ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଧଳା ଜହର ବା ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଚିଲିକା ଅଞ୍ଚଳ ମଧ୍ୟ ଏଥିରୁ ବାଦ ପଡିନି। ଯୁବପିଢ଼ି ନିଶା କବଳରେ ପଥଭ୍ରଷ୍ଟ ହେଉଥିବା ବେଳେ ପୋଲିସ ଏବଂ ଅବକାରୀ ବିଭାଗ ଏହାକୁ ରୋକ ଲଗାଇବା ପାଇଁ ଚଢ଼ାଉ ଜାରି ରଖିଛି। ତେବେ ବାଲୁଗାଁ ନୂତନ ଆଇଆଇସି ଶ୍ରଦ୍ଧା ନାୟକଙ୍କ ପ୍ରଚେଷ୍ଟା ଦ୍ୱାରା ଆଜି ଏକ ବ୍ରାଉନ ସୁଗାର ବେପାରି ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି।
ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନୀଲ ପାଢ଼ୀ (୩୧)। ତାଙ୍କ ନିକଟରୁ ସମୁଦାୟ ୧୦.୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ତତସହିତ ଏକ ଜରି ପ୍ୟାକେଟ, ନକଦ ୯୯୦ ଟଙ୍କା ଏବଂ ଏକ ମୋବଇଲ ଫୋନ ମଧ୍ୟ ଜବତ ହୋଇଛି।
ପୋଲିସ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବାଲୁଗାଁ ରାମପୁର ଛକ ରେଳ ଓଭରବ୍ରିଜ ନିକଟରେ ଧଳା ଜହର କାରବାର ହେଉଥିବା ଖବର ପାଇ ଖୋର୍ଦ୍ଧା ଏସପି ସ୍ମିତ ପରମାରଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଆଇଆଇସି ଶ୍ରଦ୍ଧା ନାୟକଙ୍କ ତତ୍ୱାବଧାନରେ ଏସଆଇ ରସ୍ନା ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ବାଲୁଗାଁ ପୋଲିସ ତାଙ୍କୁ ମାଡ଼ିବସିଥିଲା ଏବଂ ଗିରଫ କରି ଅଦାଲତରେ ହଜାର କରିଛି।
ଏ ନେଇ ବାଲୁଗାଁ ଥାନାରେ କେସ ନମ୍ବର ୨୫୧/୨୬ ରେ ଏକ ମାମଲା ରୁଜୁ ହୋଇଥିବାର ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ବାଲୁଗାଁ ଅବକାରୀ କାର୍ଯ୍ୟାଳୟର ଅନତିଦୂରରେ ବ୍ରାଉନ ସୁଗାର କାରବାର ଜାରି ରହିଥିବା ବେଳେ ଅବକାରୀ ବିଭାଗ ଏହାର ଟେର ପାଇପାରୁନି।


