଇଁ ସେବା ଉପଲବ୍ଧ କରାଇବା ; ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ; ସହଯୋଗୀମାନଙ୍କ ସହଯୋଗ; ଏଆଇ ସହାୟତାପ୍ରାପ୍ତ ଅନଲାଇନ୍ ମୂଲ୍ୟାୟନ, ସାର୍ଟିଫିକେସନ୍ ଏବଂ ଶିଳ୍ପ ଆଧାରିତ ନିୟୋଜନ ଭଳି କାର୍ଯ୍ୟକ୍ରମ ଏହି ସହଯୋଗିତା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି।

ଅବହେଳିତ ଏବଂ ଯୁବକଯୁବତୀମାନଙ୍କୁ ଉନ୍ନତ ଜୀବିକା ଏବଂ ନୂତନ ସୁଯୋଗ ପ୍ରଦାନ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କାର୍ଯ୍ୟ କରୁଛି। ଏନଏସଡିସି ସହ ଏହି ସହଯୋଗିତା ସେ ଦିଗରେ ଆଉ ଏକ ପଦକ୍ଷେପ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇରେ କୋଭିଡ୍ ପରିଚାଳନାରେ ବ୍ୟାପକ ସଂପ୍ରସାରଣ

ମୁମ୍ବାଇ / ଭୁବନେଶ୍ୱର:  ମୁମ୍ବାଇରେ କୋଭିଡ୍ ସଂକ୍ରମଣରେ ଦେଖାଦେଇଥିବା ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସହରରେ କୋଭିଡ୍ ପରିଚାଳନାର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ମହାମାରୀ ବିରୋଧରେ ସରକାରୀ ଲଢ଼େଇକୁ ସୁଦୃଢ଼ କରିବା ଲାଗି ଲାଗି ଏହାର ପରିଚାଳନାରେ ବ୍ୟାପକ ସଂପ୍ରସାରଣ କରାଯାଇଛି ।

ମହାରାଷ୍ଟ୍ର ସରକାର ଓ ବ୍ରିହାନମୁମ୍ବାଇ ମୁନିସପାଲ କର୍ପୋରେସନ (ବିଏମସି) ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ କରି ରିଲାଏନ୍ସ ପକ୍ଷରୁ ମୁମ୍ବାଇରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଚାରିଟି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି:

ଏନ୍‌ଏସ୍‌ସିଆଇରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ୬୫୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥାର ପରିଚାଳନା କରିବ:

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ୱର୍ଲିରେ ଥିବା ନ୍ୟାସନାଲ୍ ସ୍ପୋର୍ଟସ୍ କ୍ଲବ ଅଫ୍ ଇଣ୍ଡିଆରେ ୧୦୦ ଆଇସିୟୁ (ଇନଟେନସିଭ କେୟାର ୟୁନିଟ୍‌) ଶଯ୍ୟା ସୃଷ୍ଟି, କାର‌୍ୟ୍ୟକ୍ଷମ ଓ ପରିଚାଳନା କରାଯିବ ଯାହା ୨୦୨୧ ମେ’ ୧୫ ଠାରୁ ପର‌୍ୟ୍ୟାୟକ୍ରମେ କାର‌୍ୟ୍ୟକ୍ଷମ ହେବ । ବର୍ତମାନ କାର‌୍ୟ୍ୟକ୍ଷମ ଥିବା ୫୫୦ ଶଯ୍ୟାର ୱାର୍ଡର ପରିଚାଳନା ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ମେ’ ୧ରୁ ନିଜ ହାତକୁ ନେବ । ଏଥି ସହିତ ସାର୍ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ (ଆର୍‌ଏଫ୍‌ଏଚ୍‌) କୋଭିଡ୍ ରୋଗୀମାନଙ୍କ ପାଇଁ ମୋଟ ୬୫୦ ଶଯ୍ୟାର ପରିଚାଳନା କାର‌୍ୟ୍ୟ ନିର୍ବାହ କରିବ ।

