ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ମହାରାଷ୍ଟ୍ରର ପୁଣେଠାରେ ଜାତୀୟ ବ୍ୟାଙ୍କ ପରିଚାଳନା ପ୍ରତିଷ୍ଠାନ (ଏନଆଇବିଏମ)ର ବିଂଶତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇଛନ୍ତି । ସମାରୋହରେ ଯୋଗଦେବାକୁ ନେଇ ସେ ଖୁସି ପ୍ରକାଶ କରିବା ସହିତ ୨୦୨୪-୨୬ ବ୍ୟାଚ୍ ର ଛାତ୍ରଛାତ୍ରୀ ଏବଂ ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।
ସେ କହିଥିଲେ, ସ୍ନାତକମାନେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ବୃତ୍ତିଗତ ଜଗତରେ ପ୍ରବେଶ କରୁଛନ୍ତି । ବର୍ତ୍ତମାନ ସମୟରେ ବ୍ୟାଙ୍କ ବ୍ୟବସ୍ଥା ସରଳ ବାଣିଜ୍ୟଠାରୁ ବହୁ ଦୂରକୁ ବିସ୍ତାରିତ ହୋଇଛି । ସମାବର୍ତ୍ତନ ସମାରୋହଗୁଡ଼ିକ ସଫଳତାର ମାଇଲଖୁଣ୍ଟ; କିନ୍ତୁ ଏହା ପରିବର୍ତ୍ତନର ମୁହୂର୍ତ୍ତ ମଧ୍ୟ ଡକ୍ଟର ମିଶ୍ର କହିଥିଲେ।
ଅଗ୍ରଣୀ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ଭାବରେ ଏନଆଇବିଏମର ପାଞ୍ଚ ଦଶନ୍ଧିର ଐତିହ୍ୟ ଉପରେ ଆଲୋକପାତ କରି ଡକ୍ଟର ମିଶ୍ର ସାଂଗଠନିକ ଉତ୍କର୍ଷତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସମ୍ପର୍କରେ କହିଥିଲେ । ସେ କହିଥିଲେ, ପାରମ୍ପରିକ ବ୍ୟାଙ୍କିଙ୍ଗ କେବଳ ସଞ୍ଚୟ ସଂଗ୍ରହ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବେଳେ, ସମସାମୟିକ ଦୃଶ୍ୟପଟ ଜାତୀୟ ସୁଯୋଗ ଉପରେ ବ୍ୟାପକ ଧ୍ୟାନ ଦାବି କରେ। ସେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଏହି ପରିବର୍ତ୍ତିତ ପରିଦୃଶ୍ୟକୁ କରିବା ଲାଗି ଆହ୍ୱାନ କରିଥିଲେ। ଆଗାମୀ ଦିନରେ, ଆପଣଙ୍କୁ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଏକ ସୁଯୋଗ, ବିଶ୍ୱାସ ଏବଂ ଜାତୀୟ ବିକାଶର ଢାଞ୍ଚା ରୂପେ ଅଧିକ ବ୍ୟାପକ ଅର୍ଥରେ ଦେଖିବାକୁ ପଡିବ ବୋଲି ସେ କହିଥିଲେ।
