ଭୁବନେଶ୍ୱର: ବିଶ୍ୱ ଷ୍ଟ୍ରୋକ୍ ଦିବସ ୨୦୨୫ ଅବସରରେ ପ୍ରଭାବଶାଳୀ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ପାଇଁ ଓଡ଼ିଶାସ୍ଥିତ ‘ଆଇଏଫଆଇ ଫାଉଣ୍ଡେସନ’କୁ ବିଶ୍ୱ ଷ୍ଟ୍ରୋକ୍ ସଙ୍ଗଠନ (ଡବ୍ଲ୍ୟୁଏସଓ) ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ମିଳିଛି। ବ୍ରେନ୍ ଷ୍ଟ୍ରୋକ୍ ସଚେତନତା ଓ ପରିଚାଳନା କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସାମାଜିକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ସାମୂହିକ କାର୍ଯ୍ୟକୁ ପ୍ରଶଂସା କରି ଡବ୍ଲ୍ୟୁଏସଓ ଏହା ଘୋଷଣା କରିଛି।
ଗତ ଚାରିବର୍ଷ ଧରି ଷ୍ଟ୍ରୋକ ସଚେତନତା ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଛି ଆଇଏଫଆଇ ଫାଉଣ୍ଡେସନ। ଏହି ଉଦ୍ୟମ ପାଇଁ ‘ନିମ୍ନ ଏବଂ ମଧ୍ୟମ ଆୟକାରୀ ବର୍ଗ ଦେଶ’ ବର୍ଗରେ ଆଇଏଫଆଇକୁ ଏହି ସ୍ୱୀକୃତି ମିଳିଛି।
ଏହି ସଫଳତା ପାଇଁ ବିଶ୍ୱ ଷ୍ଟ୍ରୋକ୍ ସଙ୍ଗଠନର ସଭାପତି ପ୍ରଫେସର ଜେୟରାଜ ପାଣ୍ଡିଆନ ଆଇଏଫଆଇ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘‘ଷ୍ଟ୍ରୋକ୍ ସଚେତନତା କ୍ଷେତ୍ରରେ ଗତବର୍ଷ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ। ପ୍ରଭାବଶାଳୀ ବିଷୟ ସଂଯୋଜନା, ଉପଯୁକ୍ତ ମିଡିଆ ପରିଚାଳନା ଏବଂ ବିଶ୍ୱ ଷ୍ଟ୍ରୋକ୍ ସଙ୍ଗଠନର ଲକ୍ଷ୍ୟ ସହିତ ତାଳଦେଇ ଆଇଏଫଆଇ ଏହି ଅଭିଯାନକୁ ବେଶ ସମୟ ଉପଯୋଗୀ କରିପାରିଛି।’’
ଏହା ସହିତ ଡବ୍ଲ୍ୟୁଏସଓ ଏହାର ୱେବସାଇଟରେ ଆଇଏଫଆଇ ଫାଉଣ୍ଡେସନର ଷ୍ଟ୍ରୋକ୍ ସଚେତନତା ଅଭିଯାନକୁ ମଧ୍ୟ ପ୍ରଶଂସା କରିଛି। ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ବର୍ଗରେ ମୋଟ ଚାରିଟି ସାମାଜିକ ସଂଗଠନ ଓ ଜଣେ ବ୍ୟକ୍ତିଙ୍କୁ ଏଥର ଏହି ସମ୍ମାନ ପ୍ରଦାନ କରାଯାଇଛି।
ବ୍ରେନ୍ ଷ୍ଟ୍ରୋକର ପ୍ରଭାବ ଓ ଏହାର ମୁକାବିଲା ସମ୍ପର୍କରେ ସବୁ ବର୍ଗର ଲୋକଙ୍କୁ ସଚେତନ କରିବା ପାଇଁ ଆଇଏଫଆଇ ପକ୍ଷରୁ ୨୦୨୩ରୁ ‘ଷ୍ରୋକ୍-ମୁକ୍ତ ଜୀବନ’ ଶୀର୍ଷକରେ ଜନସଚେତନତା ଅଭିଯାନ କରାଯାଉଛି। ଏହା ଅଧୀନରେ ଷ୍ଟ୍ରୋକ୍ ପ୍ରତିଷେଧକ, ପ୍ରାରମ୍ଭିକ ଚିହ୍ନଟ, ଜରୁରିକାଳୀନ ପଦକ୍ଷେପ, ପୁନର୍ବାସ ଏବଂ ଏହାର ଦୀର୍ଘକାଳୀନ ପରିଚାଳନା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି। ଯୁବପିଢ଼ିଙ୍କୁ ଏଥିରେ ଯୋଡ଼ି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି।
‘‘ବିଶ୍ୱ ଷ୍ରୋକ୍ ସଙ୍ଗଠନ ପକ୍ଷରୁ ଯେଉଁ ସମ୍ମାନ ମିଳିଛି ସେଥିରେ ଆମେ ବେଶ୍ ଉତ୍ସାହିତ। ଷ୍ରୋକ୍ ସମ୍ପର୍କିତ ସଚେତନତା ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଭିନ୍ନ ସମୟରେ ଆମକୁ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ଆମେ ଏହି ସଫଳତାର ଶ୍ରେୟ ଦେଉଛୁ’’, କହିଛନ୍ତି ଫାଉଣ୍ଡେସନର ସହ-ଅଧ୍ୟକ୍ଷ ନୀଳାମ୍ବର ରଥ।
ଡବ୍ଲ୍ୟୁଏସଓର ରିପୋର୍ଟ ଅନୁଯାୟୀ, ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ପ୍ରତି ୪ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଏହାର ଶିକାର ହେବାର ଆଶଂକା ସୃଷ୍ଟିହୋଇଛି। ଏହାର ଲକ୍ଷଣ, ପ୍ରତିଷେଧକ ଓ ଚିକିତ୍ସା ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ଆଇଏଫଆଇ ପକ୍ଷରୁ ପଦକ୍ଷେପ ନିଆଯାଉଛି।