ରୋଗୀମାନଙ୍କ ମେଡିକାଲ୍ ପରିଚାଳନାର ୨୪ ଘଣ୍ଟା ଦେଖାଶୁଣା ଓ ଚିକିତ୍ସା କରିବା ଲାଗି ଡାକ୍ତର, ନର୍ସ, ଅଣ ମେଡିକାଲ୍ ପେସାଦାରମାନଙ୍କ ଭଳି ଆଗ ଧାଡ଼ିର କର୍ମୀମାନଙ୍କୁ ନେଇ ଏକ ଟିମ୍ ନିୟୋଜିତ କରାଯିବ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟରେ ସାମିଲ ରହିଥିବା ଆଇସିୟୁ ଶଯ୍ୟା ଓ ମନିଟର, ଭେଂଟିଲେଟର ଓ ମେଡିକାଲ୍ ଉପକରଣ ସମେତ ୬୫୦ ଶଯ୍ୟାର ପରିଚାଳନା ଖର୍ଚ୍ଚ ରିଲାଏନ୍ସ ଫାଉଣ୍ଡେସନ ବହନ କରିବ । ଏନ୍‌ଏସ୍‌ସିଆଇ ଓ ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ସମସ୍ତ କୋଭିଡ୍ ରୋଗୀଙ୍କ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବ ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ଓ ବିଏମସି ତରଫରୁ ଭାରତର ପ୍ରଥମ କୋଭିଡ୍ ହସ୍ପିଟାଲ୍‌କୁ ମୁମ୍ବାଇର ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଉତ୍ସର୍ଗୀକୃତ ୨୨୫ ଶଯ୍ୟା ସହିତ ସ୍ଥାପନ କରାଯାଇଛି । ୨୨୫ଟି ଶଯ୍ୟା ମଧ୍ୟରୁ ୨୦ଟି ଆଇସିୟୁ ଶଯ୍ୟା ସହିତ ୧୦୦ଟି ଶଯ୍ୟାକୁ ସାର ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରୁଛି । ସେଭେନ୍ ହିଲସ୍ ହସ୍ପିଟାଲ୍‌ରେ ଅତିରିକ୍ତ ୨୫ ଆଇସିୟୁ ଶଯ୍ୟାର ସମ୍ପ୍ରସାରଣ କରାଯାଇଛି । ଏହି ସମ୍ପ୍ରସାରଣରେ ୪୫ଟି ଆଇସିୟୁ ଶଯ୍ୟା ସମେତ ମୋଟ ୧୨୫ଟି ଶଯ୍ୟା ସୃଷ୍ଟି ହୋଇଛି ଯାହାକୁ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପରିଚାଳନା କରିବ ।

ସ୍ୱଳ୍ପ, ମଧ୍ୟମ ଏବଂ ଲକ୍ଷଣବିହୀନ ରୋଗୀମାନଙ୍କ ଚିକିତ୍ସା ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ କରିବା ଲାଗି ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ସ୍ଥିତ ଦି ଟ୍ରାଇଡେଂଟ୍ ହୋଟେଲ୍‌ରେ ୧୦୦ ଶଯ୍ୟା କାର‌୍ୟ୍ୟକ୍ଷମ କରାଯାଉଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ପର‌୍ୟ୍ୟଟନ ଓ ପରିବେଶ ମନ୍ତ୍ରୀ, ବରିଷ୍ଠ ଏମ୍‌ସିଜିଏମ୍ ଅଧିକାରୀ ଏବଂ ରିଲାଏନ୍ସ ଫାଉଣ୍ଡେସନ ଓ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏନ୍‌ଏସ୍‌ସିଆଇ, ସେଭେନ୍ ହିଲସ୍ ହସ୍ପିଟାଲ୍ ଓ ବିକେସିର ଦି ଟ୍ରାଇଡେଂଟ୍‌କୁ ମିଶାଇ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ପ୍ରାୟ ୮୭୫ ଶଯ୍ୟା ପରିଚାଳନା କରିବ ଯେଉଁଥିରେ ୧୪୫ ଆଇସିୟୁ ଶଯ୍ୟା ସାମିଲ ରହିଛି । ଯେକୌଣସି ଦାତବ୍ୟ ଅନୁଷ୍ଠାନ ତରଫରୁ ମୁମ୍ବାଇରେ କୋଭିଡ୍ ଚିକିତ୍ସା ଓ ଯତ୍ନ ପାଇଁ ଏହା ହେଉଛି ସର୍ବବୃହତ ଯୋଗଦାନ ।

