ଭୁବନେଶ୍ଵର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଡିଏଭି ପୋଖରୀପୁଟର ୨୭୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୧ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନ ବିଭାଗରେ ବିଦ୍ୟାଳୟର ସାମଗ୍ରିକ ହାର ୮୦.୦୪ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗରେ ୮୮.୮୪ ପ୍ରତିଶତ ଓ କଳା ବିଭାଗରେ ୮୯.୬୧ ପ୍ରତିଶତ ରହିଅଛି । ବିଜ୍ଞାନରେ ପ୍ରଥମ ଶୁଭମ ଶାଶ୍ୱତ ଓଝା, ଦ୍ଵିତୀୟ ଶ୍ରୀମୟୀ ପାଣିଗ୍ରାହୀ, ତୃତୀୟ ଅସ୍ମିତ୍ ହୋତା, ବାଣିଜ୍ୟରେ ପ୍ରଥମ ମଧୁସ୍ମିତା ଜେନା ଏବଂ ଶାଶ୍ଵତ ଦାଶ, ଦ୍ଵିତୀୟ ରିତିକା ଯୋଶୀ, ତୃତୀୟ ପ୍ରିୟାଂଶୁ ମହାନ୍ତି ଓ କଳାରେ ସ୍ୱୟଂଶିଖା ପଟ୍ଟନାୟକ ପ୍ରଥମ, ସମୃଦ୍ଧି ସମ୍ପଦା ଦ୍ଵିତୀୟ ଓ ସମୃଦ୍ଧି ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନେ ଏହି ସଫଳତା ପାଇଁ ଈଶ୍ୱରଙ୍କ ଆଶୀର୍ବାଦ, ମାତାପିତାଙ୍କ ଉଚିତ ପରାମର୍ଶ, ବିଦ୍ୟାଳୟର ଅଧକ୍ଷ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଦ୍ଵାରା ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନିମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା ସମିତିର ଚେୟାରମ୍ୟାନ୍ ଶ୍ରୀ ମଦନ ମୋହନ ପଣ୍ଡା, ଡିଏଭି ଶିକ୍ଷାନୁଷ୍ଠାନ ସମୂହ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଓ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ ଏହି ସଫଳତା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।


