Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ
ଆଜିର ଖବର

ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

November 21, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ
ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

ପାଣାଜୀ: ଐତିହାସିକ ଭବ୍ୟ ପରେଡ୍‌ ବା କାର୍ଣ୍ଣିଭାଲ୍‌ ଆୟୋଜନ ସହ ଆଜି ଠାରୁ ଗୋଆରେ ଆରମ୍ଭ ହୋଇଛି 56ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)। ଗୋଆର ରାଜରାସ୍ତା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଚଳଚ୍ଚିତ୍ରର କାହାଣୀ ଉନ୍ମୋଚନର ମଞ୍ଚ ପାଲଟିଛି। ପ୍ରଥମ ଥର ପାଇଁ ପାରମ୍ପରିକ ଶୁଭାରମ୍ଭ ପରିବର୍ତ୍ତେ ଆଇଏଫଏଫଆଇ ଗୋଆର ଜନତାଙ୍କ ଗହଣରେ ଏବଂ ଏହାର ରାଜରାସ୍ତାରେ ଚିତ୍ତାକର୍ଷକ ଢଙ୍ଗରେ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଗୋଆ ଜନଜୀବନକୁ ସମ୍ପୂର୍ଣ୍ଣ ଜୀବନ୍ତ କରି ଦେଇଛି ।

ଆଜିର ଭବ୍ୟ ଉଦଘାଟନୀ ସମାରୋହରେ ଏକ ସାହସିକ ପରିକଳ୍ପନା ସହିତ ଆରମ୍ଭ ହୋଇଛି । ଆଇଏଫଏଫଆଇ 2025 ଗୋଆର ପାଣାଜୀ ସହରକୁ ଏକ ବଡ଼ ଏବଂ ଜୀବନ୍ତ କାନଭାସରେ ପରିଣତ କରି ଦେଇଥିଲା। ସହରରେ ଚଳଚ୍ଚିତ୍ର ଚମକ, ସାଂସ୍କୃତିକ ଗୌରବ ଏବଂ ଶାଶ୍ୱତ କାହାଣୀର କୁହୁକ ଦେଖିବାକୁ ମିଳିଛି। ଏଥିରେ କଳାକାର, ସୃଜନଶୀଳ ପ୍ରତିଭା, ସିନେମାପ୍ରେମୀଙ୍କ ଉତ୍ସାହ ଗୋଆର ସଡ଼କକୁ ମନୋରଞ୍ଜନର ଉତ୍ସାହରେ ଭରି ଦେଇଥିଲା। ଗୋଆ ସୃଜନଶୀଳତାର ଏକ କରିଡରରେ ପରିଣତ ହୋଇଛି। ମହୋତ୍ସବର ଇତିହାସରେ ଏହି ଉଦଘାଟନୀ ଉତ୍ସବ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି । ଆଇଏଫଏଫଆଇର ଚଳିତ ସଂସ୍କରଣ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ।

ମହୋତ୍ସବକୁ ଉଦଗାଟନ କରି ଗୋଆ ରାଜ୍ୟପାଳ ଶ୍ରୀ ପୁସାପତି ଅଶୋକ ଗଜପତି ରାଜୁ ଆଇଏଫଏଫଆଇର ବିଶ୍ୱସ୍ତରୀୟ ପ୍ରତିଷ୍ଠାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ମହୋତ୍ସବ ସୃଜନଶୀଳ ଆଦାନପ୍ରଦାନ, ନୂତନ ସହଯୋଗ ଏବଂ ସିନେମା ଉତ୍କର୍ଷର ଉତ୍ସବ ପାଇଁ ଏକ ଅର୍ଥପୂର୍ଣ୍ଣ ମଞ୍ଚ ପାଲଟିଛି। ଗୋଆର ଜାଗତିକ ଚରିତ୍ର, ସାଂସ୍କୃତିକ ସମୃଦ୍ଧି ଏବଂ ବିଶ୍ୱସ୍ତରୀୟ ସମ୍ପର୍କ  ସହିତ ଏଠାରେ ଚଳଚ୍ଚିତ୍ର ପ୍ରେମୀମାନେ ଏତେ ସଂଖ୍ୟାରେ ଏକତ୍ରିତ ହେବା ସ୍ୱାଭାବିକ।

