Categories
ଜାତୀୟ ଖବର ବିଶେଷ ଖବର

ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଓ ଅମୃତ ୨.୦ ଯୋଜନା କାର୍ଯ୍ୟକାରୀ ପାଇଁ ପ୍ରକାଶ ହେଲା ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ  ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଓ ଅମୃତ ଯୋଜନା ୨.୦ର କାର୍ଯ୍ୟକାରିତା ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ଉନ୍ମୋଚିତ କରିଛନ୍ତି । ଫଳରେ ଏହି ଦୁଇ ଯୋଜନାର ଅନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ଦ୍ଦେଶାଳବଳୀ ଅନୁସାରେ ସମ୍ପୃକ୍ତ ଦୁଇ ଯୋଜନା କାଯ୍ୟକାରୀ ହେବ ।

ଏହି ଦୁଇ ଯୋଜନାର କାର‌୍ୟ୍ୟକାରିତାର ଆନୁଷ୍ଠାନିକ ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଚଳିତ ଅକ୍ଟୋବର ୧ତାରିଖରେ କରାଯାଇଥିଲା । ଏହା ପରେ ଅକ୍ଟୋବର ୫ତାରିଖରେ ଆୟୋଜିତ “ଆଜାଦି କି ଅମୃତ ମହୋତ୍ସବ” ପାଳନ ଅବସରରେ ଯୋଜନାରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ଅକ୍ଟୋବର ୧୨ତାରିଖରେ ଏହାକୁ କ୍ୟାବିନେଟର ଅନୁମୋଦନ ମିଳିଥିଲା ।

ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ବ୍ୟାପକ ବିଚାର ଆଲୋଚନା ପରେ ଏସ୍‌ବିଏମ୍‌ୟୁ ୨.୦ ଓ ଅମୃତ ୨.୦ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ସମାଜର ସବୁ ବର୍ଗର ଲୋକେ ଯେପରି ଏହି ଯୋଜନାର ସୁଫଳ ସମାନଭାବେ ପାଇବେ ତାହାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀ ତଦନୁସାରେ ପ୍ରସ୍ତୁତ ହୋଇଛି । ଏଥିରେ ଦକ୍ଷତା ବିକାଶ, ବ୍ୟାପକ ଡିଜିଟାଲ ବ୍ୟବସ୍ଥାର ଉପଯୋଗ ଅଗ୍ରାଧିକାର ଲାଭ କରିଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ଏହି ଅଭିଯାନ ବା ମିଶନର ଉଭୟ ପର‌୍ୟ୍ୟାୟ ଭାରତକୁ ଯଥାର୍ଥରେ ଏକ ସ୍ୱଚ୍ଛ ରାଷ୍ଟ୍ରରେ ପରିଣତ କରିବ । ୨୦୧୯ରେ ଭାରତ ବାହ୍ୟ ମଳତ୍ୟାଗ ମୁକ୍ତ ବା ଓଡିଏଫ୍ ହୋଇଥିଲା । ତୃତୀୟପକ୍ଷଙ୍କ ତଦାରଖ ରିପୋର୍ଟ ଭିତ୍ତିରେ ଭାରତକୁ ଏହି ମାନ୍ୟତା ମିଳିଥିଲା । ଏବେ ଆମେ ପରବର୍ତ୍ତୀ ପର‌୍ୟ୍ୟାୟ ଓଡିଏଫ୍‌+ ଓ ଓଡିଏଫ++ ପର‌୍ୟ୍ୟାୟକୁ ଉନ୍ନୀତ ହୋଇ ସେ ସଂକ୍ରାନ୍ତ ଲକ୍ଷ୍ୟ ପୂରଣ କରିବା । ସେ କହିଛନ୍ତି ଯେ ବାହ୍ୟ ମଳତ୍ୟାଗମୁକ୍ତ ବା ଓଡିଏପ୍‌ରୁ ଅଳିଆ ଆବର୍ଜନା ମୁକ୍ତ ଲକ୍ଷ୍ୟ ହାସଲ କରିବା ଦ୍ୱାରା ଆମ ପରିବେଶ ଓ ପରିତନ୍ତ୍ରରେ ବଡ ପରିବର୍ତ୍ତନ ଆସିବ ।

