ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ୍ ଅନ୍ତର୍ଗତ ସିମିଳିପାଳ ଅଞ୍ଚଳର ଗୁଡୁଗୁଡିଆ, ବରସିଆ ଓ ଅସ୍ତକୁଅଁର ଗ୍ରାମରେ ଭାରତ ସଞ୍ଚାର ନିଗମ୍ ଲିମିଟେଡ୍ (ବିଏସଏନଏଲ) ପକ୍ଷରୁ ଫୋର୍-ଜି ମୋବାଇଲ୍ ସେବାର ଉଦ୍ଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ଏହି ଉତ୍ସବରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଓ ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ଫୋର୍-ଜି ମୋବାଇଲ୍ ଟାୱାରଗୁଡ଼ିକ ଭାରତ ସରକାରଙ୍କ ଡିଜିଟାଲ୍ ଭାରତ ନିଧି (ଡିବିଏନ) ଅଧୀନରେ ଚାଲିଥିବା ଫୋର୍-ଜି ସାଚୁରେସନ୍ ପ୍ରକଳ୍ପ ଅନ୍ତର୍ଗତ ସ୍ଥାପିତ ହୋଇଛି, ଯାହାର ଲକ୍ଷ୍ୟ ଦେଶର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳକୁ ହାଇସ୍ପିଡ୍ ମୋବାଇଲ୍ ସଂଯୋଗ ପ୍ରଦାନ କରି ଡିଜିଟାଲ୍ ତାରତମ୍ୟକୁ କମେଇବା।
ଓଡ଼ିଶା ରାଜ୍ୟରେ ବିଏସଏନଏଲ ପକ୍ଷରୁ ଡିବିଏନ ଅର୍ଥାୟନରେ ମୋଟ ୧୬୬୪ଟି ନୂତନ ଟାୱର ଏବଂ ୨୫୬ଟି ବିଟିଏସ ଉନ୍ନତିକରଣ କାର୍ଯ୍ୟ ରୂପାୟନ ହେଉଛି। ମୟୂରଭଞ୍ଜ ଜିଲ୍ଲାରେ ମୋଟ ୭୮ଟି ନୂତନ ଫୋର୍-ଜି ଟାୱର ସ୍ଥାପନର ଯୋଜନା ରହିଥିବାବେଳେ, ଏପର୍ଯ୍ୟନ୍ତ ୬୫ଟି ବିଟିଏସ କାର୍ଯ୍ୟକ୍ଷମ ହୋଇ ୧୩୧ଟି ପୂର୍ବରୁ ମୋବାଇଲ୍ ସେବା ବଞ୍ଚିତ ଗ୍ରାମକୁ ସଂଯୋଗ ପ୍ରଦାନ କରୁଛି।
ଶିମିଳିପାଳ ଜଙ୍ଗଲ ଅଞ୍ଚଳରେ ଅନୁମୋଦିତ ୧୪ଟି ଟାୱର ମଧ୍ୟରୁ ୧୦ଟି ଟାୱର କାର୍ଯ୍ୟରତ ହୋଇ ୧୯ଟି ଦୁର୍ଗମ ଗ୍ରାମକୁ ମୋବାଇଲ୍ ସେବା ମିଳୁଛି। ଆଜି ଉଦ୍ଘାଟିତ ତିନୋଟି ଫୋର୍-ଜି ଟାୱର ମାଧ୍ୟମରେ ୪୫୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୯ଟି ଅପହଞ୍ଚ ଗ୍ରାମ ସିଧାସଳଖ ଭାବେ ଲାଭାନ୍ବିତ ହେବେ।
ଏହି ଫୋର୍-ଜି ସେବା ଛାତ୍ରଛାତ୍ରୀଙ୍କ ଅନଲାଇନ ଶିକ୍ଷା, ଗ୍ରାମବାସୀଙ୍କ ଅନଲାଇନ୍ ବ୍ୟାଙ୍କିଂ, ଡିଜିଟାଲ୍ ପେମେଣ୍ଟ, ଟେଲିମେଡିସିନ୍, ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଇ-ଗଭର୍ନାନ୍ସ ସେବାକୁ ସୁଗମ କରିବା ସହ ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ବିକାଶକୁ ନୂତନ ଗତି ଦେବ। ଏହି ପଦକ୍ଷେପ ଡିଜିଟାଲ୍ ସଂଯୋଗୀକରଣ ମାଧ୍ୟମରେ ସମାବେଶୀ ଓ ସନ୍ତୁଳିତ ବିକାଶ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରମାଣ ଭାବେ ଦେଖାଯାଉଛି।
ଏହି ଅବସରରେ ବିଏସଏନଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ), ଶ୍ରୀ ଦୁଷ୍ମନ୍ତ କୁମାର ବେହେରା ଓଡ଼ିଶାର ସମସ୍ତ ନାଗରିକଙ୍କୁ ସୁଲଭ, ସୁରକ୍ଷିତ ଏବଂ ଉଚ୍ଚଗୁଣସ୍ତରୀୟ ଡିଜିଟାଲ୍ ସେବା ପ୍ରଦାନ କରିବା ପ୍ରତି ବିଏସଏନଏଲର ଦୃଢ଼ ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ। ସେ ଦୁର୍ଗମ ଅଞ୍ଚଳଗୁଡ଼ିକୁ ମଧ୍ୟ ସଂଯୋଗ କରିବାରେ ବିଏସଏନଏଲର ଭରସାଯୋଗ୍ୟ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ।
ବିଏସଏନଏଲର ସ୍ୱଦେଶୀ ଫୋର୍-ଜି ସେବାର ଉଦଘାଟନ ଭାରତର ଡିଜିଟାଲ୍ ଢାଞ୍ଚାକୁ ସୁଦୃଢ଼ କରିବା ସହିତ ସ୍ୱାବଲମ୍ବୀ ଓ ଡିଜିଟାଲ୍ ଭାବେ ସଶକ୍ତ ଭାରତ ଗଢ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ଟୋନ୍ ଭାବେ ପରିଗଣିତ ହେଉଛି।


