ଜଗତସିଂହପୁର: ଜଗତସିଂହପୁର କାଠିଆପଡ଼ା ନିକଟରେ ନିର୍ବନ୍ଧ ପରେ ଯୁବତୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି। ମୃତ ଯୁବତୀ କାଠିଆପଡ଼ା ଗାଁର ସସ୍ମିତା ଦାସ ଓରଫ ଡଲି । ହତ୍ୟାର ତିନିଦିନ ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଥିଲା ଆଉ ଦିନ କେଇଟାରେ ତାଙ୍କର ବାହାଘର ହୋଇଥାନ୍ତା। ମାତ୍ର ସବୁକିଛି ଓଲଟପାଲଟ ହୋଇଯାଇଥିଲା । ମଙ୍ଗଳବାର ରାତିରେ ପଡ଼ୋଶୀଙ୍କ ଘରକୁ ଯାଇ ଆଉ ଫେରିନଥିଲେ ସସ୍ମିତା। ଚାରିଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ଖୋଜ ଖବର ମିଳିନଥିଲା। କିନ୍ତୁ ବୁଧବାର ସନ୍ଧ୍ୟାରେ ମୁଗ ବିଲରେ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ ତାଙ୍କର ଅନ୍ୟ ଯୁବକ ସହ ନିର୍ବନ୍ଧ ହେବା ପରେ ପ୍ରେମିକ ତାଙ୍କୁ ଡାକି ନେଇ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ ।