ପାରମ୍ପରିକ ଅର୍ଥନୀତି ବିଷୟରେ ମତ ରଖି ଡକ୍ଟର ମିଶ୍ର କହିଥିଲେ, ଐତିହାସିକ ଦୃଷ୍ଟିରୁ ବିତ୍ତୀୟ ବ୍ୟାପାର ପ୍ରଚ୍ଛଦପଟ୍ଟରେ ରହି ଏକ ନିରବ ସହାୟକ ଭୂମିକା ନିର୍ମାହ କରିଥିଲା । ବାସ୍ତବ ଅର୍ଥବ୍ୟବସ୍ଥା ଏବଂ ବିତ୍ତୀୟ ବ୍ୟାପାର ମଧ୍ୟରେ ସମ୍ପର୍କକୁ ଭଲ ଭାବରେ ବୁଝି ହୋଇନଥିଲା । ପ୍ରାୟତଃ କମ୍ ସୁବିଧାପ୍ରାପ୍ତ ଲୋକଙ୍କୁ ଆନୁଷ୍ଠାନିକ ସଂସ୍ଥାଗତ ସହାୟତାରୁ ବାଦ ଦିଆଯାଇଥିଲା। ଏହି ବିକୃତ ଋଣ ଉପଲବ୍ଧତା ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ସେ ଦୃଢ଼ ଭାବେ କହିଥିଲେ । ଋଣ ହେଉଛି ଆର୍ଥିକ କାର୍ଯ୍ୟକଳାପ, ଜୀବିକା ସୃଷ୍ଟି ଏବଂ ନାଗରିକଙ୍କ କଲ୍ୟାଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ସେ ଉଲ୍ଲେଖ କରିଥିଲେ ।
ଗ୍ରାମୀଣ ଋଣ ଅସମାନତା ଉପରେ ଆଲୋକପାତ କରି ଡକ୍ଟର ମିଶ୍ର ବିସ୍ତୃତ ଭାବରେ କହିଥିଲେ, ପ୍ରାରମ୍ଭିକ ଆର୍ଥିକ ତତ୍ତ୍ୱଗୁଡ଼ିକ ଅନୌପଚାରିକ ସାହୁକାରଙ୍କ ପ୍ରାଧାନ୍ୟକୁ ଦୂର କରିବାରେ ବିଫଳ ହୋଇଥିଲା। ଏକାଧିକାର ତତ୍ତ୍ୱଠାରୁ ଆରମ୍ଭ କରି ପ୍ରତିଯୋଗିତାମୂଳକ ବଜାର ମଡେଲ ପର୍ଯ୍ୟନ୍ତ ବିପରୀତ ଦୃଷ୍ଟିକୋଣ ଗରିବଙ୍କ ପାଇଁ ଶସ୍ତା ଏବଂ ପ୍ରାଥମିକତା ଆଧାରିତ ଋଣ ସୁନିଶ୍ଚିତ କରିପାରିନଥିଲା । ନବେ ଦଶକ ସୁଦ୍ଧା, ଅର୍ଥନୀତିଜ୍ଞମାନେ କୌଣସି ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରାଯାଇଥିବା ଭୂମିଗତ ବାସ୍ତବତାକୁ ଅନୁଭବ କରିପାରି ନଥିଲେ। ଉଦାହରଣ ସ୍ୱରୂପ ଶସ୍ତା ସଂସ୍ଥାଗତ ବିକଳ୍ପ ଥିଲେ ମଧ୍ୟ ସାହୁକାରମାନେ ସଫଳତାର ସହିତ ଅତ୍ୟଧିକ ସୁଧ ହାର ଆଦାୟ କରୁଥିଲେ ।
୯୦ ଦଶକର ନିଜ ଗବେଷଣା ଉପରେ ଆଲୋକପାତ କରି ଡକ୍ଟର ମିଶ୍ର କହିଥିଲେ, ସୂଚନା ବିଷମତା ଏବଂ ପ୍ରବର୍ତ୍ତନ ସହ ଜଡ଼ିତ ସମସ୍ୟା କାରଣରୁ ଐତିହାସିକ ଭାବରେ ଗ୍ରାମୀଣ କ୍ଷେତ୍ରରେ ଔପଚାରିକ ଋଣ ଦେବା ମହଙ୍ଗା ରହିଥିଲା ଏବଂ ବନ୍ଧକ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା। ତଥାପି, ପ୍ରଯୁକ୍ତିବିଦ୍ୟା ଏହି ଢାଞ୍ଚାଗତ ଅସୁବିଧାକୁ ମୌଳିକ ଭାବରେ ସମାଧାନ କରିଛି। ପ୍ରଯୁକ୍ତିର ଆଧୁନିକ ପ୍ରୟୋଗ ଏହି ସୂଚନା ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିଛି, ଐତିହାସିକ ବଜାର ବିଷମତାକୁ ପ୍ରଭାବୀ ଢଙ୍ଗରେ ହ୍ରାସ କରିଛି ବୋଲି ସେ ମନ୍ତବ୍ୟ ଦେଇଥିଲେ।
