ଖୋର୍ଦ୍ଧା/ବାଣପୁର: ପବିତ୍ର ଅଶୋକାଷ୍ଟମୀରେ ଭାଲେରୀ ପାହାଡ଼ ପାଦଦେଶରେ ପ୍ରବାହିତ ଶାଳିଆ କୂଳର ମାଳିଗୋବିନ୍ଦପୁରର ଆରାଧ୍ୟ ଠାକୁର ଶ୍ରୀଶ୍ରୀ ଗତିଶ୍ଵର ଦେବଙ୍କ ପୀଠକୁ ଥାଟ ପଟୁଆର ବାଜା ରୋଷଣୀରେ ନିଯୋଗୀ ସେବାୟତଙ୍କୁ ସାଥୀରେ ନେଇ ଯାତ୍ରା କରିଛନ୍ତି ମା’ ଭଗବତୀ। ବର୍ଷର ବିଭିନ୍ନ ଋତୁରେ ବିଭିନ୍ନ ଦିଗର ଶକ୍ତିପୀଠମାନଙ୍କୁ ଯାତ୍ରା କରି ସେଠାରେ ମାତୃ ଶକ୍ତିମାନଙ୍କ ସହିତ ଏକତ୍ର ପୂଜା ପାଇବା ସହିତ ଆଗାମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରିବାର ପରମ୍ପରା ଏହି ପୀଠର ଏକ ନିଆରା ପରମ୍ପରା। ବର୍ଷର ଶେଷ ପର୍ବ ବାସନ୍ତ ଋତୁର ଏହି ଯାତ୍ରା ଅଶୋକା ଯାତ୍ରା ଭାବରେ ପରିଚିତ।
ବହୁ ବର୍ଷ ପୂର୍ବେ ମା ସାଆନ୍ତାଣି ଦକ୍ଷିଣ ଦିଗ ରକ୍ଷାକାରିଣୀ ଅନ୍ୟତମ ଭଉଣୀ ମା’ନାରାୟଣୀଙ୍କ ପୀଠକୁ ଯାତ୍ରା କରି ସେଠାରୁ ଆଜ୍ଞାମାଳ ନେଇ ଆସିବାର ପରମ୍ପରା ଥିଲା। କାଳକ୍ରମେ ବିଭିନ୍ନ କାରଣରୁ ତାହା ବନ୍ଦ ହୋଇ ବର୍ତ୍ତମାନ ପ୍ରତୀକାତ୍ମକ ଭାବରେ ଶ୍ରୀ ଶ୍ରୀ ଗତିଶ୍ଵର ଦେବଙ୍କ ପୀଠରେ ଅନୁଷ୍ଠିତ ହେଉଛି। ଏହିଦିନ ମାଳିଗୋବିନ୍ଦପୁର ଗ୍ରାମବାସୀଙ୍କ ତରଫରୁ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ କ୍ରମେ ମା’ ଭଗବତୀ କାଠି ଠାକୁରାଣି, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ, ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ସହିତ ଶ୍ରୀଶ୍ରୀ ରଙ୍କନାଥ ଦେବଙ୍କୁ ସାଥିରେ ନେଇ ବିରାଟ ପଟୁଆରରେ ଦକ୍ଷିଣ ଦିଗକୁ ଯାତ୍ରା ଆରମ୍ଭ କଲେ ମା’।
ପାରମ୍ପରିକ ବାଟରେ ପବିତ୍ର ଶାଳିଆ ନଇ ମଧ୍ୟରେ ପ୍ରବେଶ କରି ପାରି ହେବା ପରେ ଗ୍ରାମବାସୀଙ୍କ ସହ ଶ୍ରୀ ଶ୍ରୀ ଗତିଶ୍ଵର ଦେବ ସମସ୍ତ ଦେବାଦେବୀଙ୍କୁ ପୁଷ୍ପ ଚନ୍ଦନ ଅର୍ଘ୍ୟରେ ବନ୍ଦାପନା କରି ଘଣ୍ଟା ଘଣ୍ଟ କାହାଳୀ ହରିବୋଲ ହୁଳହୁଳି ଶବ୍ଦରେ ସ୍ୱାଗତ କରିବା ପରେ ଦେବାଦେବୀମାନେ ଗ୍ରାମ ପରିକ୍ରମା କରି ମନ୍ଦିର ପିଣ୍ଡି ଉପରେ ଉପବେଶନ କରିଥିଲେ।
ପରେ ମା’ଙ୍କୁ ପଣସ ପତ୍ର ଠୋଲୋରେ ଅଶୋକ ଫୁଲ ଏବଂ ପଇଡ଼ରେ ଶୀତଳ ମଣୋହିଁ କରାଯାଇଥିଲା। ଅଗଣିତ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବା ସହିତ ଅଶୋକାଷ୍ଟମୀରେ ମା’ଙ୍କ ଦୁର୍ଲଭ ଅଶୋକ ଫୁଲ ପ୍ରସାଦ ପାଇବାକୁ ଭିଡ଼ ଜମାଇଥିଲେ। ବିଶ୍ୱାସ ଅଛି ଅଷ୍ଟମୀରେ ଅଶୋକ ଫୁଲ ପ୍ରସାଦ ସେବନ କଲେ କେବେ ଦୁଃଖ ଶୋକ ସ୍ପର୍ଶ କରେ ନାହିଁ। ରାତିରେ ମା’ଙ୍କ ପାଖରେ କାକରା ଓ ପଇଡ଼ ଅର୍ପଣ ପରେ ମା’ ରାତ୍ରିର ଶେଷ ପ୍ରହରରେ ପିତ୍ରାଳୟକୁ ଫେରିବେ।
ଗ୍ରାମବାସୀଙ୍କ ତରଫରୁ ଦିନ ଓ ରାତି ସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିବାବେଳେ ସ୍ଥାନୀୟ ଥାନାଧିକାରୀ ରମେଶ କୁମାର ଦେବତା ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ବାହାନୀ ପଠାଇଥିବା ଏବଂ ନୀତିକାନ୍ତି ପାଇଁ ସ୍ଥାନୀୟ ଦେବୋତ୍ତର କର୍ଯ୍ୟାଳୟ ତରଫରୁ ସମସ୍ତ କର୍ମଚାରୀ ଓ ନିଯୋଗୀ ସେବାୟତ ମାନେ ସହଯୋଗ କରିଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ସୂଚ଼ନା ଦେଇଛନ୍ତି।