ମନ୍ତ୍ରୀ ଶ୍ରୀ ପୁରୀ ଆହୁରି କହିଛନ୍ତି ଯେ ପୂର୍ବରୁ ଦେଶର ୫୦୦ସହରରେ ଅମୃତ ମିଶନ କାର‌୍ୟ୍ୟକାରୀ ହେଉଥିଲା। ଏବେ ଏହା ଦେଶର ବହୁ ସହରକୁ ସମ୍ପ୍ରସାରିତ ହେବ । ଏହି ଯୋଜନାରେ ଲୋକଙ୍କ ଘରକୁ କେବଳ ପାଣି ଟ୍ୟାପ ସଂଯୋଗ ଯୋଗାଇ ଦିଆଯିବ ନାହିଁ, ଏହା ମଧ୍ୟ ଜଳର ପ୍ରକୃତ ମୂଲ୍ୟ କ’ଣ ତାହା ବୁଝିବାକୁ ଲୋକଙ୍କୁ ସାହାଯ୍ୟ କରିବ । ସେ ଏହି ନିର୍ଦ୍ଦେଶାବଳୀର ଘୋଷଣାକୁ ଦେଶର ନାଗରିକମାନଙ୍କ ପାଇଁ ଦୀପାବଳୀ ଉପହାର ଭାବେ ବର୍ଣ୍ଣନା କରିଛନ୍ତି । ଏହା ଦ୍ୱାରା ଦେଶର ପରିବେଶ ସ୍ୱଚ୍ଛ ରହିବ ବୋଲି ସେ କହିଛନ୍ତି ।

ମିଶନ ଆରମ୍ଭ ହେବାର ଚାରିସପ୍ତାହ ମଧ୍ୟରେ ଏହାର କାର‌୍ୟ୍ୟକାରିତା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇ ଘୋଷଣା କରାଯିବାକୁ ସେ ଏକ ଖୁସିର ଖବର ଭାବେ ବର୍ଣ୍ଣନା କରିଛନ୍ତି । ଉଭୟ ମିଶନରେ ରାଜ୍ୟ ସରକାର ସମୂହ ଓ ପୌରସଂସ୍ଥାମାନେ ସାମିଲ ହୋଇଥିବାରୁ ସେ ସନ୍ତୋଷବ୍ୟକ୍ତ କରିବା ସହି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଓ ପୌରସଂସ୍ଥାମାନ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ତ୍ରିପାକ୍ଷିକ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଏହି କାମ ସମ୍ଭବ ହୋଇଥିବାରୁ ସେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଏହି କାର‌୍ୟ୍ୟକ୍ରମରେ ଆଭାସୀ ବ୍ୟବସ୍ଥାରେ ଉଦ୍‌ବୋଧନ ଦେଇ ଗୃହ ନିର୍ମାଣ ଓ ଆବାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୌଶଳ କିଶୋର କହିଛନ୍ତି ଯେ ସ୍ୱଚ୍ଛ ଭାରତ ମିଶନ ଦେଶରେ ଏକ ଗଣ ଅଭିଯାନରେ ପରିଣତ ହୋଇଛି । ଏହାଫଳରେ ଲୋକଙ୍କ ବ୍ୟବହାର ଓ ମନୋଭାବରେ ବଡ ପରିବର୍ତ୍ତନ ଆସିଛି । ଏହି ଅଭିଯାନକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ନିଜେ ସମ୍ମୁଖ ଭାଗରେ ରହି ନେତୃତ୍ୱ ଯୋଗାଉଛନ୍ତି । ଏହାଫଳରେ ଏଥିରେ ଲୋକମାନେ ବହୁ ସଂଖ୍ୟାରେ ସାମିଲ ହୋଇଛନ୍ତି । ସହରଗୁଡିକରେ ୨୪ଘଣ୍ଟିଆ ଜଳଯୋଗାଣ ଫଳରେ ସହରବାସୀଙ୍କୁ ବଡ ଆଶ୍ୱସ୍ତି ମିଳିବ ।

