ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଥାଇଲାଣ୍ଡରେ ଫସିଥିବା ୬ ଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ଆଣାଯାଇଛି। କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ୬ ଜଣ ଯୁବକ ଗତ ୨୦୨୫ ଅଗଷ୍ଟ ମାସରେ ଥାଇଲାଣ୍ଡର ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ ଦରମା ନ ମିଳିବା ଓ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାରୁ ସେମାନେ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ।
ଘଟଣା ସମ୍ପର୍କରେ ଜାଣିବା ପରେ ଭାରତ ସରକାର ବୈଦେଶିକ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ପ୍ରଶାସନର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଥିଲା। ଓଡ଼ିଶାକୁ ଫେରିବା ପରେ ଯୁବକମାନେ ସମସ୍ତ ସହଯୋଗ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।