ବର୍ଦ୍ଧିତ କୋଭିଡ୍ ବ୍ୟବସ୍ଥା ଓ ଭିତିଭୁମି ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି, କହିଛନ୍ତି ଯେ, “ରିଲାଏନ୍ସ ଫାଉଣ୍ଡେସନ ଦେଶ ପାଇଁ ସେବା କ୍ଷେତ୍ରରେ ସର୍ବଦା ଆଗରେ ରହିଛି ଏବଂ ମହାମାରୀ ବିରୋଧରେ ଭାରତର ନିରନ୍ତର ଲଢ଼େଇକୁ ସମର୍ଥନ କରିବା ହେଉଛି ଆମର ଦାୟିତ୍ୱ । ଆମର ଡାକ୍ତର ଓ ଆଗ ଧାଡ଼ିର ସ୍ୱାସ୍ଥ୍ୟକର୍ମୀ ତଥା କର୍ମଚାରୀମାନେ ଅକ୍ଳାନ୍ତ କାର‌୍ୟ୍ୟ କରୁଛନ୍ତି ଏବଂ ଚିକିତ୍ସା ଓ ଯତ୍ନ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଶ୍ରେଷ୍ଠ ଡାକ୍ତରୀ ଚିକିତ୍ସା ପଅଦାନ କରି ସେମାନେ ମୂଲ୍ୟବାନ ଜୀବନ ରକ୍ଷା କରିବା ଜାରି ରଖିଛନ୍ତି । ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ସାରା ମୁମ୍ବାଇ ସହରରେ ୮୭୫ ହସ୍ପିଟାଲ୍ ଶଯ୍ୟା ପରିଚାଳନା କରିବ ।’’

“ଆମେ ମଧ୍ୟ ବିନା ମୂଲ୍ୟରେ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ (ଅମ୍ଳଜାନ) ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ଡାମନ ଆଣ୍ଡ୍ ଡିଉ ଓ ନାଗର ହାଭେଲିକୁ ପ୍ରଦାନ କରୁଛୁ । ଏହାକୁ ଆହୁରି ସମ୍ପ୍ରସାରିତ ମଧ୍ୟ କରାଯାଉଛି । ଭାରତ ଓ ମୁମ୍ବାଇ ସହର ପାଇଁ ଏହି କଠିନ ସମୟରେ ଭାରତୀୟ ଭାବେ ଲୋକମାନଙ୍କ ସେବା ଲାଗି ଯାହା ସମ୍ଭବ ତାହା ଦ୍ରୁତ ଗତିରେ କରିବା ଲାଗି ଆମେ ପ୍ରତିବଦ୍ଧ । କରୋନା ହାରିବ, ଭାରତ ଜିତିବ’’ ବୋଲି ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ।

ଗତବର୍ଷ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶ୍ୱର ସର୍ବବୃହତ ଭୋଜନ ବିତରଣ କାର‌୍ୟ୍ୟକ୍ରମ ଅନ୍ନ ସେବା ଆରମ୍ଭ କରି ୫.୫ କୋଟି ଭୋଜନ ପ୍ରଦାନ କରାଯାଇଥିଲା । ଏହା ସହିତ କୋଭିଡ୍ ବିରୋଧ ଲଢ଼େଇକୁ ଆହୁରି ସୁଦୃଢ଼ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକ ମଧ୍ୟରେ ରହିଥିଲା ମୁମ୍ବାଇର ଦେଓନାରର ସ୍ପନ୍ଦନ ହୋଲିଷ୍ଟିକ୍ ମଦର-ଆଣ୍ଡ୍‌-ଚାଇଲଡ୍ କେୟାର ହସ୍ପିଟାଲ୍‌ରେ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ନୂଆ କୋଭିଡ୍ କେୟାର ବ୍ୟବସ୍ଥା ଏବଂ ମୁମ୍ବାଇରେ ବିଏମ୍‌ସି ସହଯୋଗରେ ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ତରଫରୁ ଏଚ୍‌ବିଟି ଟ୍ରମା ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ୧୦-ଶଯ୍ୟା ବିଶିଷ୍ଟ ଡାଏଲିସିସି କେନ୍ଦ୍ର ସ୍ଥାପନ ଇତ୍ୟାଦି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ କରି ଓଡ଼ିଶାର ଶହ ଶହ ହସ୍ତକଳା ଶିଳ୍ପୀ ପରିବାର ତଥା ପ୍ରବାସୀ ଶ୍ରମିକ ପରିବାରଙ୍କୁ ସହାୟତାର ହାତ ବଢାଇଛି। ସ୍ଥାନୀୟ ଏନଜିଓ ସହଯୋଗୀଙ୍କ ସହଯୋଗରେ ଚଳିତ ସପ୍ତାହରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୁରୀ ଜିଲ୍ଲାର ରଘୁରାଜପୁର ଶିଳ୍ପ ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ପରିବାର ସମୂହ, ବାଲେଶ୍ୱରର ବାଲିଆପାଳର ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାର ସମୂହଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ କରାଯାଇଛି।

