ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ସେ କହିଛନ୍ତି ଯେ, ୧୧ ପୃଷ୍ଠାର ଚିଠା ମାର୍ଗଦର୍ଶିକାକୁ ପରିଚାଳନା କମିଟି ଅନୁମୋଦନ ଦେଇଛନ୍ତି। ସରକାରଙ୍କ ଅନୁମୋଦନ ପରେ ଚୂଡାନ୍ତ ଏସଓପି ଆସିବ। ଭକ୍ତଙ୍କ ଦର୍ଶନ ଯେଭଳି ପ୍ରଭାବିତ ହେବ ନାହିଁ ସେଥିପାଇଁ ଗଣତି ମଣତି ସମୟରେ ବାହାର କାଠ ପାଖରୁ ଭକ୍ତଙ୍କ ଦର୍ଶନ ହେବ। ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି। ପରାମର୍ଶ ଓ ଶୁଭ ବେଳା ଦେଖି ରତ୍ନ ପଲଙ୍କ ବ୍ୟବହୃତ ହେବ।
ସେହିପରି ଭକ୍ତ ନିବାସ ପାଇଁ ପାର୍କିଂ ଫିରେ ପରିବର୍ତ୍ତନ ହୋଇଛି। ସିଂହଦ୍ଵାର ଗୁମୁଟରେ ଥିବା ଦଶାବତାର ମୂର୍ତ୍ତି ବାହାରିବା ଘଟଣାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡାଯିବ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


