ଭୁବନେଶ୍ଵର: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ମ୍ୟୁଜିକ୍ ଭିଡ଼ିଓର ଚାହିଦା ଢେର ବେଶୀ ଥିବାରୁ, ମ୍ୟୁଜିକ୍ ଭିଡ଼ିଓ ନିର୍ଦ୍ଦେଶକ ବାବୁ ବାବୁ ୨୦୨୬ ନୂଆ ବର୍ଷ ଉପଲକ୍ଷେ ପନ୍ଦରଟି ମ୍ୟୁଜିକ୍ ଭିଡିଓ ନିର୍ଦ୍ଦେଶନା ଦେଇ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ସେହି ଅବସରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ନିର୍ଦ୍ଦେଶକ ବାବୁ ବାବୁଙ୍କର ନିର୍ଦ୍ଦେଶିତ ପନ୍ଦର ଗୀତଟି ରିଲିଜ୍ ହୋଇଛି।
ଏହି ରିଲିଜ୍ ଉତ୍ସବରେ ସଙ୍ଗୀତ ଦୁନିଆର ବରିଷ୍ଠ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଳିତ, ଡଃ ସଂଳାପ ଲେଖକ ରଜନୀ ରଞ୍ଜନ, ଆଲବମ ଦୁନିଆର ବାଦଶାହ ବରିଷ୍ଠ ଅଭିନେତା ବବି ମିଶ୍ର, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଜଲି ସ୍ୱାଇଁ, ଅଭିନେତା କୈଳାଶ ମହାପାତ୍ର, ପ୍ରଯୋଜକ ରାଘବ ସ୍ୱାଇଁ, ଅନ୍ୟାନ୍ୟ ପ୍ରଯୋଜକଙ୍କ ସମେତ ନିର୍ଦ୍ଦେଶକ ବାବୁ ବାବୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପିକା ଗୁଡ୍ଡୀ ସଂଯୋଜନା କାରିଥିଲେ।
ତେବେ, ଏବେ ଚଳଚ୍ଚିତ୍ର ଗୀତ ଅପେକ୍ଷା ଶ୍ରୋତା ତଥା ଦର୍ଶକ ମ୍ୟୁଜିକ୍ ଭିଡ଼ିଓ ପ୍ରତି ଅଧିକ ଆକୃଷ୍ଟ ହେଉଥିବାରୁ ଏବେ ଯଥେଷ୍ଟ ବ୍ୟୟରେ ପ୍ରଯୋଜକମାନେ ମ୍ୟୁଜିକ୍ ଭିଡିଓ ନିର୍ମାଣ କରୁଛନ୍ତି। ନିର୍ଦ୍ଦେଶକ ବାବୁ ବାବୁ ଗତ ବର୍ଷ ଗୋଟିଏ ଦିନରେ ଦଶଟି ମ୍ୟୁଜିକ୍ ଭିଡ଼ିଓ ରିଲିଜ୍ କରି ରେକର୍ଡ ସୃଷ୍ଟି କରିଥିଲେ। ତେବେ ଏବେ ପନ୍ଦରଟି ଗୀତ ଏକା ସାଙ୍ଗରେ ରିଲିଜ୍ କରି ପୁଣି ରେକର୍ଡ ସୃଷ୍ଟି କରିଛନ୍ତି। ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ଅନେକ ନବାଗତ ନାୟକ, ନାୟିକାଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ତଥା ଟେଲିଭିଜନ ଦୁନିଆର ଅନେକ ନାମୀ କଳାକାର ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି।
ସେହିପରି ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ମଧ୍ୟ ସୃଷ୍ଟି ହେବା ସହିତ ନାମୀ କଳାକାର ମଧ୍ୟ ରୋଜଗାର ପାଇଛନ୍ତି। ବାବୁ ବାବୁ ଜଣେ ସ୍ନେହୀ ନିର୍ଦ୍ଦେଶକ ହୋଇଥିବାରୁ ସମସ୍ତ ଟେକ୍ନିସିଆନ୍ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ ଥାଆନ୍ତି। ବାବୁ ବାବୁଙ୍କ ସଚ୍ଚୋଟ ପଣିଆ ଏବଂ କାର୍ଯ୍ୟଶୈଳୀ ପାଇଁ ଅନେକ ନୂଆ, ପୁରୁଣା ପ୍ରଯୋଜକମାନେ ତାଙ୍କ ଉପରେ ବହୁତ ଭରସା କରିଥାନ୍ତି। ଏଯାବତ ଦୁଇ ଶହରୁ ଅଧିକ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇ ଓଡିଶାବାସୀଙ୍କୁ ପ୍ରିୟ ହୋଇପାରିଛନ୍ତି। ମୁଁ ଭଲରେ ନାହିଁ ରେ କାଳିଆ, ଥରୁଟେ କହିଦେ ଖାଲି, ତୋ ପ୍ରେମ ମୋ ପାଇଁ ଜରୁରୀ ହେଉ, ଗୋଟେ କପ କଫି, ଆଖି ପଲକେ ମୋ ତୁ, ତୋ ଭଲ ପାଇବା ମୋର ଦରକାର, କଜଳ, ମୋ ହୃଦୟ ତତେ ଜଗିଲା, ଟୁକେଲ ତୁଇ ଆମ ସମ୍ବଲପୁରର, ପ୍ରେମ ଋତୁ ଆସିଗଲା, ମିଛି ମିଛିକା ପ୍ରେମ ଭର୍ଜନ ୩, ଟିକେ ତୁ ଆଉ ଟିକେ ପ୍ରେମ ତୋର ଏବଂ ଗୁଡ଼ ମଠିଆ ଭଳି ପନ୍ଦର ଟି ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି।
ଓଡ଼ିଆ ଦର୍ଶକଙ୍କ ଭଲ ପାଇବା ଥିଲେ ନିର୍ଦ୍ଦେଶକ ବାବୁ ବାବୁ ବର୍ଷ ସାରା ଏମିତି ଗୋଟିଏ ପରେ ଗୋଟିଏ ହିଟ୍ ମ୍ୟୁଜିକ୍ ଭିଡ଼ିଓ ଦେଇଚାଲିବେ ବୋଲି ପ୍ରକାଶ କରିଛନ୍ତି।