ଡକ୍ଟର ମିଶ୍ର ଦୃଢ଼ତାର ସହ କହିଥିଲେ, ଡିଜିଟାଲ୍ ପରିଚୟ ଏବଂ ମୋବାଇଲ୍ ସଂଯୋଗ ସହିତ ବିତ୍ତୀୟ ବ୍ୟାପାରକୁ ସମନ୍ୱିତ କରିବା ଦ୍ୱାରା ଜନସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦୀର୍ଘକାଳୀନ ପ୍ରତିବନ୍ଧକଗୁଡ଼ିକୁ ଦୂର କରାଯାଇଛି। ସେ ଜାମ୍ (ଜନଧନ, ଆଧାର ଏବଂ ମୋବାଇଲ୍) ତ୍ରୟ ଏବଂ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ଢାଞ୍ଚା ବିଷୟରେ କହିଥିଲେ, ଏହି ବ୍ୟବସ୍ଥା ଦ୍ୱାରା ୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ସ୍ଥାନାନ୍ତର ହୋଇଛି ଏବଂ ବ୍ୟବସ୍ଥାଗତ ପ୍ରଶାସନରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇପାରିଛି । ସେ ଏହି ଉପକରଣଗୁଡ଼ିକୁ ଆର୍ଥିକ ପରିଚୟ ପାଇଁ ଏକ ମୌଳିକ ସେତୁ ଭାବରେ ବର୍ଣ୍ଣନା କରିଥିଲେ। ଡକ୍ଟର ମିଶ୍ର କହିଥିଲେ, ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କେବଳ ଏକ ପ୍ରଯୁକ୍ତି ନୁହେଁ, ଏହା ଅନୌପଚାରିକ ଓ ଔପଚାରିକ ଆର୍ଥିକ ଅଂଶଗ୍ରହଣ, ବିଚ୍ଛିନ୍ନତା ଓ ସୁଯୋଗ, ଅଦୃଶ୍ୟତା ଓ ଆର୍ଥିକ ପରିଚୟ ମଧ୍ୟରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିଥାଏ ।
ଡକ୍ଟର ମିଶ୍ର ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ)କୁ ସାର୍ବଜନୀନକରଣ ଏକ ପ୍ରମୁଖ ଉଦାହରଣ ଭାବରେ ଅଭିହିତ କରିଥିଲେ । ଏଥିରେ ୨୪ ହଜାର କୋଟିରୁ ଅଧିକ ବାର୍ଷିକ କାରବାର ହୋଇଥିବା ସୂଚାଇଲେ । ସେ ଆହୁରି ମଧ୍ୟ କହିଥିଲେ, ବଡ଼ ଆକାରରେ କାମ କରୁଥିବା ଇଣ୍ଟରଅପରେବଲ ସିଷ୍ଟମ ଜରୁରୀ ଡାଟା ଟ୍ରେଲ୍ସ ପ୍ରସ୍ତୁତ କରିଥାଏ। ଏହାଦ୍ୱାରା ସେହି ଲୋକମାନଙ୍କୁ ମଧ୍ୟ ଋଣ ନେବାର ସୁଯୋଗ ମିଳିଥାଏ ଯେଉଁମାନଙ୍କ ପାଖରେ ପାରମ୍ପରିକ ବନ୍ଧକ ରଖିବାର ସୁବିଧା ନାହିଁ । କେଉଁମାନେ ଆର୍ଥିକ ସେବା ପାଇପାରିବେ ତାହା ପ୍ରଯୁକ୍ତିବିଦ୍ୟାରେ ମୌଳିକ ପରିବର୍ତ୍ତନ ଦ୍ୱାରା ନିର୍ଦ୍ଧାରିତ ହେଉଛି । ବିଶ୍ୱର ବିଭିନ୍ନ ଦେଶ ଏବେ ଅତି ଆଗ୍ରହର ସହିତ ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଢାଞ୍ଚାକୁ ଅଧ୍ୟୟନ କରୁଛନ୍ତି। ସମାବେଶୀ ଡିଜିଟାଲ ଅର୍ଥଲଗାଣ ଉପରେ ବିଶ୍ୱର ଚିନ୍ତାଧାରାରେ ଭାରତ ପରିବର୍ତ୍ତନ ଆଣିପାରିଛି ବୋଲି ଡକ୍ଟର ମିଶ୍ର କହିଥିଲେ ।