କୋଭିଡ୍‌-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବର୍ତମାନର ସ୍ଥିତି ଓ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣା ଯୋଗୁଁ ଅନେକ ମାସ ଧରି ଏହି ଦୁଇ ହସ୍ତକଳା ଓ ହସ୍ତଶିଳ୍ପ କ୍ଲଷ୍ଟରରେ ରହୁଥିବା ଶିଳ୍ପୀ ପରିବାରଗୁଡ଼ିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏହି ସମୟରେ ସେମାନଙ୍କ ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଉଷୁନା ଚାଉଳ, ଡାଲି, ଖାଇବା ତେଲ, ଚିନି ଇତ୍ୟାଦି ଶୁଖିଲା ଖାଦ୍ୟ ସାମଗ୍ରୀ ରହିଥିବା କିଟ୍ ସବୁକୁ ରଘୁରାଜପୁର ହେରିଟେଜ୍ ଟୁରିଜିମ୍ କମିଟି ଜରିଆରେ ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ରଘୁରାଜପୁରରେ ଥିବା ପ୍ରାୟ ୧୬୦ ପଟ୍ଟଚିତ୍ର କାରିଗର ପରିବାରକୁ ପ୍ରଦାନ କରାଯାଇଛି। ସେହିଭଳି ଗୁରୁବାର ଦିନ ବାଲେଶ୍ୱରର ବାଲିଆପାଳ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ପ୍ରାୟ ୧୦୦ଟି ସବାଇ ଘାସ ବା ଗୋଲଡେନ୍ ଗ୍ରାସ ଶିଳ୍ପୀ ପରିବାରକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ କଳାଘର ସହଯୋଗରେ ଏହି ସହାୟତା ଯୋଗାଇ ଦିଆଯାଇଛି ।

ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଦୁଇ ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଥିବା ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପହଂଚାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆଗାମୀ କିଛିଦିନ ମଧ୍ୟରେ ସ୍ଥାନୀୟ ଏନଜିଓ ସହଯୋଗୀ ପ୍ରେମ୍ ମାଧ୍ୟମରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗଂଜାମର କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ପାତ୍ରପୁର ଓ ଧରାକୋଟ ବ୍ଲକ୍‌ରେ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବା ପାଇଁ ଯୋଜନା ହୋଇଛି। ସେହିଭଳିି, ବଲାଙ୍ଗୀର ଜିଲ୍ଲାକୁ ଫେରିିଥିବା ପ୍ରାୟ ୪୦୦ ପ୍ରବାସୀ ଶ୍ରମିକ ପରିବାରଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗୀରର ସ୍ଥାନୀୟ ଭିମପାହାଡ଼ କୃଷକ ପ୍ରଡ୍ୟୁସର କଂପାନି ଲିମିଟେଡ୍ ସହଯୋଗରେ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯିବ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ଯେକୌଣସି ସ୍ଥାନରେ କୌଣସି କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ହାତକୁ ନିଆଯାଇଥିବା ସର୍ବବୃହତ ଭୋଜନ ବଂଟନ ସେବା ମିସନ ଅନ୍ନ ସେବା ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଲକ୍‌ଡାଉନ୍ ଅବଧିରେ ସାରା ଦେଶରେ ୫ କୋଟିରୁ ଅଧିକ ଭୋଜନ ପ୍ରଦାନ କରାଯାଇଛି। ସାରା ଦେଶରେ ଥିବା ଅଭାବୀ ଲୋକ ଏବଂ ଶ୍ରମିକଙ୍କୁ ମାଗଣା ରନ୍ଧା ଖାଦ୍ୟ ଓ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ପ୍ରଦାନ କରାଯଇଛିି। ଓଡିଶାରେ ଏହି ମିସନ ଅନ୍ନସେବାର ଅଂଶ ସ୍ୱରୂପ, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଏନଜିଓ ସହଯୋଗୀ ଓଡ଼ିଶା ଗୁଜୁରାଟି ସମାଜ ଓ ହମାରା ବଚ୍ଚପନ ଟ୍ରଷ୍ଟ ସହଯୋଗିତାରେ ଗତ ଏପ୍ରିଲ ଓ ମେ’ ମାସରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ଭଦ୍ରକର ବସ୍ତି ଅଂଚଳ, ବୃଦ୍ଧାଶ୍ରମ ଓ ପ୍ରବାସୀ ଶ୍ରମିକ ଶିବିର ଆଦିରେ ୬୦୦୦ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁଯାୟୀ ରିକ୍ସା ଚାଳକ, ସହରର ସଫେଇ କର୍ମଚାରୀ, ବୃଦ୍ଧାଶ୍ରମର ଅନ୍ତେବାସୀ, ବସ୍ତିବାସିନ୍ଦା, ପ୍ରବାସୀ ଏବଂ ଦିନ ମଜୁରିଆ, ଘରୋଇ ସହାୟକ/ସହାୟିକା, ଦିବ୍ୟାଙ୍ଗ ବ୍ୟକ୍ତି ଓ ପରିବାରଗୁଡ଼ିକୁ ଏହି ଶୁଖିଲା ଖାଦ୍ୟସାମଗ୍ର କିଟ୍ ବଂଟନ କରାଯାଇଥିଲା । ସେହିଭଳି ଓଡ଼ିଶାର ଖୋର୍ଦ୍ଧା, ଚଣ୍ଡିଖୋଲ, ପାରାଦୀପ, ସମ୍ବଲପୁରର ଅଇଁଠାପାଲୀ, ବରଗଡ଼ର ସୋହେଲା ଓ ଗଂଜାମର ଗିରିଶୋଲାରେ ଥିବା ସମସ୍ତ ଛଅଟି ରିଲାଏନ୍ସ ପେଟ୍ରୋଲ୍ ପମ୍ପ୍ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଚାଳକମାନଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ କିଟ୍ ବଂଟନ କରାଯାଇଥିଲା।

କୋଭିଡ୍‌-୧୯ ବିରୋଧରେ ଦେଶର ଲଢ଼େଇରେ ସାମିଲ ହୋଇ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ସମେତ ବିଭିନ୍ନ ରିଲିଫ୍ ଫଣ୍ଡ୍‌କୁ ୫୩୫.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମୁମ୍ବାଇ ମହାନଗର ନିଗମ ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭାରତର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିଲା. ଯାହା ପରବର୍ତ୍ତୀ ସମୟରେ ଦୁଇଗୁଣାରୁ ଅଧିକ କ୍ଷମତାକୁ ସଂପ୍ରସାରିତ ହୋଇଛି।

କୋଭିଡ୍‌-୧୯ ରିଲିଫ୍‌ର ଅଂଶ ସ୍ୱରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକୁ ମାଗଣାରେ ଇନ୍ଧନ ଯୋଗାଇ ଦିଆଯାଇଛି ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ଉତ୍ପାଦନ କ୍ଷମତାକୁ ଦୈନିକ ୧ ଲକ୍ଷ ମାସ୍କ ପର୍ଯ୍ୟନ୍ତ ବୃଦ୍ଧି ସହିତ ଦୈନିକ ହଜାର ହଜାର ପିପିଇ ଉତ୍ପାଦନ କରାଯାଉଛି। ଏହା ବ୍ୟତୀତ କଂପାନିର ଟେଲିକମ୍ ଶାଖା ପକ୍ଷରୁ ପ୍ରାୟ ୪୦ କୋଟି ଲୋକ ଓ ହଜାର ହଜାର ସଂସ୍ଥାଙ୍କୁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରାଯାଇଥିବା ବେଳେ ରିଲାଏନ୍ସ ରିଟେଲ୍ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ଉପଲବ୍ଧ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନର ଭିନ୍ନ ପଦକ୍ଷେପ

ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ନୂତନ ସହଭାଗିତା ସ୍ଥାପନ କରାଯାଇଛି । ଡବ୍ଲୁ-ଜିଡିପି ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଡେପୁଟି ସେକ୍ରେଟାରି ଅଫ ଷ୍ଟେଟ୍ ଷ୍ଟିଫେନ୍ ବିଏଗନ୍‌ଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ନୂତନ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ ଓ ଡେପୁଟି ୟୁଏସ୍‌ଏଡ୍ ପ୍ରଶାସକ ବନି ଗ୍ଲିକ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ କହିଛନ୍ତି ଯେ, “ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣରେ ଉନ୍ନତି ପାଇଁ ସବୁଠୁ ଅଭିନବ କାର୍ଯ୍ୟକ୍ରମ ସୃଷ୍ଟି କରିବା ଓ ତାହାକୁ ବ୍ୟାପକ କରିବା ଲାଗି ଡବ୍ଲୁ-ଜିଡିପି ଫଣ୍ଡ୍ ଗଠନ କରାଯାଇଛି । ଆମେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଓ ଘରୋଇ କ୍ଷେତ୍ରର ସମ୍ବଳ ଓ ଅଭିଜ୍ଞତା ହାସଲ କରିଛୁ ଯଦ୍ୱାରା ଏହି ଅଭିଯାନ ପ୍ରଭାବୀ ହେବ ଏବଂ ସମାଜର ଯେଉଁମାନଙ୍କ ଠାରେ ଏହା ପହଂଚିବ ସେଠରେ ବେଶ୍ ପ୍ରଭାବଶାଳୀ ହୋଇପାରିବ ।’’

ୟୁଏସ୍‌ଏଡ୍‌ର ଆକ୍ଟିଂ ଆଡ୍‌ମିନିଷ୍ଟ୍ରେଟର (କାର୍ଯ୍ୟନିର୍ବାହୀ ପ୍ରଶାସକ) ଜନ୍ ବାର୍ସା କହିଛନ୍ତି ଯେ, “ଯଦି ଆମେ ଜନସଂଖ୍ୟାର ଅଧା ଭାଗକୁ ବାଦ ଦେବା ତେବେ ବିଶ୍ୱସ୍ତରୀୟ ସମୃଦ୍ଧି ଅପହଂଚ ରହିବ । ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌)ରେ ଆମର ବିଶ୍ୱାସ ରହିଛି ଯେ ବ୍ୟାପକ ପରିବର୍ତନ ନିମନ୍ତେ ମାନବ ସମ୍ଭାବନାକୁ ଉନ୍ମୁକ୍ତ କରିବା ଲାଗି ମହିଳାଙ୍କ କ୍ଷେତ୍ରରେ ନିବେଶ କରିବା ଏକ ପ୍ରମୁଖ ଆବଶ୍ୟକତା । ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ଥିବା ଅର୍ଥନୈତିକ ପ୍ରଭେଦ ବା ତାରତମ୍ୟକୁ ସମାପ୍ତ କରିବା ଲାଗି ଡବ୍ଲୁ-ଜିଡିପି ଓ ୟୁଏସ୍‌ଏଡ୍ ଅଭିନବ ସମାଧାନ ପାଇଁ ପାଣ୍ଠି ଯୋଗାଉଛନ୍ତି ଏବଂ ସ୍ୱାବଲମ୍ବୀ ହୋଇ ଆଗକୁ ବଢ଼ିବା ଲାଗି ଆମର ସହଯୋଗୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ।’’

