ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଅଲୁରି ସୀତାରାମ ରାଜୁ (ଏଏସଆର) ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଚିତ୍ତୁର-ମରଡୁମଲ୍ଲୀ ଘାଟ ରାସ୍ତାରେ ଏକ ଘରୋଇ ଟ୍ରାଭେଲ୍ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଖାଇରେ ପଡ଼ିଛି। ଘଟଣାସ୍ଥଳରେ ଦଶ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ବସ୍ ଟି ୩୭ ଜଣ ଯାତ୍ରୀଙ୍କୁ ନେଇ ତେଲେଙ୍ଗାନାର ଭଦ୍ରାଚଳମ୍ ରୁ ଅନ୍ନଭରମ୍ ଯାତ୍ରା କରୁଥିଲା।
ପ୍ରାଥମିକ ରିପୋର୍ଟ ଅନୁସାରେ, ଚିତ୍ତୁର-ମରଡୁମଲ୍ଲୀ ଗିରି ରାସ୍ତାର ଏକ ମୋଡ଼ରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ବସ୍ ଟି ଗଭୀର ଖାଇରେ ଖସି ପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅନେକ ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ସେବା ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଷ୍ଟ୍ରେଚର ଏବଂ ରଶି ସାହାଯ୍ୟରେ ଘାଟିରୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା। ପ୍ରଶାସନ ମୃତକଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ସୂଚନା ଦେଉଛି।


