ରଣପୁର : ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ଆଦର୍ଶ ପ୍ରବେଶିକା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ମେଧା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରଣପୁର ବିଡିଓ ମନୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ଧାରଣ କରି ଅଧ୍ୟବସାୟ ମାଧ୍ୟମରେ ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଶିକ୍ଷାବିତ ଅଶୋକ କୁମାର ଦାଶ ଶିକ୍ଷାର ଗୁରୁତ୍ୱ ଓ ଶୃଙ୍ଖଳିତ ଜୀବନର ଆବଶ୍ୟକତା ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ନରସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ସି.ଆର.ସି.ସି. ସୁଶୀଲ କୁମାର ରଣା ଓ ବରିଷ୍ଠ ଶିକ୍ଷକ ମାଗିରାମ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଅଧିକ ସଫଳତା ଲାଭ ପାଇଁ ଉତ୍ସାହିତ କରିଥିଲେ।
ସରପଞ୍ଚ ଝୁନୁବାଳା ରଣସିଂହ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଗ୍ରାମ ପଞ୍ଚାୟତ ଅଧିକାରୀ ମୁନେଶ ପ୍ରଧାନ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ପରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଶିକ୍ଷକ ସୁକାନ୍ତ ବେହେରା, ରମେଶ ବେହେରା, ସମାଜସେବୀ ଭରତ ରଣସିଂହ, ସୁନୀଲ କୁମାର ମହାନ୍ତିଙ୍କ ସହ କାର୍ଯ୍ୟାଳୟ କର୍ମଚାରୀ, ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।