ଏସ୍‌ବିଏମ ୟୁ-୨.୦ -ସ୍ୱଚ୍ଛ ଭାରତ ମିଶନ (ଏସ୍‌ବିଏମ୍‌)-୨.୦ ପାଇଁ ୧, ୪୧,୬୦୦ କୋଟି ଟଙ୍କାର ବ୍ୟୟ ବରାଦ ବଜେଟ୍‌ରେ କରାଯାଇଛି । ଏହାକୁ କାର‌୍ୟ୍ୟକାରୀ କରିବାକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୪୮୦୦ ନଗର ନିଗମ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଚ ପରିଷଦ ଓ ଅନ୍ୟାନ୍ୟ ସ୍ଥାନୀୟ ସ୍ୱାୟତ୍ତଶାସିତ ସଂସ୍ଥା ତ୍ରିପାକ୍ଷିକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ମାତ୍ର ୨୪ଘଣ୍ଟା ମଧ୍ୟରେ ସମ୍ପୃକ୍ତ ସଂସ୍ଥା ଓ ରାଜ୍ୟ ସରକାର ସହରାଞ୍ଚଳ ବିକାଶ ଓ ଗୃହନିର୍ମାଣ ମନ୍ତ୍ରଣାଳୟ ସହ ଚୁକ୍ତିବଦ୍ଧ ହେବା ଏକ ବଡ ବିଶେଷତ୍ୱ ।

ଚୁକ୍ତି ଅନୁସାରେ ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଓ ପୌରସଂସ୍ଥାଙ୍କ ସହ ଅଂଶୀଦାରୀ ଭିତ୍ତିରେ ସବୁ ସହରକୁ ଆବର୍ଜନା ଓ ଅଳିଆ ମୁକ୍ତ କରିବାକୁ କାମ କରିବେ ଏବଂ ସବୁ ସହରକୁ ଜଳ ନିରାପତ୍ତା ଯୋଗାଇ ଦିଆଯିବ । ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ପୂରଣ ପାଇଁ ଯେଉଁ ସମୟସୀମା ଧାର‌୍ୟ୍ୟ କରାଯାଇଛି ତାହାକୁ ହାସଲ କରିବାକୁ ଏହି ଯୋଜନା ଉଦ୍ଦିଷ୍ଟ । ପରିଚ୍ଛନ୍ନତା ଓ ଜଳ ନିରାପତ୍ତା ଫଳରେ ସହରାଞ୍ଚଳରେ ଜୀବନର ମାନ ବଢିବ ଏବଂ ସହରର ପରିବର୍ତ୍ତନ ଘଟିବ ।

ଦେଶର ସବୁ ସହରକୁ ଅଳିଆ ଆବର୍ଜନା ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି ତାହାକୁ ସାକାର କରିବା ପାଇଁ ଏସ୍‌ବିଏମ୍‌-୨.୦ର ଡିଜାଇନ୍ ବା ନକ୍ସା ପ୍ରସ୍ତୁତ କରାଯାଇଛି । ଏହାଫଳରେ ଦ୍ରୁତ ସହରୀକରଣ ପଥେ ଅଗ୍ରସର ଭାରତର ନଗର କିମ୍ବା ସହରଗୁଡିକର ସମସ୍ୟାବଳୀର ସମାଧାନ ସହଜ ହେବା ସହିତ ୨୦୩୦ର ନିରନ୍ତର ବିକାଶ ଲକ୍ଷ୍ୟପୂରଣ ହୋଇପାରିବ । ଏହି ଯୋଜନାରେ ଘରର ବ୍ୟବହୃତ ଧୂସର ଓ କଳାପାଣିର ସୁରକ୍ଷିତ ନିଷ୍କାସନ ବ୍ୟବସ୍ଥା କରାଯିବ । ଯେଉଁସବୁ ସହର ଅମୃତ ଯୋଜନାର ଅନ୍ତର୍ଭୁକ୍ତ ହୋଇନାହିଁ ସେସବୁକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏକ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସବୁ ସହର ଏବଂ ପୌରସଂସ୍ଥାକୁ ଓଡିଏଫ+ ଏବଂ ଓଡିଏଫ ++ସ୍ତରକୁ ଉନ୍ନୀତ କରିବାକୁ କାର‌୍ୟ୍ୟକ୍ରମ ହାତକୁ ନିଆଯିବ । ଘରୁ ନିଷ୍କାସିତ ପରିତ୍ୟକ୍ତ ଅପରିଷ୍କାର ପାଣିକୁ ଏଣେତେଣେ ଛାଡି ଜଳଉତ୍ସଗୁଡିକୁ ପ୍ରଦୂଷିତ କରିବାକୁ ଦିଆଯିବ ନାହିଁ। ଘରୁ ସଂଗୃହୀତ କଠିନ ବର୍ଜ୍ୟକୁ ତରଳ ବର୍ଜ୍ୟରୁ ଅଲଗା କରି ତାହାର ସ୍ୱତନ୍ତ୍ର ପରିଚାଳନା କରାଯିବ । ସେସବୁକୁ ଏଠିସେଠି ନ ପକାଇ ତାହାକୁ ତିନିଆର୍ ସୂତ୍ର( ରିଡ୍ୟୁସ୍‌, ରିୟୁଜ ଓ ରିସାଇକ୍ଲ)ରେ ଉପଯୋଗ କରାଯିବ । ସହରର ଆବର୍ଜନା ସୁପରିଚାଳନା ଏହି ଯୋଜନାର ପ୍ରଥମ ଲକ୍ଷ୍ୟ ।

