ଭୁବନେଶ୍ଵର: ଅଦରକାରୀ ନଡ଼ିଆ ଖୋଳପା ବା ସଢେଇରୁ ତିଆରି ହେଉଛି ଭଳିକି ଭଳି ଘରକରଣା ସାମଗ୍ରୀ। କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଗ୍ରାମର ସୁମନ ସେଠୀ ଏହି ସଢେଇକୁ ବ୍ୟବହାର କରି ବଭିନ୍ନ ସୌଖୀନ ଜିନିଷ ପ୍ରସ୍ତୁତ କରୁଛନ୍ତି। ସୁମନ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ ବି ନିଶା ତାଙ୍କର ସଢେଇ କଳା। ବିନା ତାଲିମରେ ସେ ହରିଣ, ବାଘ, କୁକୁର, ବିଲେଇ, ଫଳନ୍ତି ନଡିଆ ଗଛ, ଫୁଲଦାନୀ, ଗୁଣ୍ଡୁଚିମୁଷା ଓ ଚତୁର୍ଦ୍ଧା ମୂର୍ତ୍ତି ଆଦି କଳାକୃତି ଗଢ଼ୁଛନ୍ତି। ଏସବୁ କଳାକୃତୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ନିଆରା। ନିଜସ୍ବ ଅଧ୍ୟବସାୟ ବଳରେ ସେ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ।
ପୂଜାରେ ଲାଗି ହେବା ପରେ ସଢେଇକୁ ଲୋକମାନେ ଫୋପାଡି ଦେଉଥିବା ବେଳେ ତାହାକୁ ସଂଗ୍ରହ କରି ବିଭିନ୍ନ ପ୍ରକାର ଘରକରଣା ଓ ସୌଖିନ ସାମଗ୍ରୀ ନିର୍ମାଣ କରୁଥାନ୍ତି ସୁମନ। ପ୍ରଥମେ ସଢେଇ ସଂଗ୍ରହ କରି ତାହାକୁ ନିଜ ହାତ ତିଆରି ମେସିନରେ ସେ ପଲିସ କରନ୍ତି। ପରେ ତାହାକୁ ଯତ୍ନର ସହ କାଟି ବିଭିନ୍ନ କଳାକୃତୀର ରୂପ ଦେଇଥାନ୍ତି। ଏଥିରେ ସେ କଂଚାମାଲ ଭାବେ ପଲିସ କରାଯାଇଥିବା ଓ କଟା ହୋଇଥିବା ସଢେଇର ଅଂଶବିଶେଷ ସହିତ ସ୍ବତନ୍ତ୍ର ଅଠା ବ୍ୟବହାର କରିଥା’ନ୍ତି। ପରେ ଏହାକୁ ଶୁଖାଇ ପରିବେଶ ଅନୁକୁଳ ରଂଗ ଲଗାଇ ଶେଷ ସ୍ପର୍ଶ ଦେଇଥାନ୍ତି। ଏହି କାର୍ଯ୍ୟରେ ସୁମନଙ୍କ ପରିବାର ତାଙ୍କୁ ସାହାଯ୍ୟ କରିଥାନ୍ତି।
ସୁମନଙ୍କ ପ୍ରଚେଷ୍ଟାକୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି। ଉପଯୁକ୍ତ ତାଲିମ ଓ ଆର୍ଥିକ ସହାଯୋଗ ମିଳିଲେ ଏହି କଳା ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପହଞ୍ଚି ପାରିବ ବୋଲି ସେମାନେ ମତ ପୋଷଣ କରିଛନ୍ତି। ସହଯୋଗ ମିଳିଲେ ସେ ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟ ଯୁବକଯୁବତୀଙ୍କୁ ରୋଜଗାର ପନ୍ଥା ଯୋଗାଇ ପାରିବେ ବୋଲି କହିଛନ୍ତି।


