ଭୁବନେଶ୍ଵର: ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ଜିଲ୍ଲାରେ ବଢ଼ିଲା ଖରାଛୁଟି । ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲେ ମଧ୍ୟ ଅନେକ ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବାକୁ କହିଛନ୍ତି।
ଅନୁଗୁଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରେ ଖରାଛୁଟି ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୧ ତାରିଖ ରବିବାର ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ସ୍କୁଲ ଓ କଲେଜ ୨୨ ଜୁନରେ ଖୋଲିବ।
ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଏବଂ କିଛି ସ୍ଥାନରେ କଲେଜ ମଧ୍ୟ ବନ୍ଦ ରହିବ। ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ସକାଳ ସମୟରେ ଅନୁଷ୍ଠିତ ହେବା ସହ ଅନଲାଇନ ଶିକ୍ଷାଦାନ ପାଇଁ ପରାମର୍ଶ ଦିଆଯାଇଛି।