ଏହି କାର୍ଯ୍ୟକ୍ରମ ଅବସରରେ ଏକ ଭର୍ଚୁଆଲ ଭିଡିଓ ବାର୍ତ୍ତାରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “ୟୁଏସ୍‌ଏଡ୍ ସହ ସହଭାଗିତା ଜରିଆରେ ଡବ୍ଲୁ-ଜିଡିପିର ଶକ୍ତିି ସହ ରିଲାଏନ୍ସ ଫାଉଣ୍ଡେସନ ଯୋଗ ଦେଉଥିବା ବିଷୟରେ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ । ମିଳିତ ଭାବେ ଆମେ ସାରା ଭାରତରେ ୨୦୨୦ ଶେଷ ସୁଦ୍ଧା ଡବ୍ଲୁ-ଜିଡିପି ଓମେନ୍‌-କନେକ୍ଟ ଚ୍ୟାଲେଞ୍ଜକୁ ଆରମ୍ଭ କରିବୁ । ଆମର ଏହି ସହଭାଗିତାର କେନ୍ଦ୍ରରେ ରହିଛି ଭାରତର ଉଭୟ ଲିଙ୍ଗଗତ ପ୍ରଭେଦ ଓ ଡିଜିଟାଲ ତାରତମ୍ୟକୁ ଦୂର କରିବା ପାଇଁ ଆମର ରହିଥିବା ମିଳିତ ଲକ୍ଷ୍ୟ ।’’

ଡବ୍ଲୁ-ଜିଡିପି ଓମେନ୍‌ସ କନେକ୍ଟ ଚ୍ୟାଲେଞ୍ଜ (ଡବ୍ଲୁସିସି) ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦକୁ ଦୂର କରିବା, ବ୍ୟବସାୟ ସୁଯୋଗ ସଂପ୍ରସାରିତ କରିବା ଏବଂ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଘରୋଇ କ୍ଷେତ୍ର ନେତୃତ୍ୱରେ ହେଉଥିବା ଉଦ୍ୟମକୁ ସମର୍ଥନ କରୁଛି । ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଡବ୍ଲୁ-ଜିଡିପି, ରିଲାଏନ୍ସ ଫାଉଣ୍ଡେସନ ସହ ସହଭାଗିତା ସ୍ଥାପନ କରି ଭାରତ ପାଇଁ ଏକ ସ୍ୱତନ୍ତ୍ର ଡବ୍ଲୁସିସି ସୃଷ୍ଟି କରିବ ଏବଂ ପୂର୍ବରୁ ଥିବା ଡବ୍ଲୁ-ଜିଡିପି ଡବ୍ଲୁସିସି ପର୍ଯ୍ୟାୟଗୁଡ଼ିକରୁ ମିଳିଥିବା ଅଭିଜ୍ଞତାକୁ ସମ୍ମିଳିତ କରିବ ।

୨୦୧୬ରେ ରିଲାଏନ୍ସ ପକ୍ଷରୁ ଜିଓର ଶୁଭାରମ୍ଭ କରାଯାଇଥିଲା – ଏହା ଥିଲା ଏକ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ଯାହା ୧୩୦ କୋଟି ଭାରତୀୟଙ୍କ ପାଇଁ ଡିଜିଟାଲ୍ ଜୀବନର ଅଭ୍ୟୁଦୟ କରିଥିଲା ଏବଂ ପ୍ରଥମ ଥର ସର୍ବଭାରତୀୟ ଡିଜିଟାଲ୍ ବିପ୍ଳବ ଆଣିଥିଲା ଯାହା ଲୋକଙ୍କ ଜୀବନରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଥିଲା ଯାହା ପୂର୍ବରୁ ଅକଳ୍ପନୀୟ ଥିଲା । ଆଜିର ଦିନରେ ଜିଓ ହେଉଛି ଭାରତର ସର୍ବବୃହତ ଓ ଦୁନିଆର ଦ୍ୱିତୀୟ ବୃହତମ ଡିଜିଟାଲ୍ ସେବା କଂପାନି । ପ୍ରାୟ ୧୨୦ ନିୟୁତ ଜିଓ ବ୍ୟବହାରକାରୀ ହେଉଛନ୍ତି ମହିଳା ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନ ଏହାର ୧୦ମ ବର୍ଷପୂର୍ତ୍ତୀ ପାଳନ କରୁଛି ଏବଂ ବିଗତ ଦଶନ୍ଧୀରେ ଏହା ୩୬ ନିୟୁତ ଭାରତୀୟଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି । ଜିଓ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବେ ଭାରତରେ ଡବ୍ଲୁ-ଜିଡିପିର ଅଭିଯାନ ପ୍ରତି ଉଲ୍ଲେଖନୀୟ ଯୋଗଦାନ ଦେବେ ଯାହା ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବାରେ ସହାୟକ ହେବ ।