କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବାଘ, ସିଂହ ଆଦି ପ୍ରଜାତିର ସଂରକ୍ଷଣ କ୍ଷେତ୍ରରେ ଭାରତର ନେତୃତ୍ୱକୁ ଦର୍ଶାଇବା ଏବଂ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (IBCA)ର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ କେତେକ ବିଷୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ଭାରତର ପାଞ୍ଚଟି ଜଙ୍ଗଲୀ ବ୍ୟାଘ୍ର ପ୍ରଜାତି – ବାଘ, ଏସୀୟ ସିଂହ, କଲରାପତ୍ରିଆ, ବରଫାଞ୍ଚଳରେ ବାସ କରୁଥିବା ଚିତାବାଘ ଏବଂ ଚିତାମାନଙ୍କ ସଂରକ୍ଷଣ ସଂପର୍କରେ ଆୟୋଜନ ହେବ। ଏସବୁ କାର୍ଯ୍ୟକ୍ରମରେ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ସଂରକ୍ଷଣରେ ଗ୍ରହଣ କରାଯାଇଥିବା ସଫଳତା, ଚ୍ୟାଲେଞ୍ଜ ଏବଂ ସହଯୋଗୀ ପ୍ରୟାସକୁ ପ୍ରଦର୍ଶନ କରିବ।
ଏସବୁ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଆୟୋଜନ କରାଯିବ। ଏହାର ଶୀର୍ଷକ ରହିବ କଲରାପତ୍ରିଆ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ । ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ହେଉଛି ଗୁଜରାଟର ଗିର୍ରେ ଏସୀୟ ସିଂହ ସଂରକ୍ଷଣ କାର୍ଯ୍ୟକ୍ରମ, ମଧ୍ୟପ୍ରଦେଶର ଭୋପାଳରେ ଚିତା ସଂରକ୍ଷଣ କାର୍ଯ୍ୟକ୍ରମ, ସିକିମର ଗ୍ୟାଙ୍ଗଟକ୍ରେ ତୁଷାର ଚିତାବାଘ ସଂରକ୍ଷଣ କାର୍ଯ୍ୟକ୍ରମ ଓ ମହାରାଷ୍ଟ୍ର ଚନ୍ଦ୍ରପୁରରେ ବାଘ ସଂରକ୍ଷଣ କାର୍ଯ୍ୟକ୍ରମ।
ଏହି ପ୍ରାକ-ଶିଖର ସମ୍ମିଳନୀ କାର୍ଯ୍ୟକ୍ରମଗୁଡ଼ିକ ସଚେତନତାର ପ୍ରସାର, ଅଂଶୀଦାରଙ୍କ ସମ୍ପୃକ୍ତିକୁ ସୁଦୃଢ଼ କରିବା ଏବଂ ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଅଧୀନରେ ଭାରତର ସଂରକ୍ଷଣ ସଫଳତା କାହାଣୀକୁ ଦର୍ଶାଇବା ପାଇଁ ଡିଜାଇନ୍ କରାଯାଇଛି। ଏସବୁ କାର୍ଯ୍ୟକ୍ରମଗୁଡ଼ିକ ଏହା ମଧ୍ୟ ଦର୍ଶାଇବେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଭାରତର ନେତୃତ୍ବରେ କିପରି ଆଇବିସିଏ ପରି ଏକ ବୈଶ୍ବିକ ମେଣ୍ଟ ସ୍ଥାପନ ହୋଇପାରିଛି।
ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା କଲରାପତ୍ରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମର ଶୀର୍ଷକ ରହିବ ‘ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ’। ସାରା ଭାରତର ସର୍ବାଧିକ ବିସ୍ତୃତ ଅଂଚଳରେ ରହୁଥିବା ବ୍ୟାଘ୍ର ପ୍ରଜାତି ହେଉଛି କଲରାପତ୍ରିଆ ବାଘ। ସେମାନେ ପ୍ରାୟତଃ ମାନବ ବସତି ନିକଟବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି। କଲରାପତ୍ରିଆଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ପଦକ୍ଷେପ ମଧ୍ୟରେ ରହିଛି ମାନବ-ବନ୍ୟପ୍ରାଣୀ ସଂଘର୍ଷ ପ୍ରଶମନ କାର୍ଯ୍ୟକ୍ରମ ଏବଂ ଦ୍ରୁତ ପ୍ରତିକ୍ରିୟା ଦଳ, ଉଦ୍ଧାର ଏବଂ ପୁନର୍ବାସ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସହାବସ୍ଥାନକୁ ପ୍ରୋତ୍ସାହିତ କରୁଥିବା ଜନସଚେତନତା ଅଭିଯାନ, ବନ ବିଭାଗର ଆଗଧାଡ଼ିର କର୍ମଚାରୀଙ୍କ ପାଇଁ କ୍ଷମତା-ନିର୍ମାଣ କାର୍ଯ୍ୟ, ସଂଘର୍ଷପ୍ରବଣ ବ୍ୟକ୍ତିମାନଙ୍କୁ ଟ୍ରାକ୍ ଏବଂ ନିରୀକ୍ଷଣ କରିବା ପାଇଁ ପ୍ରଯୁକ୍ତିର ବ୍ୟବହାର। ଓଡ଼ିଶାର ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକ ଇକୋସିଷ୍ଟମ ପୁନରୁଦ୍ଧାର ଏବଂ ସାମୁଦାୟିକ ଅଂଶଗ୍ରହଣ ସହିତ ଆନ୍ତରିକ ଭାବରେ ଜଡିତ ରହିଛି। ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ ଭୁବନେଶ୍ବରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାନବ-ପ୍ରଧାନ ଭୂଦୃଶ୍ୟରେ ସହାବସ୍ଥାନ ଏବଂ ଜୈବ ବିବିଧତା ସଂରକ୍ଷଣ ଉପରେ ଗୁରୁତ୍ୱ ଦେବ।
ଏସବୁ କାର୍ଯ୍ୟକ୍ରମ ଶୃଙ୍ଖଳାର ଆଉ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ଗିର୍ଠାରେ ଏସୀୟ ସିଂହମାନଙ୍କ ସଂରକ୍ଷଣ ଉପରେ କାର୍ଯ୍ୟକ୍ରମ। ଏହାର ଶୀର୍ଷକ ରଖାଯାଇଛି ‘ଭାରତର ଅନନ୍ୟ ସଂରକ୍ଷଣ ସଫଳତା’। ଏସୀୟ ସିଂହ କେବଳ ଭାରତରେ ବଞ୍ଚି ରହିଛି ଏବଂ ଏହା ବିଶ୍ୱର ସବୁଠାରୁ ସଫଳ ପ୍ରାଣୀ ପ୍ରଜାତି ସଂରକ୍ଷଣ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଏଥିଲାଗି କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ପଦକ୍ଷେପ ମଧ୍ୟରେ ରହିଛି ଦୀର୍ଘକାଳୀନ ସଂରକ୍ଷଣ ଏବଂ ବାସସ୍ଥାନ ବିସ୍ତାର ପାଇଁ ‘ପ୍ରୋଜେକ୍ଟ ଲାୟନ୍’ କାର୍ଯ୍ୟକାରୀ ହେବା, ବୈଜ୍ଞାନିକ ପଦ୍ଧତିରେ ସିଂହସଂଖ୍ୟା ନିରୀକ୍ଷଣ ଏବଂ ରୋଗ ନିରୀକ୍ଷଣ ବ୍ୟବସ୍ଥା, ବୃହତ୍ତର ଗିର୍ ଭୂଖଣ୍ଡ ମଧ୍ୟରେ ବାସସ୍ଥାନ ଉନ୍ନତି ଏବଂ ଶିକାର ଉପଲବ୍ଧତା ବୃଦ୍ଧି, ଗିର୍ ସୁରକ୍ଷିତ କ୍ଷେତ୍ର ବାହାରେ ଆଖପାଖ ଭୂଦୃଶ୍ୟରେ ସିଂହଗୁଡ଼ିକର ବିତରଣ, ସଂଘର୍ଷ ହ୍ରାସ ପାଇଁ ଉଦ୍ଧାର ଏବଂ ଦ୍ରୁତ ପ୍ରତିକ୍ରିୟା ଦଳ, ପ୍ରଜାତି ସଂରକ୍ଷଣରେ ମାଲଧାରୀ ଭଳି ସମ୍ପ୍ରଦାୟର ଭୂମିକା ଏବଂ ସମ୍ପ୍ରଦାୟ ଅଂଶଗ୍ରହଣ ଏବଂ ପଶୁପାଳନ କ୍ଷତିପୂରଣ ବ୍ୟବସ୍ଥା ପାଇଁ ଗୁଜରାଟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ।
ଅନ୍ୟପକ୍ଷରେ ମହାରାଷ୍ଟ୍ରର ଚନ୍ଦରପୁରରେ ହେବାକୁ ଥିବା ବାଘ ସଂରକ୍ଷଣ ସଂପର୍କିତ କାର୍ଯ୍ୟକ୍ରମର ଶୀର୍ଷକ ରହିଛି ‘ଭାରତୀୟ ବନ ସଂରକ୍ଷଣର ମୁଖ୍ୟ ପ୍ରତୀକ’। ଭାରତର ବାଘ ମାନଙ୍କ ସଂଖ୍ୟା ବୃଦ୍ଧି ଦିଗରେ ଭାରତର ଉଲ୍ଲେଖନୀୟ ସଫଳତା ଓ ସେମାନଙ୍କ ବାସସ୍ଥଳୀ ଓ କରିଡର ସୁରକ୍ଷା ଦିଗର ନିଆଯାଉଥିବା ପଦକ୍ଷେପକୁ ଏହି କାର୍ଯ୍ୟକ୍ରମ ଦର୍ଶାଇବ। ଭାରତରେ ବିଶ୍ୱର ୭୦ ପ୍ରତିଶତରୁ ଅଧିକ ଜଙ୍ଗଲୀ ବାଘ ବାସ କରନ୍ତି ଏବଂ ପ୍ରୋଜେକ୍ଟ ଟାଇଗର ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଅଧୀନରେ ନିରନ୍ତର ପ୍ରୟାସ ମାଧ୍ୟମରେ ବାଘ ସଂରକ୍ଷଣରେ ବିଶ୍ୱସ୍ତରରେ ଏକ ଅଗ୍ରଣୀଦେଶ ଭାବରେ ଉଭା ହୋଇଛି।
