ଭୁବନେଶ୍ଵର: ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୁଦ୍ଧରେ ଓଡ଼ିଶା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ସ୍ଵତନ୍ତ୍ର ଅଭିଯାନ “ଅପରେସନ ସାଇବର କବଚ” ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ ୧୩ ଫେବୃଆରୀରୁ ୧୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସାଇବର ଠକେଇର ମୂଳ ଆଧାର ଥିବା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଓ ନକଲି ସିମ୍ ନେଟୱର୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୋଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ଅଭିଯାନ ସମୟରେ ସମଗ୍ର ରାଜ୍ୟରେ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୯,୭୧୪ ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ୧୩୧୫ ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ, ୩୬ଟି ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ, ୪୭ ଟି ଚେକ୍ ଟଙ୍କା ଉଠାଣ ସମ୍ପର୍କିତ, ୨୪ ଟି ନକଲି ସିମ୍/PoS ଯାଞ୍ଚ କରାଯାଇଛି। ଏହାସହ ୩୭୯ ଜଣ ଅଭିଯୁକ୍ତଙ୍କୁ (୩୪୯ ଜଣ ବ୍ୟକ୍ତିଙ୍କୁ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ, ୦୯ ଜଣ ନକଲି ସିମ, ୩ ଜଣ ଏଟିଏମ ଟଙ୍କା ଉଠାଣ ସଂକ୍ରାନ୍ତିୟ, ୧୮ ଜଣ ଚେକ୍ ଟଙ୍କା ଉଠାଣ ସମ୍ପର୍କିତ) ଙ୍କୁ ଗିରଫ କରାଯାଇଛି। ୭୫୪୯ ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ନୁଆପଡା, ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ଓ ଢେଙ୍କାନାଳ ଭଳି ଜିଲ୍ଲାରେ ମ୍ୟୁଲ୍ ଆକାଉଣ୍ଟ ନେଟୱର୍କ, ନକଲି ସିମ୍ ବ୍ୟବହାର, ଅନଲାଇନ ବେଟିଂ, ହାୱାଲା ଟ୍ରାଞ୍ଜାକସନ ଓ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ହେଉଥିବା ଠକେଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାସହ ଅନେକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଗିରଫ କରାଯିବା ସହ ବହୁ ସଂଖ୍ୟକ ସିମ୍ କାର୍ଡ, ଏଟିଏମ କାର୍ଡ, ଡିଜିଟାଲ ଡିଭାଇସ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୧ ଫେବୃଆରୀ ୨୦୨୬ ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ସାଇବର ଅପରାଧ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତି ଅନୁଯାୟୀ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲାରେ ସାଇବର କବଚ ଅପରେସନ ଆରମ୍ଭ ହୋଇଥିଲା। ଜିଲ୍ଲା ଏସପିମାନଙ୍କ ନେତୃତ୍ୱରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଓ ନକଲି ସିମ୍ ନେଟୱର୍କ ବିରୁଦ୍ଧରେ ଚଢ଼ାଉ ଚାଲିଥିଲା।
ଜିଲ୍ଲା ଭିତ୍ତିକ ପ୍ରମୁଖ ସଫଳତା
ଏହି ଅଭିଯାନ ସମୟରେ ବିଭିନ୍ନ ଜିଲ୍ଲା ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ସାଇବର ଅପରାଧ ଏବଂ ଅପରାଧୀଙ୍କୁ ଧ୍ୱଂସ କରାଯାଇଛି।
ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଥାନାରେ ପଞ୍ଜୀକୃତ ଏକ ମାମଲାରେ ପ୍ରାୟ ୫.୨୫ କୋଟି ଟଙ୍କାର ଆନ୍ତଃରାଜ୍ୟ ମ୍ୟୁଲ୍ ଆକାଉଣ୍ଟ ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଉତ୍ତର ପ୍ରଦେଶର ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଏକ ମାମଲାରେ ୧୨ କୋଟି ଟଙ୍କାର ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କିତ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଲଇକେରା ଥାନାରେ ପଞ୍ଜୀକୃତ ଏକ ମାମଲାରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣକ ୪୨ଟି ମ୍ୟୁଲ୍ କିଟ୍ ଡାଇଭର୍ଟ କରି ୨.୮୬ କୋଟି ଟଙ୍କାର କାରବାର ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଛି।
ସେହିପରି ସମ୍ବଲପୁର ଜିଲ୍ଲା ପୋଲିସ ୧.୩ କୋଟି ଟଙ୍କାର ଏକ ମ୍ୟୁଲ୍ ଆକାଉଣ୍ଟ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ ୫ ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଏକ ୩୨ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ଦିଲ୍ଲୀରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ରାଉରକେଲା ଜିଲ୍ଲା ପୋଲିସ ମ୍ୟୁଲ୍ ଆକାଉଣ୍ଟ, ଅନଲାଇନ ବେଟିଂ ଓ ହାୱାଲା ଟ୍ରାଞ୍ଜାକ୍ସନ ସମ୍ପର୍କିତ ଏକ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା ସହ ୩୦.୬୫ ଲକ୍ଷ ଟଙ୍କା ଜବତ କରିଛି।
କେନ୍ଦୁଝର ଜିଲ୍ଲା ପୋଲିସ 58 ଟି ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଠକେଇ କରୁଥିବା ଘଟଣାର ତଦନ୍ତ କରି ୧.୧୪ କୋଟି ଟଙ୍କାର ଅର୍ଥ କାରବାରର ପ୍ରମାଣ ପାଇ ୫ ଜଣଙ୍କୁ ଗିରଫ କରିଛି।
ସୁନ୍ଦରଗଡ଼ ଜିଲ୍ଲା ପୋଲିସ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଏକ ପରିବାରର ସଦସ୍ୟମାନଙ୍କୁ ବ୍ୟବହାର କରି ୪.୧୯ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି।
ଗଞ୍ଜାମ ଜିଲ୍ଲା ପୋଲିସ ଏକାଧିକ ମାମଲା ରୁଜୁ କରି ପ୍ରାୟ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି। ବେଗୁନିଆପଡା ଥାନା ପୋଲିସ ୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି। ଛତ୍ରପୁର ପୋଲିସ ୧ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ସେହିପରି ବୁଗୁଡା ପୋଲିସ ୪ କୋଟି ଟଙ୍କା ଏବଂ ଆସିକା ପୋଲିସ ୧.୫ କୋଟି ଟଙ୍କା ଠକେଇ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି।
ନୁଆପଡା ପୋଲିସ ପ୍ରାୟ ୩ କୋଟି ଟଙ୍କାର ଆନ୍ତଃରାଜ୍ୟ ଠକେଇରେ ବ୍ୟବହୃତ ୩ଟି ମ୍ୟୁଲ୍ ଆକାଉଣ୍ଟ ଚିହ୍ନଟ କରି ୬ ଜଣଙ୍କୁ ଗିରଫ କରାଯାଇଛି।
ଭୁବନେଶ୍ୱର UPDରେ ଜାଲ KYC ଓ ପ୍ରି-ଆକ୍ଟିଭେଟେଡ୍ ସିମ୍ ବ୍ୟବହାର କରୁଥିବା ଏକ ସଂଗଠିତ ଜାତୀୟ ମ୍ୟୁଲ୍ ସିଣ୍ଡିକେଟ୍ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ବିଳାସପୂର୍ଣ୍ଣ କାର୍, ମ୍ୟାକବୁକ୍ ଓ ୩୭ଟି ଡେବିଟ୍ କାର୍ଡ ଜବତ କରାଯାଇଛି।
