ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପକୁ ସମୂଳେ ନିପାତ କରିବା ଦିଗରେ ଓଡ଼ିଶା ପୋଲିସ ଦୃଢ଼ ସଙ୍କଳ୍ପବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମାଓ ବିରୋଧୀ ଅପରେସନକୁ ଅଧିକ ଜୋରଦାର ଓ ପ୍ରଭାବଶାଳୀ କରାଯାଉଛି।
ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛୁକ ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତି ଲାଗୁ କରିଛନ୍ତି। ଏହି ନୀତି ଅନୁଯାୟୀ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସରକାରୀ ସୁବିଧା, ସୁରକ୍ଷା ଏବଂ ସମ୍ମାନଜନକ ଭବିଷ୍ୟତର ସୁଯୋଗ ମିଳୁଛି। ତେଣୁ ହିଂସାର ରାସ୍ତା ପରିତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଆହ୍ଵାନ ଦେଇଛନ୍ତି ।
ଏହି କ୍ରମରେ ଆଜି ରାୟଗଡ଼ା ଜିଲ୍ଲା ପୋଲିସ ସମ୍ମୁଖରେ ୧୫ଜଣ ଓ କନ୍ଧମାଳ ଜିଲ୍ଲା ପୋଲିସ ସମ୍ମୁଖରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରାୟଗଡ଼ା ଜିଲ୍ଲା:
ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (BGN) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ସେଥି ମଧ୍ୟରେ ୨ ଜଣ ରାଜ୍ୟ କମିଟି ସଦସ୍ୟ ନିଖିଲ @ ନିରଞ୍ଜନ ରାଉତ (ଜଗତସିଂହପୁର) ଓ ଅଙ୍କିତା @ ରଶ୍ମୀତା ଲେଙ୍କା (ଟାଙ୍ଗୀ, କଟକ) ଆତ୍ମସମର୍ପଣ କରିଛନ୍ତି । ଉଭୟଙ୍କ ନାମରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ଥିଲା।
ଏହା ସହିତ BGN ଡିଭିଜନର ଆଉ ୧୩ ଜଣ କ୍ୟାଡର ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ମୋଟ ୧୪ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। AK-47 – ୨ଟି,SLR – ୫ଟି,Sten – ୧ଟି, INSAS – ୧ଟି, .୩୦୩ ରାଇଫଲ – ୧ଟି ଏବଂ Single Shot ଗନ୍ – ୪ଟି ଜବତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ନିଖିଲ @ ନିରଞ୍ଜନ ରାଉତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାୟଗଡ଼ା–ଗଜପତି–କନ୍ଧମାଳ ଅଞ୍ଚଳରେ ସକ୍ରିୟ ଥିଲେ।
କନ୍ଧମାଳ ଜିଲ୍ଲା :
ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ସମ୍ମୁଖରେ କଳାହାଣ୍ଡି- କନ୍ଧମାଳ-ବୌଦ୍ଧ-ନୟାଗଡ଼ (KKBN) ଡିଭିଜନର Party Member (PM) ପଦରେ ଅବସ୍ଥାପିତ ଥିବା ୪ ଜଣ ମାଓ କ୍ୟାଡର ହିଂସାର ପଥ ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ସମୟରେ ସେମାନେ ଅସ୍ତ୍ର, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ନିକଟରେ ଜିମା ଦେଇଛନ୍ତି।
ଆତ୍ମସମର୍ପଣ କରିଥିବା (KKBN ଡିଭିଜନ)ର Party Member (PM) ମାନେ ହେଲେ—
୧. ଗଙ୍ଗା କୁଞ୍ଜାମି @ ଜିତେନ,୨. ମୁଚାକି ମାସେ @ ସୁମିତ୍ରା, ୩. ଚୋମାଲି କୁଞ୍ଜମ୍ @ ଶାନ୍ତିଲା,୪. ବନ୍ଦୀ ମାଡ଼ଭି @ ମାଳତୀ।
ସେମାନଙ୍କ ନିକଟରୁ SLR – ୧ଟି, ୧୨ Bore Gun-୧ଟି, .୩୦୩ ରାଇଫଲ – ୨ଟି ସମେତ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି । ସେମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା।
ବିଗତ କିଛି ଦିନ ଧରି ବିଭିନ୍ନ ଜିଲ୍ଲାରେ ଚାଲିଥିବା ଅପରେସନ ମାଧ୍ୟମରେ ମାଓବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଛି। ବରିଷ୍ଠ କ୍ୟାଡର ମାଓବାଦୀଙ୍କ ଗିରଫ ଓ ଆତ୍ମସମର୍ପଣ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ବୋଲି ସେ କହିଥିଲେ।
ମାଓବାଦୀ ମୁକ୍ତ ଓଡ଼ିଶା ଗଠନ କରିବା ଦିଗରେ ଓଡ଼ିଶା ପୋଲିସର ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


