ବ୍ରହ୍ମପୁର: (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମଧୁମେହ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଆଳସ୍ୟ, ଅଧିକ ଧାତୁକ୍ଷୟ, ମଧୁର, ଦହି ଜାତୀୟ ଖାଦ୍ୟ, ଦିବା ନିଦ୍ରା ଏହି ରୋଗର କାରଣ।
ମଧୁମେହରୁ ମୁକ୍ତ ପାଇଁ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ଉଷ୍ଣଜଳରେ ଲେମ୍ବୁ ଲୁଣ ସର୍ବତ ପାନ, ପ୍ରାତଃ ଭ୍ରମଣ,ଯୋଗ, ଆସନ, ପ୍ରାଣାୟାମ କରିବେ। ଖାଦ୍ୟରେ ଗଜାମୁଗ, ସୋଲା ଚଣା, ବିଟ, ଗାଜର, ମୂଳା, ପିଆଜ, କାକୁଡି ସାଲାଡ଼ ପଚିଶ ପ୍ରତିଶତ ଖାଇବେ ଓ ତେଲ, ଆମିଷ, କ୍ଷୀର ଜାତୀୟ ସମସ୍ତ ଖାଦ୍ୟ କୁ ଦୁରେଇ ଓ ଚିନ୍ତା ମୁକ୍ତ ଜୀବନ ବିତାଇଲେ ଶୀଘ୍ର ମଧୁମେହ,ରକ୍ତଚାପ, କୋଲେଷ୍ଟେରଲ୍ ଭଲ ହେଉଥିବା ସୂଚନା ଦେଇଥିଲେ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଇତ୍ୟାଦିର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ। ରୋଗୀଙ୍କୁ ଔଷଧ ବିତରଣ କରାଯାଇଥିଲା। ଶିବିର ପରିଚାଳନାରେ କେ. ବାଳକୃଷ୍ଣ ପାତ୍ର ସହଯୋଗ କରିଥିଲେ।
ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ। ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଡାଃ. ନକୁଳ ସାହୁ ଅନୁରୋଧ କରିଛନ୍ତି।


