ଭୁବନେଶ୍ଵର: ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆରଡିସି ସ୍ତରୀୟ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ୨୦୨୭ ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ଜନିତ ଅନ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ରେଞ୍ଜ ଅନ୍ତର୍ଗତ ୧୦ଟି ଜିଲ୍ଲାର ଜିଲ୍ଲାପାଳ, ପୌର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।


