ପାରାଦୀପ: ଉପକୂଳ ସୁରକ୍ଷା, ପରିବେଶ ସଚେତନତା ଓ ଜାତୀୟ ଏକତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ସିଆଇଏସଏଫ୍ ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ–୨୦୨୬କୁ ଫେବ୍ରୁଆରୀ ୧ ତାରିଖ ପାରାଦୀପଠାରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ୨୬ ଦିନିଆ ଜାତୀୟ ସାଇକ୍ଲୋଥନ ୨୨ ଫେବ୍ରୁଆରୀରେ ସମାପ୍ତ ହେବ।
ପଶ୍ଚିମବଙ୍ଗର ବଖାଲି ବେଳାଭୂମିରେ ଏହି ସାଇକ୍ଲୋଥନର ପୂର୍ବତଟ ପର୍ଯ୍ୟାୟକୁ ଉଦଘାଟନ କରାଯିବା ସହ ଏଥିରେ ୬୫ ଜଣ ସାଇକେଲ ଚାଳକ ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ଅର୍ଦ୍ଧେକ ମହିଳା ଅଛନ୍ତି। ଏହି ସାଇକ୍ଲୋଥନ୍ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର୍ରଦେଶ, ତାମିଲନାଡୁ ଦେଇ ଶେଷରେ କେରଳର କୋଚିରେ ପହଞ୍ଚିବ। ଦକ୍ଷିଣକୁ ଏହାର ଯାତ୍ରା ମଧ୍ୟରେ ଏହାକୁ ସ୍ଥାନୀୟ ଜନତା, ଅଧିକାରୀ ଓ ସୁରକ୍ଷା ଏଜେନ୍ସିମାନଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଚାଲିଛି।
ପାରାଦୀପରେ ନିଜର ରହଣି କାଳରେ ସାଇକେଲ ଚାଳକମାନେ ସ୍ଥାନୀୟ ଲୋକ, ମତ୍ସ୍ୟଜୀବୀ, ଯୁବପିଢି ଓ ଶିଳ୍ପ ପ୍ରତିନିଧିମାନଙ୍କୁ ଭେଟିଥିଲେ ଓ ଉପକୂଳ ସତର୍କତା, ଜାତୀୟ ସୁରକ୍ଷା, ଫିଟନେସ, ଶୃଙ୍ଖଳା ଓ ସ୍ବାସ୍ଥ୍ୟକର ଜୀବନଯାପନ ଉପରେ ଆଲୋଚନା କରିଥିଲେ।
ଫେବ୍ରୁଆରୀ ୨ରେ କୋଣାର୍କ ଅଭିମୁଖେ ଯାତ୍ରାରମ୍ଭ କରିବା ପୂର୍ବରୁ ପୂର୍ବତଟ ଦଳକୁ ପାରାଦୀପରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ପି.ଏଲ.ହରନାଥ ଯୋଗଦେଇ ଆଗାମୀ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଭାରତୀୟ ତଟରକ୍ଷୀ ବାହିନୀର ଡିଆଇଜି ସଂଜୟ ନେଗି, ପାରାଦୀପ ଫସଫେଟର ୟୁନିଟ୍ ମୁଖ୍ୟ ପାଲାନିସାମି ଭେଲୁସ୍ବାମୀ ଉପସ୍ଥିତ ଥିଲେ।
