ଭୁବନେଶ୍ଵର: ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ (ଅମୃତ) ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡିକ ମଧ୍ୟରେ ନିଜକୁ ସ୍ଥାପିତ କରିଛି ଓଡ଼ିଶା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟର ଏହି ଜାତୀୟ ସଫଳତା ସରକାରଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ସଠିକ୍ ନୀତି ଏବଂ ସଫଳ କାର୍ଯ୍ୟାନ୍ୱୟନର ପରିଣାମ। ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର ୮୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ‘ଅମୃତ ୨.୦’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। ଏହି ସଫଳତା ସହରୀ ଓଡ଼ିଶାକୁ ଦ୍ରୁତ, ବ୍ୟାପକ ଏବଂ ସ୍ଥାୟୀ ଭାବେ ରୂପାନ୍ତରିତ କରିବା ପାଇଁ ଆମ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