ଡକ୍ଟର ମିଶ୍ର ଆହୁରି ଜୋର ଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭଳି ପ୍ରୟାସ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଉତ୍ପାଦନଶୀଳ ଆର୍ଥିକ ସୁଯୋଗରେ ପରିଣତ କରିବାକୁ ପଡିବ । ଏହି ଯୋଜନା ୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର କରିଛି। ସେ କହିଥିଲେ, ପ୍ରଧାନମନ୍ତ୍ରୀ ସ୍ୱନିଧି ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଭଳି କାର୍ଯ୍ୟକ୍ରମ ବଞ୍ଚିତ କାରିଗରମାନଙ୍କ ପାଇଁ ଉପଯୁକ୍ତ ଅଭିବୃଦ୍ଧି ସୁନିଶ୍ଚିତ କରିଥାଏ। ଏହା ସେମାନଙ୍କୁ ଶୋଷଣମୂଳକ ଅନୌପଚାରିକ ଋଣରୁ ମୁକ୍ତ କରିଥାଏ। ଉଦ୍ୟୋଗ ବିକାଶ ପ୍ରତିବନ୍ଧିତ ହେଲେ କୌଣସି ସମାଜ ଏହାର ସମ୍ଭାବନାକୁ ଉପଯୋଗ କରିପାରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ସୁଦୃଢ଼ ନୀତି ନିର୍ଦ୍ଧାରଣ ଏବଂ ଅସାଧାରଣ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଜନ ଧନ ଓ ଆଧାର ଭଳି ମୌଳିକ ଉପାଦାନକୁ ନେଇ ବହୁମୁଖି ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ।
ଅର୍ଥଲଗାଣକୁ ସାମାଜିକ ସୁରକ୍ଷା ସହ ଯୋଡ଼ି ଡକ୍ଟର ମିଶ୍ର ଆୟୁଷ୍ମାନ ଭାରତ ଏବଂ ବିଭିନ୍ନ ପ୍ରଧାନମନ୍ତ୍ରୀ ପେନସନ ଯୋଜନାର ଉଦାହରଣ ଦେଇଥିଲେ । ଏହିସବୁ ଯୋଜନା ଫସଲ ହାନି ଏବଂ ସ୍ୱାସ୍ଥ୍ୟଜନିତ କ୍ଷତିକୁ ଭରଣା କରିଥାଏ । ସେ କହିଥିଲେ, ଏହି ସମନ୍ୱୟ ଆର୍ଥିକ ଉପଲବ୍ଧତାକୁ ଦୀର୍ଘକାଳୀନ ମାନବ ବିକାଶକୁ ସମର୍ଥନ କରେ। ତଥାପି, ପରବର୍ତ୍ତୀ ପର୍ଯ୍ୟାୟରେ କେବଳ ଉପଲବ୍ଧତାଠାରୁ ଆଗକୁ ବଢ଼ି ନିରନ୍ତର ଆର୍ଥିକ ଅଂଶଗ୍ରହଣ ଆଡ଼କୁ ଯିବା ଉଚିତ ବୋଲି ସେ ସତର୍କ କରାଇ ଦେଇଥିଲେ । ସେଥିପାଇଁ ଆର୍ଥିକ ସ୍ଥିରତା ହେଉଛି ବିପଦ ସମୟରେ କୌଣସି ପରିବାର ଭାଙ୍ଗି ନ ପଡ଼ି ଆଗକୁ ବଢ଼ିବାର କ୍ଷମତା । ଏହା ଏକ ସାଧାରଣ ଚିନ୍ତାର ବିଷୟ ନୁହେଁ ବୋଲି ଡକ୍ଟର ମିଶ୍ର କହିଥିଲେ ।