ସେହିପରି କଟକ UPDରେ ୨୯.୩୩ କୋଟି ଟଙ୍କାର ମ୍ୟୁଲ୍ ଆକାଉଣ୍ଟ ନେଟୱର୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବ୍ୟାପକ ପରିମାଣର ସିମ୍ କାର୍ଡ, ସୁନା ଓ ଯାନବାହନ ଜବତ କରାଯାଇଛି। ସେହିପରି ସେକ୍ସଟର୍ସନ ସମ୍ପର୍କିତ ଅନ୍ୟ ଏକ ମାମଲାରେ ୮୮ ଲକ୍ଷ ଠକେଇ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ବାଲେଶ୍ୱରରେ ୫୮ ଲକ୍ଷ ଟଙ୍କାର ମ୍ୟୁଲ୍ ଆକାଉଣ୍ଟ ଗ୍ୟାଙ୍ଗକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୪୭ଟି ଏଟିଏମ କାର୍ଡ ଜବତ କରାଯାଇଥିବା ସହ ଏକ ଟେକ୍ନିକାଲ୍ SMS Forwarder APK ମାଧ୍ୟମରେ କର୍ପୋରେଟ୍ ଆକାଉଣ୍ଟ ହ୍ୟାକିଂ ମାମଲାର ପର୍ଦ୍ଦାଫାଶ ହୋଇଛି।
ଭଦ୍ରକ ଜିଲ୍ଲା ପୋଲିସ ସ୍ଥାନୀୟ ଯୁବକମାନଙ୍କୁ କମିଶନ ଦେଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ୮୪ ଲକ୍ଷରୁ ଅଧିକ ଠକେଇ ହୋଇଥିବା ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ପୁରୀ ଜିଲ୍ଲା ପୋଲିସ ଜାଲ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୪୫ ଲକ୍ଷ ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟ ମାମଲାରେ KYC ଡକ୍ୟୁମେଣ୍ଟ ଦୁରୁପଯୋଗ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ।
ଯାଜପୁର ଜିଲ୍ଲା ପୋଲିସ ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ଠକେଇ, ମ୍ୟୁଲ୍ ଆକାଉଣ୍ଟ ଓ ବେଆଇନ କ୍ରିପ୍ଟୋ ମାଇନିଂ ସଂପୃକ୍ତ ଏକ ଜଟିଳ ରାକେଟ୍ ପର୍ଦ୍ଦାଫାଶ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା ନିକଟରୁ ବହୁ ଡିଜିଟାଲ ଉପକରଣ ଜବତ ହୋଇଛି।
ଢେଙ୍କାନାଳ ଜିଲ୍ଲା ପୋଲିସ ଡିଜିଟାଲ ପେମେଣ୍ଟ ଗେଟୱେ ମାଧ୍ୟମରେ ୪୮ ଲକ୍ଷ ଟଙ୍କା ସନ୍ଦେହଜନକ ଅର୍ଥ କାରବାର ଘଟଣାର ତଦନ୍ତ କରି ପୋଲିସ ବ୍ୟାଙ୍କମାନଙ୍କୁ ନୋଟିସ ଜାରି କରିଛି।
ଏହି ଅଭିଯାନରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଆଇ୪ସି ର ଡାଟା-ଆଧାରିତ ଇଣ୍ଟେଲିଜେନ୍ସ କୁ ବ୍ୟବହାର କରାଯାଇଥିଲା। ସିଆଇଡି କ୍ରାଇମ୍ ବ୍ରାଞ୍ଚ, ବ୍ୟାଙ୍କ ନୋଡାଲ ଟିମ୍ ଓ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଫଳରେ ଏହି ସଫଳତା ମିଳିଛି।
ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲାର ଏସପି, ରେଞ୍ଜ ଆଇଜି, କ୍ରାଇମ୍ ବ୍ରାଞ୍ଚ, ବ୍ୟାଙ୍କିଂ ଓ ଟେଲିକମ୍ ଅଧିକାରୀମାନଙ୍କୁ ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ଓ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି। ସାଇବର ସଚେତନତା ସୃଷ୍ଟିରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିବା ସହ ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସ ନିରନ୍ତର କାର୍ଯ୍ୟ କରିବ ବୋଲି କହିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡିଜିପି( କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଆଇଜି (କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ ଏବଂ ଏସପି ( କ୍ରାଇମବ୍ରାଞ୍ଚ) ପରମାର ସ୍ମିଥ ଉପସ୍ଥିତ ଥିଲେ।


