ଭୁବନେଶ୍ବର: ମହାନ୍ ସାରସ୍ୱତ ସାଧକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ଜଗନ୍ନାଥ ପ୍ରସାଦ ଦାସ ୯୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ। ୧୯୭୩ ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଥିଲେ।
୧୯୫୧ରେ ସେ “ସ୍ତବକ” ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ। ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଏସ ଏଫ ଆଇ (ଛାତ୍ର ଫେଡେରେସନ ଅଫ ଇଣ୍ଡିଆ)ର ଏକ ପତ୍ରିକା ବା ଜର୍ଣ୍ଣାଲ “ଆଗାମୀ”ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୂହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ ।
୧୯୭୯ରେ ମିଳିଥିବା “ହୋମି ଭାବା ବୃତ୍ତି”ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ “ପୁରୀ ପେଣ୍ଟିଙ୍ଗସ” ନାମରେ ପ୍ରକାଶ ପାଇଥିଲା । ତାଙ୍କର ଗଳ୍ପ ଭବନାଥ ଓ ଅନ୍ୟମାନେ, ଦିନଚର୍ଯ୍ୟା, ଆମେ ଯେଉଁମାନେ, ସାକ୍ଷାତକାର, ପ୍ରିୟ ବିଦୂଷକ, ଶେଷ ପର୍ଯ୍ୟନ୍ତ, ଇଚ୍ଛାପତ୍ର, ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ ସହିତ ତାଙ୍କର ସର୍ବାଧିକ ଜନପ୍ରିୟ ଉପନ୍ୟାସ ଦେଶ କାଳ ପାତ୍ର ଓ ସୁଭଦ୍ରା ଆଖି ଏବଂ ନାଟକ ମଧ୍ୟରେ ସୂର୍ଯ୍ୟାସ୍ତ ପୂର୍ବରୁ,ସବା ଶେଷ ଛୋଲାକ, ଅସଂଗତ ନାଟକ, ପୂର୍ବରାଗ, ସୁନ୍ଦର ଦାସ ସହିତ ଅନେକ କାବ୍ୟ କବିତା ଓଡ଼ିଆ ବାଣୀ ଭଣ୍ଡାରର ଗୋଟିଏ ଗୋଟିଏ ଅମୂଲ୍ୟ ସଂପତ୍ତି।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାହିତ୍ୟିକମାନେ ଶୋକ ପ୍ରକାଶ କରିଛନ୍ତି।