ବିଗତ ସାତବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ ଦେଶର କୋଣ ଅନୁକୋଣରେ ପହଞ୍ଚିଛି । ‘ଲୋକ ପ୍ରଥମ’ ଆଭିମୁଖ୍ୟ ନେଇ ପରିଚାଳିତ ଏହି ଅଭିଯାନ ମାଧ୍ୟମରେ ଦେଶର ଅଗଣିତ ଜନତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି । ସହରାଞ୍ଚଳରେ ଏହି ଯୋଜନା ସ୍ୱଚ୍ଛତା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏଥିରେ ସମଗ୍ର ଦେଶଷର ବିଭିନ୍ନ ସହରାଞ୍ଚଳରେ ୭୦ଲକ୍ଷ ଘରୋଇ, ଗୋଷ୍ଠୀଗତ ଓ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇ ଲୋକଙ୍କୁ ମର‌୍ୟ୍ୟାଦାପୂଣ୍ଣ ଶୌଚ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଏଥିରେ ମହିଳା, ତୃତୀୟଲିଙ୍ଗୀ ଓ ଦିବ୍ୟାଙ୍ଗଙ୍କ ସ୍ୱାର୍ଥ ଅଗ୍ରାଧିକାର ପାଇଛି ।

ଏଯାବତ୍ ସମଗ୍ର ଦେଶରେ ୩୩୦୦ ସହର ଓ ୯୫୦ରୁ ଅଧିକ ନଗରକୁ ଯଥାକ୍ରମେ ଓଡିଏଫ୍‌+ ଏବଂ ଓଡିଏଫ++ ମାନ୍ୟତା ମିଳିଛି । ଏହାଛଡା ୯ଟି ନଗରକୁ ୱାଟର + ମାନ୍ୟତା ପ୍ରଦାନ କରାଯାଇଛି । ବର୍ଜ୍ୟଜଳର ବିଶୋଧନ କରାଯାଇ ତାହାର ପୁନର୍ବ୍ୟବହାର ବ୍ୟବସ୍ଥା ସହିତ ବୈଜ୍ଞାନିକ ପ୍ରଣାଳୀରେ ବର୍ଜ୍ୟବସ୍ତୁର ପରିଚାଳନା କରାଯାଉଛି । ୨୦୧୪ରେ ଦେଶର ସହରାଞ୍ଚଳରେ ଏ ସୁବିଧା ମାତ୍ର ୧୪ ଶତାଂଶ ଥିବାବେଳେ ଏବେ ତାହା ୭୦ଶତାଂଶରେ ପହଞ୍ଚିଛି ।