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରମଜ୍ୟୋତି କଳା କ୍ଷେତ୍ର ପକ୍ଷରୁ ଓଡ଼ିଶା ନୃତ୍ୟ, ସିଆଇଏସଏଫ କର୍ମଚାରୀମାନଙ୍କ ସନ୍ତାନମାନଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ଓ ସ୍କୁଲ ପିଲାଙ୍କ ଦ୍ବାରା ବନ୍ଦେ ମାତରମ୍ ଗାନ କରାଯାଇଥିଲା। ସାଇକେଲ ଚାଳକ ଦଳ ଓ ତାଙ୍କ ମିସନକୁ ଉତ୍ସାହିତ କରିବାକୁ ସମବେତ ହୋଇଥିବା ପାରାଦୀପ ସହର ଓ ଷଣ୍ଢକୁଦ ଗାଁର ଲୋକମାନଙ୍କୁ ଏସବୁ କାର୍ଯ୍ୟକ୍ରମ ଆମୋଦିତ କରିଥିଲା।
ଲୋକମାନଙ୍କୁ ସମ୍ବୋଧନ କରି ଉପସ୍ଥିତ ଅତିଥିମାନେ ଉପକୂଳ ଗ୍ରାମଗୁଡ଼ିକର ଗୁରୁତ୍ବ, ପରିବେଶ ସୁରକ୍ଷା ଓ ଜାତୀୟ ନିରାପତ୍ତାକୁ ସୁଦୃଢ କରିବାରେ ଲୋକମାନଙ୍କ ସକ୍ରିୟ ସହଯୋଗ ଗୁରୁତ୍ବଆରୋପ କରିଥିଲେ। ଏହି ଅବସରରେ ପାରାଦୀପ ବନ୍ଦରର ସିଆଇଏସଏଫ୍ ୟୁନିଟର କମାଣ୍ଡାଣ୍ଟ ସନତ କୁମାର ପଟେଲ, ଯିଏକି ନିଜେ ଜଣେ ମାରାଥନ ଧାବକ, ତାଙ୍କର ସଫଳତା, ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ଲାଗି ବନ୍ଦରର ଅଧ୍ୟକ୍ଷ ହରନାଧ୍ ସମ୍ବର୍ଦ୍ଧିତ କରିଥିଲେ।
ସିଆଇଏସଏଫ ଉପକୂଳ ସାଇକ୍ଲୋଥନକୁ ଜାନୁଆରୀ ୨୮, ୨୦୨୬ରେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ନୂଆଦିଲ୍ଲୀଠାରେ ଉଦଘାଟନ କରିଥିଲେ। ଏହା ମାଧ୍ୟମରେ ଦୁଇଟି ଦଳ ପୂର୍ବତଟ ଓ ପଶ୍ଚିମତଟରେ ଏକା ସମୟରେ ଯାତ୍ରା କରିବେ। ଏହା ଯାତ୍ରା ୧୧ଟି ଉପକୂଳବର୍ତ୍ତି ରାଜ୍ୟଦେଇ ଅତିକ୍ରମ କରିବ ଓ ନିଜର ଯାତ୍ରା ପଥରେ ପଡ଼ୁଥିବା ପ୍ରମୁଖ ବନ୍ଦର, ଶିଳ୍ପକେନ୍ଦ୍ର, ରଣନୈତିକ ସାମୁଦ୍ରିକ ପ୍ରତିଷ୍ଠାନଗୁଡ଼ିକୁ ସ୍ପର୍ଶ କରିବ। ଏହି ଯାତ୍ରାରେ ଉଭୟ ବ୍ୟକ୍ତିଗତ ଭାବେ ଓ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବାକୁ ସାଧାରଣ ଲୋକମାଙ୍କୁ ଆମନ୍ତ୍ରଣ କରାଯାଉଛି। ଏ ନେଇ ସର୍ବଶେଷ ତଥ୍ୟ www.cisfcyclothon.comରେ ମିଳପାରିବ।
ଏହି ଯାତ୍ରା ଓଡ଼ିଶା ଦେଇ ଦକ୍ଷିଣକୁ ଅଗ୍ରସର ହେଉଥିବାବେଳେ ଏହାର ବାର୍ତ୍ତା- ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ’ ଦୃଢ ଭାବରେ ପ୍ରମାଣିତ ହେଉଛି। ଏହି ସାଇକ୍ଲୋଥନ୍ ଏକତା, ସହନଶୀଳତା ଓ ଜାତୀୟ ଗୌରବର ଏକ ପ୍ରତୀକ ହେବା ସହ ଏହି ବାର୍ତ୍ତା ଦେଉଛି ଯେ ଭାରତର ଉପକୂଳ ଓ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ମିଳିତ ଦାୟିତ୍ବ।