ସେ ଜୋର ଦେଇ କହିଛନ୍ତି, ଆଇଏଫଏଫଆଇ ସର୍ବଦା ଏକ ପାରମ୍ପରିକ ଚଳଚ୍ଚିତ୍ର ମହୋତ୍ସବର ସୀମା ଅତିକ୍ରମ କରିଆସିଛି । ସାରା ବିଶ୍ୱର ଅଭିନବ ବିଚାର, କାହାଣୀ ଏବଂ ସୃଜନଶୀଳ ମସ୍ତିଷ୍କଙ୍କ ପାଇଁ ଏହା ଏକ ମିଳନ କ୍ଷେତ୍ର ଭାବରେ କାର୍ଯ୍ୟ କରିଥାଏ। ଏହି ମଞ୍ଚ ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସମର୍ଥନ କରିବା ସହିତ ସିନେମା ପ୍ରତିଭାକୁ ସମ୍ମାନିତ କରେ ଏବଂ ଚଳଚ୍ଚିତ୍ର ଓ ସୃଜନଶୀଳ ଶିଳ୍ପର ଏକ ବିଶ୍ୱ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ ​​କରିଥାଏ।

ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ତାଙ୍କ ଭାଷଣରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ଗନ୍ତବ୍ୟସ୍ଥଳ ଭାବରେ ଗୋଆର ପ୍ରଗତି ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଗୋଆ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ପ୍ରସ୍ତୁତ ରହିଛି ଏବଂ ଏହି କାରଣରୁ ଏହା ଆଇଏଫଏଫଆଇର ସ୍ଥାୟୀ ଆୟୋଜନ ସ୍ଥଳ ପାଲଟିଛି। ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଆକର୍ଷିତ କରେ, କିନ୍ତୁ ଆମର ଦୃଢ଼ ନୀତିଗତ ସଂସ୍କାର ସେମାନଙ୍କୁ ପୁନର୍ବାର ଫେରି ଆସିବାକୁ ବାଧ୍ୟ କରିଥାଏ । ସେ ଆହୁରି କହିଛନ୍ତି, ଆଇଏଫଏଫଆଇ 2025 ସୃଜନଶୀଳତା ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏହା ବିଶ୍ୱ ସୃଜନଶୀଳ ବିପ୍ଳବରେ ଭାରତର ନେତୃତ୍ୱକୁ ପ୍ରତିଫଳିତ କରୁଛି । ଆଇଏଫଏଫଆଇ ଭାରତୀୟ ପ୍ରତିଭାକୁ ବିଶ୍ୱ ସମ୍ଭାବନା ସହିତ ଯୋଡ଼ିଛି । ଆମର ସ୍ୱପ୍ନ ହେଉଛି ଗୋଆକୁ ଭାରତର ସୃଜନଶୀଳ କ୍ଷେତ୍ରର ରାଜଧାନୀ ରୂପେ ପ୍ରତିଷ୍ଠା କରିବା। ଗୋଆ ଆସି ନିଜର କାହାଣୀ କହିବା ଏବଂ ଚଳଚ୍ଚିତ୍ର ସୁଟିଂ କରିବାକୁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ଭାରତୀୟ ସିନେମାକୁ ଅଭୂତପୂର୍ବ ଅନ୍ତର୍ଜାତୀୟ ପ୍ରସିଦ୍ଧି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଶ୍ରେୟ ଦେଇଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତ ନିଜକୁ କାହାଣୀ ବର୍ଣ୍ଣନାର ଅଗ୍ରଣୀ ଶକ୍ତି ରୂପେ ପ୍ରତିଷ୍ଠିତ କରିପାରିଛି ।

ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଛନ୍ତି, ଆଇଏଫଏଫଆଇ ପ୍ରତ୍ୟେକ ସଂସ୍କରଣ ସହିତ ଉନ୍ନତ ହେବାରେ ଲାଗିଛି। ପାରମ୍ପରିକ ଭାବରେ, ଏହି ମହୋତ୍ସବ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆରମ୍ଭ ହେଉଥିଲା। ଚଳିତ ବର୍ଷ, ଏହା ଏକ ମହାନ ସାଂସ୍କୃତିକ କାର୍ନିଭାଲ୍ ଆୟୋଜନ ସହିତ ଏହାର ଶୁଭାରମ୍ଭ ହେଉଛି । ଏହା ଆମ ରାଜ୍ୟଗୁଡ଼ିକର ବିବିଧ ପରମ୍ପରାକୁ ପ୍ରଦର୍ଶିତ କରିଛି । ସେ ବିଷୟବସ୍ତୁ, ସୃଜନଶୀଳତା ଏବଂ ସଂସ୍କୃତି ଦ୍ୱାରା ପରିଚାଳିତ ଭାରତର ବର୍ଦ୍ଧିତ ଅରେଞ୍ଜ ଇକୋନୋମୀ ବା ମନୋରଞ୍ଜନ ଅର୍ଥବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସ୍ମରଣ କରିଥିଲେ। ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ) ଭଳି ପଦକ୍ଷେପ ଦେଶବ୍ୟାପୀ ଉଦୀୟମାନ ସୃଜନଶୀଳ ପ୍ରତିଭାକୁ ସଶକ୍ତ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଗୋଆକୁ ଆଇଏଫଏଫଆଇର ସ୍ଥାୟୀ ଆୟୋଜନ ସ୍ଥଳୀ ରୂପେ ପ୍ରତିଷ୍ଠା କରିବାରେ ସ୍ୱର୍ଗତଃ ଶ୍ରୀ ମନୋହର ପାରିକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କର ସ୍ମୃତିଚାରଣ କରିଥିଲେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଚଳିତ ସଂସ୍କରଣର ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଥମ ଥର ପାଇଁ ଆଇଏଫଏଫଆଇ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ମହାନ କାର୍ନିଭାଲ ସହିତ ଆରମ୍ଭ ହେଉଛି। ଏହି ସଂସ୍କରଣରେ ପ୍ରାୟ 80 ଟି ଦେଶର ପ୍ରତିନିଧିତ୍ୱ କରୁଥିବା ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେବ ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବବୃହତ ସଂଗ୍ରହ। ଏଥିରେ ଅନେକ ଅନ୍ତର୍ଜାତୀୟ ଏବଂ ବିଶ୍ୱସ୍ତରୀୟ ପ୍ରିମିୟର ପ୍ରଦର୍ଶନ କରାଯିବ । ସେ ଏଆଇ ଫିଲ୍ମ ହାକାଥନ୍ ଏବଂ ସର୍ବବୃହତ ୱେଭ୍ସ ଫିଲ୍ମ ବଜାର ଭଳି ନୂତନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଏସବୁ କାର୍ଯ୍ୟକ୍ରମ ଆଇଏଫଏଫଆଇକୁ ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ନବସୃଜନର ମହୋତ୍ସବ ରୂପେ ସ୍ଥାନିତ କରିବ ବୋଲି ସଚିବ କହିଥିଲେ ।

ବିଶିଷ୍ଟ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣଙ୍କୁ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର 50ଟି ଗୌରବମୟ ବର୍ଷ ଏବଂ ତେଲୁଗୁ ସିନେମାକୁ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।

ପରେଡରେ ଆନ୍ଧ୍ରପ୍ରଦେଶ, ହରିୟାଣା ଏବଂ ଗୋଆ ଭଳି ରାଜ୍ୟର ଅଭିନବ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ଆନ୍ଧ୍ରପ୍ରଦେଶର ପ୍ରଜ୍ଞାପନ ମେଢ଼ାରେ ବିଶାଖାପାଟଣାର ସ୍ୱର୍ଣ୍ଣିଭ ବେଳାଭୂମି, ଆରାକୁ ଉପତ୍ୟାକା ଏବଂ ଟଲିଉଡ଼ର ଚଳଚ୍ଚିତ୍ର ଦୁନିଆ ପ୍ରଦର୍ଶିତ ହୋଇଛି। ସେହିପରି ହରିୟାଣାର ପ୍ରଜ୍ଞାପନ ମେଢ଼ରେ ଲୋକକଳା, ମଞ୍ଚ, ସଂସ୍କୃତି ଏବଂ ଚଳଚ୍ଚିତ୍ର ଗୌରବ ପ୍ରଦର୍ଶିତ ହୋଇଛି। ଗୋଆ ମେଢ଼ରେ ମହୋତ୍ସବର ଦୀର୍ଘକାଳୀନ ଆୟୋଜନ, ଶୋଭାଯାତ୍ରା, ବିଶ୍ୱ ଚଳଚ୍ଚିତ୍ର ଦୁନିଆ ସହ ଏହାର ଚିରନ୍ତନ ସମ୍ପର୍କ ପ୍ରଦର୍ଶିତ ହୋଇଛି ।