ଭବିଷ୍ୟତ ଆଡ଼କୁ ଦୃଷ୍ଟି ଦେଇ ଡକ୍ଟର ମିଶ୍ର ଚେତାଇ ଦେଇଥିଲେ ଯେ, ଏମଏସଏମଇ, ଚାଷୀ ଏବଂ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ବିଶ୍ୱସନୀୟ ଭାବରେ ସେବା ଯୋଗାଇବା ପାଇଁ ଆଧୁନିକ ଆର୍ଥିକ ବ୍ୟବସ୍ଥାକୁ ପ୍ରକୃତ ଅର୍ଥବ୍ୟବସ୍ଥାରେ ସ୍ଥିର ରହିବା ଆବଶ୍ୟକ। ଏଆଇ ଏବଂ ସାଇବର ବିପଦର ଯୁଗରେ, ପ୍ରଯୁକ୍ତିବିଦ୍ୟା ନବସୃଜନକୁ ନୈତିକ ଦାୟିତ୍ୱ ଏବଂ ଜନସାଧାରଣଙ୍କ ବିଶ୍ୱାସ ସହିତ ସନ୍ତୁଳିତ କରାଯିବା ଉଚିତ ବୋଲି ସେ ସତର୍କ କରାଇ ଦେଇଥିଲେ। ଅର୍ଥଲଗାଣ ଦାୟିତ୍ୱକୁ ନୈତିକ ସିଦ୍ଧାନ୍ତ ସହିତ ମିଶ୍ରଣ କରିବା ଉଚିତ। ଏହା ସମାଜର ଉତ୍ପାଦନ କ୍ଷମତାକୁ ବିଚ୍ଛିନ୍ନ କରିବା ପରିବର୍ତ୍ତେ ମଜବୁତ କଲେ ଅର୍ଥଲଗାଣ ଏହାର ସର୍ବୋତ୍ତମ ମୂଲ୍ୟ ସୃଷ୍ଟି କରିଥାଏ ବୋଲି ସେ କହିଥିଲେ ।
ଯୁବ ସ୍ନାତକମାନଙ୍କୁ ପ୍ରତ୍ୟକ୍ଷ ଭାବେ ଉଦବୋଧନ ଦେଇ ଡକ୍ଟର ମିଶ୍ର ସେମାନଙ୍କୁ ନିଜ କର୍ପୋରେଟ୍ କ୍ୟାରିଅରରେ ବୃହତ ଜନକଲ୍ୟାଣ ଉଦ୍ଦେଶ୍ୟ ବହନ କରିବାକୁ ପରାମର୍ଶ ଦେଇଥିଲେ । ସେ ସେମାନଙ୍କୁ ଅନ୍ତର୍ଭୁକ୍ତିମୂଳକ ପ୍ରତିଷ୍ଠାନର ସକ୍ରିୟ ନିର୍ମାତା ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ବିଶ୍ୱସନୀୟତାକୁ ସୁରକ୍ଷା ଦେଉଥିବା ଦୃଢ଼ ସଂରକ୍ଷକ ହେବାକୁ ଆହ୍ୱାନ କରିଥିଲେ। ଏକ ସମୃଦ୍ଧ ଭାରତ ବିକଶିତ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ଡିଜିଟାଲ କାରବାର ପଛରେ ଥିବା ମାନବୀୟ ଉପାଦାନକୁ ମନେ ରଖିବାକୁ ସେମାନଙ୍କୁ ସେ ଉତ୍ସାହିତ କରିଥିଲେ। ମାନବିକ ବୁଝାମଣା ସହିତ ବୈଷୟିକ ଉତ୍କର୍ଷତାକୁ ମିଶ୍ରଣ କରୁଥିବା ଲୋକମାନେ ହେଉଛନ୍ତି ଉତ୍କୃଷ୍ଟ ଆର୍ଥିକ ପେସାଦାର ବୋଲି ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଏନଆଇବିଏମର ନିର୍ଦ୍ଦେଶକ ପ୍ରଫେସର ପାର୍ଥ ରାୟ, ବରିଷ୍ଠ ଅଧ୍ୟାପକ, ଅର୍ଥଶାସ୍ତ୍ରୀ ଓ ବ୍ୟାଙ୍କରମାନେ ଉପସ୍ଥିତ ଥିଲେ ।


