ବାଲୁଗାଁ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପି ଅନୁଷ୍ଠିତ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟ ସାମିଲ ହୋଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ “ବନ୍ଦନୀୟ ନାରୀଶକ୍ତି” ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇ ସମ୍ବିଧାନରେ ଲୋକସଭା ସାଂସଦଙ୍କ କ୍ଷେତ୍ରରେ ମହିଳା ପ୍ରତିନିଧିଙ୍କ ସଂରକ୍ଷଣ ସମ୍ପର୍କରେ ଯୁକ୍ତି ଉପସ୍ଥାପନ କରି ନାରୀଶକ୍ତି ହିଁ ଗଣତନ୍ତ୍ରର ସୁରକ୍ଷା କବଚ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।
ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂ, ଅଧ୍ୟାପିକା ରୀନା ରାଉତ, ଡକ୍ଟର ମନସ୍ବିନୀ ପଟ୍ଟନାୟକ, ଅଧ୍ୟାପିକା ଝରଣା ନାଥ, ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି, ପ୍ରିୟମ୍ବଦା ମହାପାତ୍ର, ବନ୍ଦନା ଦାସ, ଶୁଭଦର୍ଶିନୀ ବିଶ୍ୱାଳ, ଅନ୍ଵେଷା ପାତ୍ର ପ୍ରମୁଖ ଯୋଗ ଦେଇ ମତାମତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଛାତ୍ରୀ ଶାଶ୍ଵତୀ ମିଶ୍ର ଓ ପଦ୍ମିନୀ ରାଉତ ନାରୀ ଶକ୍ତି ଶୀର୍ଷକ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଚାଳନ କରିଥିବା ବେଳେ ଅଧ୍ୟାପିକା ପୂଜା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