ସେହିପରି ପରେଡରେ ବିଭିନ୍ନ ପ୍ରଯୋଜନା ସଂସ୍ଥାର ପ୍ରଜ୍ଞାପନ ମେଢ଼ ମଧ୍ୟ ଅଂଶଗ୍ରହଣ କରିଛି। ଅଖଣ୍ଡ 2, ରାମଚରଣଙ୍କ ପିଡ୍ଡି, ମୈତ୍ରୀ ମୁଭି ମେକର୍ସ, ଜି ଷ୍ଟୁଡିଓ, ହୋମ୍ବାଲ ଫିଲ୍ମସ୍‌, ଓଡ଼ିଆ ଐତିହ୍ୟ ଚଳଚ୍ଚିତ୍ର ବିନ୍ଦୁସାଗର ସ୍ଥାନିତ ହୋଇଛି। ସେହିପରି ଅଲଟ୍ରା ମିଡିଆ ଗୁରୁ ଦତ୍ତଙ୍କୁ ଜନ୍ମଶତବାର୍ଷିକୀର ଶ୍ରଦ୍ଧାଞ୍ଜଳି ଜଣାଇଛି। ଏନଏଫଡିସିର 50 ବର୍ଷ ପୂର୍ତ୍ତି ପ୍ରଜ୍ଞାପନ ମେଢ଼ ମଧ୍ୟ ସ୍ଥାନ ପାଇଛି । ଏହାବ୍ୟତୀତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ‘‘ଭାରତ ଏକ ସୁର୍‌’’ ମେଢ଼ ମଧ୍ୟ ସମସ୍ତଙ୍କ ମନ ମୋହି ନେଇଛି। ଏଥିରେ ଭାଙ୍ଗଡ଼ା ଠାରୁ ଆରମ୍ଭ ଗରବା, ଲାବଣୀଠୁ ଆରମ୍ଭ କରି ଘୁମର, ବିହୁ ଠାରୁ ଆରମ୍ଭ କରି ଛଉ ଏବଂ ନଟି ପର୍ଯ୍ୟନ୍ତ 16ଟି ରାଜ୍ୟର ଶତାଧିକ ଲୋକସଙ୍ଗୀତ ସ୍ଥାନ ପାଇଛି । ଶତାଧିକ କଳାକାର ଏସବୁ ଲୋକଗୀତ ଓ ସଙ୍ଗୀତ ପ୍ରଦର୍ଶିତ କରିଛନ୍ତି । ଚିତ୍ତାକର୍ଷକ ତ୍ରିରଙ୍ଗା ଆଲୋକମାଳା ଭାରତର ସାଂସ୍କୃତିକ ଐକ୍ୟକୁ ଉପସ୍ଥାପନ କରିଛି।

ଉଦଘାଟନୀ ସମାରୋହରେ କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ବିଶିଷ୍ଟ ଅଭିନେତା ଅନୁପମ ଖେର, ମହୋତ୍ସବର ନିର୍ଦ୍ଦେଶକ ଶେଖର କପୁରଙ୍କ ସମେତ ବହୁ ଚଳଚ୍ଚିତ୍ର ନିର୍ମାତା, ସ୍ରଷ୍ଟା, ବିଶ୍ୱ ଶିଳ୍ପପତି ଏବଂ ସିନେମାପ୍ରେମୀ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ 1952 ମସିହାରୁ ଆୟୋଜିତ ହୋଇ ଆସୁଥିବା ଆଇଏଫଏଫଆଇ ଦକ୍ଷିଣ ଏସିଆର ସବୁଠୁ ପୁରୁଣା ଏବଂ ବଡ଼ ଚଳଚ୍ଚିତ୍ର ମହୋତ୍ସବ। ଏହାକୁ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି), ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୋଆ ସରକାରଙ୍କ ଗୋଆ ମନୋରଞ୍ଜନ ସୋସାଇଟି ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା, ସାଂସ୍କୃତିକ ପ୍ରଦର୍ଶନୀ, ଆଲୋଚନାଚକ୍ର, ଶ୍ରଦ୍ଧାଞ୍ଜଳି, ୱେଭ୍ସ ଚଳଚ୍ଚିତ୍ର ବଜାର, ଚଳଚ୍ଚିତ୍ର ପ୍ରିମିୟର ଆଦି ସିନେମା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।

ଆଇଏଫଏଫଆଇ ଐତିହାସିକ ପରେଡ୍‌ ଗୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର କେନ୍ଦୁପତ୍ର କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ

November 21, 2025

ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ: କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟ

November 21, 2025

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ

November 21, 2025

ବାର୍ଷିକ ଏଚଏସସି ପରୀକ୍ଷାର ଫର୍ମ ପୂରଣର ଅବଧି ବୃଦ୍ଧି

November 21, 2025
Latest News

ରାଜ୍ୟର କେନ୍ଦୁପତ୍ର କର୍ମଚାରୀଙ୍କ ସମ୍ମାନିତ ଜୀବିକାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ ପ୍ୟାକେଜ୍ ପ୍ରଦାନ

November 21, 2025

ଖାଦ୍ୟଶସ୍ୟ ଉତ୍ପାଦନରେ ଭାଙ୍ଗିଲା ସମସ୍ତ ରେକର୍ଡ: କୃଷି କ୍ଷେତ୍ରର ସଫଳତାର ନୂତନ ଅଧ୍ୟାୟ

November 21, 2025

ଐତିହାସିକ ପରେଡ୍‌ ସହ ଗୋଆରେ ଆରମ୍ଭ ହେଲା ଆଇଏଫଏଫଆଇର 56ତମ ସଂସ୍କରଣ

November 21, 2025

ନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ୟ

November 21, 2025

ବାର୍ଷିକ ଏଚଏସସି ପରୀକ୍ଷାର ଫର୍ମ ପୂରଣର ଅବଧି ବୃଦ୍ଧି

November 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.