ବାଣପୁର: ବାଣପୁର ପୋଲିସକୁ ବଡ ସଫଳତା ମିଳିଛି। ଆନ୍ତଜିଲ୍ଲା ଲୁଟେରାକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ଉପରେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟିଥିବା ଅଭିଯୋଗ ହୋଇଥିଲା।
ପୋଲିସର ସୂଚନା ଅନୁଯାୟୀ, ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ଗ୍ରାମର ବିଷ୍ଣପ୍ରିୟା ନାମ୍ନୀ ଜଣେ ମହିଳା ଗତ ମାସ ୨୯ ତାରିଖରେ କଲେଜ୍ ଛକ ନିକଟସ୍ଥ ଦୋକାନରୁ ସୌଦା କରୁଥିଲେ। ସେହି ସମୟରେ ଦୁଇଜଣ ଅଜଣା ଯୁବକ ମୋଟରସାଇକେଲ୍ ରେ ଆସି ମହିଳାଙ୍କ ଠାରୁ ୬୦ ଗ୍ରାମ୍ ସୁନାର ଗହଣା ଛଡାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ମହିଳାଙ୍କୁ ଭୟଭୀତ କରାଇ ଫେରାର ହୋଇଯାଇଥିଲେ। ଲୁଟେରାମାନଙ୍କୁ ସ୍ଥାନୀୟ ଲୋକ ପିଛା କରିଥିବା ବେଳେ ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲେ। ଏନେଇ ମହିଳାଜଣଙ୍କ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା। ପୋଲିସ ସିସିଟିଭି ଫୁଟେଜ ଏବଂ ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଏହାପରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜଗନ୍ନାଥ ସାହିର ସାଗର ପାଣିଗ୍ରାହୀ (୨୭) ଙ୍କୁ ରାତି ଅଧରେ ବାଣପୁର ପୋଲିସ ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।
ତେବେ ଅଭିଯୁକ୍ତଙ୍କ ଠାରୁ ପୋଲିସ ଦ୍ଵାରା ଗୋଟିଏ ହୁଣ୍ଡା ମୋଟର ସାଇକେଲ, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ସୁନାର ହାର ଜବତ କରାଯାଇଛି।


