ରଣପୁର: ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଲୁଣିସାହି ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଏହି ଦୁର୍ଘଟଣାରେ ରବି ବେହେରା (୬୧) ନାମକ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, ରବି ବେହେରା ନିଜ ଦୈନିକ କାମରେ ବିଲକୁ ଯାଇ ଛେଳି ଚରାଉଥିବା ସମୟରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ପଡ଼ିଥିଲା। ଅଚାନକ ବଜ୍ରପାତର ଆଘାତରେ ସେ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଗ୍ରାମବାସୀମାନେ କହିଛନ୍ତି।
ଘଟଣା ପରେ ଲୁଣିସାହି ଗ୍ରାମରେ ଶୋକର ଛାୟା ଛାଇଯାଇଛି। ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ପରିବାର ଏବେ ଦୁଃଖ ଓ ଅସହାୟତାରେ ଭାଙ୍ଗି ପଡିଛନ୍ତି।
ମୃତକଙ୍କ ପରିବାର ଅର୍ଥନୈତିକ ଭାବେ ଦୁର୍ବଳ ଥିବାରୁ ସ୍ଥାନୀୟ ଗ୍ରାମବାସୀ ଓ ସମାଜସେବୀମାନେ ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜୋରଦାର ଦାବି କରିଛନ୍ତି।


