ପୁରୀ: ୨୦୨୬ ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ସକାଳୁ ବହୁସଂଖ୍ୟାରେ ଭକ୍ତ ଧାଡିବାନ୍ଧି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାତି ଗୋଟାଏ ୪୫ ମିନିଟ୍ରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ନୀତିକାନ୍ତି ଶେଷହେବା ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ସମୁଦ୍ର କୂଳରେ ଆଜି ପ୍ରଥମ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁରୀ ସହରରେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହାବ୍ୟତୀତ ସମୁଦ୍ର କୂଳରେ ଲାଇଫଗାର୍ଡ ଦଳକୁ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ କହିଛନ୍ତି।


