ଭୁବନେଶ୍ଵର: ଟୁଇନ ସିଟିରେ ଟ୍ରାଫିକ ସମସ୍ୟା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଭୁବନେଶ୍ବରରୁ କଟକ ଯିବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ । ଟ୍ରାଫିକ ସମସ୍ୟା ଏବେ ନିୟନ୍ତ୍ରଣ ବାହାରେ ହୋଇଯାଉଛି ।
ସ୍ମାର୍ଟ ସିଟିର ଡେଙ୍ଗୁରା ପିଟୁଥିବାବେଳେ 20 କିମି ରାସ୍ତା ପାର ହେବାକୁ 4 ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଲାଗୁଛି । ଜନତା ବି ଏଇ ଟ୍ରାଫ୍ଫିକ ସମସ୍ୟାରେ ଅତିଷ୍ଠ ହୋଇପଡିଲେଣି ।
ଗତକାଲି କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ୭ ଘଣ୍ଟାରୁ ଅଧିକ ସମୟ ଧରି ଜାମ୍ ସ୍ଥିତି ପରେ ପ୍ରଶ୍ନ ଘେରରେ କମିଶନରେଟ୍ ପୋଲିସର ପାରିବାପଣିଆ। ଟ୍ରକ ଜଳିଯିବା ଘଟଣାରୁ ଆରମ୍ଭ ହୋଇଥିବା ଅସମ୍ଭବ ଟ୍ରାଫିକ୍ ଯନ୍ତ୍ରଣାକୁ ନେଇ ଚାରିଆଡ଼େ ଅସନ୍ତୋଷ। କେବଳ କାଲିର ଘଟଣା ନୁହେଁ ପ୍ରାୟେ ସବୁଦିନ ଅସମ୍ଭବ ଜାମ ଦେଖିବାକୁ ମିଳୁଛି ।
କଟକ ପଟୁ ୫ ଥାକିଆ ରାସ୍ତାରେ ଗାଡ଼ି ଆସୁଥିବା ବେଳେ ପଳାଶୁଣୀରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ଅନେକ ଗାଡ଼ିକୁ ଉଭୟ ପଟୁ ଡାଇଭର୍ଟ କରାଯିବା ସହିତ ରେଡିଓ ଓ ଟ୍ରାଫିକ ପୋଷ୍ଟ ଅଡିଓରେ ଅପଡେଟ୍ ସୂଚନା ଦିଆଯାଇଥିଲା । ପଳାଶୁଣୀ ଗଙ୍ଗୁଆ ବ୍ରିଜକୁ ଚଉଡ଼ା କରି ୬ ଲେନ୍ ବିଶିଷ୍ଟ କରିବାକୁ ବ୍ୟୟବରାଦ ହୋଇଛି । ହେଲେ ନିର୍ମାଣ କାମ ବେଶ୍ ଧୀମା ଗତିରେ ଚାଲିଛି । କଟକପଟୁ ଭୁବନେଶ୍ବରର ପ୍ରବେଶ ପଥ ଅତ୍ୟଧିକ ଅଣଓସାରିଆ ହୋଇଥିବାରୁ ସବୁବେଳେ ସେଠାରେ ଜାମ୍ ହେଉଛି । କେବଳ ପଳାଶୁଣି ନୁହେଁ, ରସୁଲଗଡ, ବାଣୀବିହାର କିଟ ଛକ ଆଦି ସ୍ଥାନ ଗୁଡିକରେ ନାହିଁ ନ ଥିବାର ଟ୍ରାଫିକ ସମସ୍ୟା ଉପୁଜୁଛି ।
ଟ୍ରାଫିକ ଓ ପରିବହନ ବିଭାଗ ଏହାକୁ ଦେଖି ଅନାଦେଖା କରିଚାଲିଛି । ଫାଇନ ଆଦାୟ ପାଇଁ ଟ୍ରାଫିକ ପୋଲିସ ଯେମିତି ବ୍ୟଗ୍ର ସେତିକି ଯତ୍ନବାନ ଟ୍ରାଫିକ ସମସ୍ୟା ପ୍ରତି ଦେଖାଉନାହି । ସରକାର ମଧ୍ୟ ଏହାକୁ ଦେଖି ନିରବଦ୍ରଷ୍ଟା ସାଜିଛନ୍ତି।
ତେବେ ଏଇ ସମସ୍ୟାକୁ ନେଇ ସରକାର ବଡ଼ପ୍ଲାନ୍ କରୁଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, କଟକ ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ଅଲଟରନେଟିଭ ଓ୍ୱେ । ଦୁଇ ସହରକୁ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ହିଁ ଭିଡ଼ କମିବ । ପୁରୀ-ଭୁବନେଶ୍ୱର-କଟକ ଓ ଖୋର୍ଦ୍ଧାକୁ ରିଂ ରୋଡ଼ ମାଧ୍ୟମରେ ଯୋଡିବା ପାଇଁ ବି ଯୋଜନା କରାଯାଇଛି । ତେବେ ଟ୍ରାଫିକ୍ ବ୍ୟବସ୍ଥାର ବିକଳ ସ୍ଥିତି ବିରୋଧରେ ସରକାର କେତେ ଶୀଘ୍ର ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।


