ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ହୋଟେଲ ଆର୍ଯ୍ୟନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନ୍, ଚିରସବୁଜ ଉତ୍ପାଦକ କମ୍ପାନୀ ଓ ହୋଟେଲ ଆର୍ଯ୍ୟନା ମଧ୍ୟରେ ଶ୍ରୀ ଅନ୍ନ ଅଭିଯାନ (ମିଲେଟ୍ ମିଶନ) ପ୍ରକଳ୍ପର ଆଞ୍ଚଳିକ ସଂଯୋଜକ ଓ ଜିଲ୍ଲା ସହ-ସଂଯୋଜକଙ୍କ ଉପସ୍ଥିତିରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇ ଯାଇଛି।
ଏହି ଚୁକ୍ତି ଅନୁଯାୟୀ, ଚିରସବୁଜ ସ୍ଥାନୀୟ ମିଲେଟ୍ ଚାଷୀଙ୍କଠାରୁ ମାଣ୍ଡିଆ, ବାଜରା,ଜହ୍ନା,କାଂଗୁ,କୋଦ ଆଦି ସିଧାସଳଖ ସଂଗ୍ରହ କରି ହୋଟେଲ ଆର୍ଯ୍ୟନାକୁ ସୁଲଭ ମୂଲ୍ୟରେ ଓ ନିର୍ଦ୍ଧାରିତ ସମୟରେ ଯୋଗାଇ ଦେବ। ହୋଟେଲ ପକ୍ଷରୁ ମେନୁରେ ମିଲେଟ୍-ଭିତ୍ତିକ ବିଭିନ୍ନ ରେସିପି ଯଥା ମାଣ୍ଡିଆ କ୍ଷୀରି, ବାଜରା ରୁଟି, କାଙ୍ଗୁ ଖିରି ଆଦି ସ୍ଥାୟୀ ଭାବେ ସାମିଲ କରାଯିବ।
ମହାଶକ୍ତି ଫାଉଣ୍ଡେସନ୍ ପୁରା ପ୍ରକଳ୍ପର ତଦାରଖ, ଶେଫ୍ଙ୍କୁ ପ୍ରଶିକ୍ଷଣ ଓ ପ୍ରଚାର କାର୍ଯ୍ୟ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପର ମହାଶକ୍ତି ଫାଉଣ୍ଡେସନ ବ୍ଲକ୍ ପ୍ରକଳ୍ପ ସଂଯୋଜକ ଆକାଶ ସାହୁ ,ଚିରସବୁଜ ଉତ୍ପାଦକ କମ୍ପାନୀର ସିଇଓ ଆଶୁତୋଷ ଦ୍ବିବେଦୀ, ଆରିୟାନା ରେଷ୍ଟୁରାଣ୍ଟର ସତ୍ତ୍ୱାଧିକାରୀ
ସୌମ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ।
ଆଞ୍ଚଳିକ ସଂଯୋଜକ ନାୟକ ଏହା ରେଢ଼ାଖୋଲକୁ ମିଲେଟ୍ ହବ୍ ଓ ଚାଷୀଙ୍କ ଆୟ ବହୁଗୁଣିତ କରିବ ବୋଲି ମତ ବ୍ୟକ୍ତ କରିଥିବା ବେଳେ ଜିଲ୍ଲା ସହ ସଂଯୋଜକ ନୀରୋଦ ମେହେର ସମ୍ବଲପୁର ଜିଲ୍ଲାରେ ଏହା ଏକ ଆଦର୍ଶ ମଡେଲ ହେବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମିଲେଟ୍-ଭିତ୍ତିକ ବିଭିନ୍ନ ସୁସ୍ୱାଦୁ ପଦାର୍ଥ ପରିବେଷଣ କରାଯାଇ ଅତିଥିମାନେ ଉପଭୋଗ କରିଥିଲେ। ଏହି ଚୁକ୍ତି ପ୍ରକଳ୍ପ ସରିଲା ପରେ ମଧ୍ୟ ମିଲେଟ୍ର ଚାହିଦା ଓ ସ୍ଥାୟୀତ୍ୱ ବଜାୟ ରହିବ ବୋଲି ଆୟୋଜକମାନେ ଦାବି କରିଛନ୍ତି।


