ଭୁବନେଶ୍ୱର: ଦୃଢ଼ ଇଚ୍ଛାଶକ୍ତି ଆଉ ସଂକଳ୍ପଭରା ଆଭିମୁଖ୍ୟ ଆମକୁ ଆମର ଲକ୍ଷ୍ୟପଥରେ ପହଞ୍ଚାଇପାରେ ବୋଲି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର୍ ଇକ୍ବାଲ ମତବ୍ୟକ୍ତ କରିଛନ୍ତି। ଭାରତକୁ ଚାରିଥର ବିଶ୍ୱଚମ୍ପିୟାନ୍ କରିବା ସହ ଓଡ଼ିଶା କ୍ରିକେଟ୍କୁ କ୍ରମାଗତ ଭାବେ ସଫଳତା ଦେଇଥିବା ଜାଫର୍ ଇକ୍ବାଲ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଖେଳପଡ଼ିଆରେ ଉଦ୍ଯାପିତ ପ୍ରତିଷ୍ଠାନର ଦୁଇଦିନିଆ ୬୧ତମ କ୍ରୀଡ଼ା ଉତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ଦୃଷ୍ଟିଶକ୍ତି ହରାଇବା ତାଙ୍କ ପାଇଁ ଅଭିଶାପ ନୁହେଁ ଆଶୀର୍ବାଦ।
ବିଦେଶରେ ବହୁ ଦେଶକୁ ହରାଇ ଦୃଷ୍ଟିବାଧିତ କ୍ରିକେଟ୍ ପାଇଁ ଭାରତକୁ ଗୌରବ ଆଣିବାରେ ସେ ଗର୍ବଅନୁଭବ କରନ୍ତି। ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଉଦ୍ଯାପନୀ ସମାରୋହରେ ସ୍ୱାଗତସମ୍ଭାଷଣ ପ୍ରଦାନ କରି କ୍ରୀଡ଼ା ଆମକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥରଖେ ବୋଲି ମତ ଦେଇ ଏବେ କ୍ରୀଡ଼ାକୁ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି କହିଥିଲେ।
ଉଦ୍ଯାପନୀ ସମାରୋହରେ ପ୍ରତିଷ୍ଠାନର ‘ପୃଥ୍ୱୀ ହାଉସ୍’କୁ ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ, ଅଲିଭା କୁଜୁର ବାଳିକା ଚମ୍ପିୟାନ୍ ଓ କେ. ଓଭିନ୍ ସିଂଙ୍କୁ ବାଳକ ଚମ୍ପିୟାନ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଛାତ୍ରପରିଷଦ ଉପଦେଷ୍ଟା ପ୍ରଫେସର ଲକ୍ଷ୍ମୀଧର ବେହେରା, କ୍ରୀଡ଼ା ପରିଷଦ ଆବାହକ ପ୍ରଫେସର ରମାକାନ୍ତ ମହାଳିକ କ୍ରୀଡ଼ା ଉତ୍ସବକୁ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ବୃନ୍ଦାବନ ଭୋଇ ଓ ମାନସରଞ୍ଜନ ପଣ୍ଡା ସହଯୋଗ କରିଥିଲେ। ଉଦ୍ଯାପନୀ ସମାରେହର ଶେଷରେ ଛାତ୍ର ପରିଷଦର ଯୁଗ୍ମ ଉପଦେଷ୍ଟା ଲେଫ୍ଟନାଣ୍ଟ ପ୍ରଫେସର ରଶ୍ମିରେଖା ସେଠୀ ଧନ୍ୟବାଦାର୍ପଣ କରିଥିଲେ।
ଡିଇଏସ୍ଏସ୍ଏଚ୍ ର ଅଧ୍ୟକ୍ଷ, ଯୁଗ୍ମ ଉପଦେଷ୍ଟା ଡ. କଳିଙ୍ଗ କେତକୀ ଉପସ୍ଥିତ ଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବର ପରିଚାଳନାରେ, ପ୍ରଫେସର ରୀତାଞ୍ଜଳି ଦାଶ, ଡ. ଅରୂପ କୁମାର ଶାହା, ଫୁଲ ଚାନ୍ଦ ମୀନା, ପ୍ରଶାସନିକ ଅଧିକାରୀ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘର ସଭାପତି ଡ. ହାଡିବନ୍ଧୁ ପଟ୍ଟନାୟକ, ସମ୍ପାଦକ ରମେଶ ଚନ୍ଦ୍ର ପାତାଳସିଂହ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଛାତ୍ର ପରିଷଦର ଛାତ୍ରଛାତ୍ରୀ ପ୍ରତିନିଧି ଏହି କ୍ରୀଡ଼ା ଉତ୍ସବରେ ସହାୟତା କରିଥିଲେ। ଉଦ୍ଘାଟନୀ ଓ ଉଦ୍ଯାପନୀ ସମାରୋହରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଡ. ଦେବାଶିଷ ମହାପାତ୍ର, ଡ. ସରିତା ଏମ୍. ଓ ଡ. ସର୍ବେଶ କୁମାର ମୌର୍ଯ୍ୟ।