ସେହିପରି ହିମ ଚିତାବାଘ ସଂପର୍କରେ ସିକ୍କିମରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ଶୀର୍ଷକ ରହିଛି ‘ ହିମାଳର ପ୍ରହରୀ’। ହିମାଳୟ ବାତାବରଣର ସ୍ୱାସ୍ଥ୍ୟ ସୂଚକ ହେଉଛି ହିମାଳୟ ଚିତାବାଘ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ବାସସ୍ଥାନ ଅବକ୍ଷୟ ଯୋଗୁଁ ସେମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ନଷ୍ଟ ହେଉଥିବା ହିମାଳୟ ବାତାବରଣର ସୁରକ୍ଷା ଓ ହିମ ଚିତାବାଘଙ୍କ ସୁରକ୍ଷାରେ ସ୍ଥାନୀୟ ସମୁଦାୟଙ୍କ ଭୂମିକା ଉପରେ ଗୁରୁତ୍ବ ରଖିବ।
ଚିତାବାଘ ଉପରେ ଆୟୋଜିତ ଭୋପାଳରେ ହେବାକୁ ଥିବା କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ‘ଭାରତର ତୃଣଭୂମି ପରିସ୍ଥିତିତନ୍ତ୍ରର ପୁନରୁଦ୍ଧାର’ । ‘ପ୍ରୋଜେକ୍ଟ ଚିତା’ ଅଧୀନରେ, ଭାରତ ବୃହତ୍ ମାଂସାଶୀ ପ୍ରାଣୀଙ୍କ ଲାଗି ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ସ୍ଥାନାନ୍ତର ପ୍ରକଳ୍ପ କାର୍ଯ୍ୟକାରୀ କରିଛି।
ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ, ବିଶ୍ୱବ୍ୟାପୀ ସାତଟି ପ୍ରମୁଖ ବ୍ୟାଘ୍ର ପ୍ରଜାତି ସଂରକ୍ଷଣ ପାଇଁ ବିଶ୍ୱବ୍ୟାପୀ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି। ଏଦିଗରେ ପ୍ରସ୍ତାବିତ ବିଷୟଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ଗୋଟିଏ ମଞ୍ଚଭାବେ କାର୍ଯ୍ୟ କରିବ। ସେଗୁଡ଼ିକ ମଧ୍ୟରେ ରହିଛି ବଡ଼ ବିଲେଇ ସଂରକ୍ଷଣ ଉପରେ କେନ୍ଦ୍ରିତ ପ୍ରଥମ ପ୍ରକାରର ବିଶ୍ୱବ୍ୟାପୀ ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରିବା, ବ୍ୟାପୀ ସହଯୋଗକୁ ପ୍ରୋତ୍ସାହିତ କରିବା, ସଂରକ୍ଷଣ ସମ୍ବନ୍ଧୀୟ ଜ୍ଞାନ ଆଦାନପ୍ରଦାନ, ନୀତିଗତ ପଦକ୍ଷେପଗୁଡ଼ିକ ଉପରେ ଗୁରୁତ୍ବ, ଜନସଚେତନତା ବୃଦ୍ଧି କରିବା ଏବଂ ବନ୍ୟପ୍ରାଣୀ ସଂରକ୍ଷଣରେ ଭାରତର ନେତୃତ୍ୱକୁ ସୁଦୃଢ଼ କରିବା।
ଏହି କାର୍ଯ୍ୟକ୍ରମଗୁଡ଼ିକ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ ବନ ବିଭାଗ, ଏନଟିସିଏ, ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ଜାତୀୟ ଜୈବ ବିବିଧତା ପ୍ରାଧିକରଣ, ଭାରତୀୟ ବନ ପରିଚାଳନା ସଂସ୍ଥାନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହଯୋଗରେ ଆୟୋଜନ କରାଯାଉଛି।