ଅମୃତ ୨.୦- ଦେଶର ୫୦୦ସହରରେ ଅମୃତ ଯୋଜନାରେ ସବୁ ଘରକୁ ସ୍ୱିଓରେଜ କିମ୍ବା ସେପ୍ଟେଜ ସଂଯୋଗ ଯୋଗାଇ ଦେବା ସହ ଅମୃତ ୨.୦ରେ ୪୭୦୦ ମାନ୍ୟତାପ୍ରାପ୍ତ (ଷ୍ଟାଚ୍ୟୁଟାରୀ) ସହରରେ ସବୁ ଘରକୁ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ବଜେଟ୍‌ରେ ଅମୃତ ୨.୦ ପାଇଁ ମୋଟ ୨, ୯୯, ୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଅର୍ଥ ମଧ୍ୟରେ ଏବେ କାର‌୍ୟ୍ୟକାରୀ ହେଉଥିବା ଅମୃତ ମିଶନ ପାଇଁ ୨୨, ୦୦୦କୋଟି ଟଙ୍କା ପାଞ୍ଚବର୍ଷ ପାଇଁ ବ୍ୟୟବରାଦ ହୋଇଛି । ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ ହେବ । ଏ ବାବଦରେ ମୋଟ କେନ୍ଦ୍ରୀୟ ଅଂଶ ୮୬, ୭୬୦ ଟଙ୍କା । ଏଥିରେ ଅମୃତ ପ୍ରକଳ୍ପ ବାବଦ ୧୦ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ ।

୨୦୧୫ରେ ଅମୃତ ଯୋଜନା ପ୍ରଥମେ ଦେଶର ୫୦୦ ସହରରେ ଆରମ୍ଭ ହୋଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ୨୦୨୧ ଅକ୍ଟୋବର ପହିଲାରେ ଅମୃତ ୨.୦ ଯୋଜନାର ଶୁଭାରମ୍ଭ କରିଥିଲେ । ଆତ୍ମନିର୍ଭର ଭାରତ ଯୋଜନାରେ ସହରଗୁଡିକୁ ସମର୍ଥ ଓ ସ୍ୱାବଲମ୍ବୀ କରିବାକୁ ଏହା ଉଦ୍ଦିଷ୍ଟ । ଅମୃତ ୨.୦ରେ ୨.୬୪କୋଟି ନୂଆ ସିୱେର ସଂଯୋଗ ଓ ସେପ୍ଟେଜ ପରିଚାଳନା ତଥା ୨. ୬୮କୋଟି ଘରକୁ ନୂଆକରି ପାଇପ ଜଳ ସଂଯୋଗ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ସହରର ଜଳଉତ୍ସ ଓ ଜଳ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରଣାଳୟକୁ ଆବଶ୍ୟକ ତଥ୍ୟ ଯୋଗାଇବାକୁ ପୋର୍ଟାଲ ଖୋଲାଯାଇଛି ।

ସିଟିୱାଟର ବାଲାନ୍ସ ପ୍ଳାନ ସହିତ ସିଟି ୱାଟର ବାଲାନ୍ସ ପ୍ଳାନ ଓ ୱେଷ୍ଟ ୱାଟର ଆକ୍ସନ ପ୍ଲାନ ପ୍ରସ୍ତୁତ କରି ତଦନୁସାରେ କାମ କରିବାର ବ୍ୟବସ୍ଥା କରାଯାଇଛି । ଯେଉଁ ସହରର ଲୋକସଂଖ୍ୟା ଏକ ଲକ୍ଷରୁ ଅଧିକ ସେଠାରେ ୨୪ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥାକୁ ଉତ୍ସାହିତ କରିବାର ବ୍ୟବସ୍ଥା ରହିଛି । ସେହିଭଳି ଘରୋଇ ଓ ଶିଳ୍ପଗତ ଜଳ ଆବଶ୍ୟକତା ପୂରଣ ପାଇଁ ନୀତି ପ୍ରସ୍ତୁତ ହୋଇଛି । ସବୁଠୁ ବଡ କଥା ହେଲା ସିଧାସଳଖ ଟ୍ୟାପଜଳକୁ ପିଇବା ଯୋଗ୍ୟ କରିବା ଉପରେ ଯୋଜନାରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପୌରାଞ୍ଚଳଗୁଡିକୁ ସ୍ୱତନ୍ତ୍ରଭାବେ ଉତ୍ସାହିତ କରାଯାଉଛି ।