ଅନୁଗୁଳ: ଅପରାଧୀମାନଙ୍କ ପାଇଁ ଆଉ ଖସି ପଳାଇବା ସହଜ ହେବ ନାହିଁ। ଓଡ଼ିଶା ପୁଲିସର ଏନ୍କାଉଣ୍ଟରରେ ମହାରାଷ୍ଟ୍ରର ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀମାନେ ହେଲେ ସଚିନ ଗଜଗେ ଓ ପ୍ରକାଶ ମାଦନେ। ସଚିନଙ୍କ ଡାହାଣ ଗୋଡ଼ରେ ଓ ପ୍ରକାଶଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ପାଞ୍ଚଜଣ ଅପରାଧୀ ତାଳଚେରର ହାଟତୋଟା ଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୂପା ଲୁଟି ଫେରାର ହୋଇଯାଇଥିଲେ। ଦୋକାନ ମାଲିକଙ୍କ ଏତଲା ଆଧାରରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଲୁଟ ହୋଇଥିବା ସୁନା-ରୂପା ଉଦ୍ଧାର ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଜୋରଦାର ଚଢ଼ାଉ ଚଳାଇଥିଲା।
ଏହି ସମୟରେ ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତମାନେ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଏହାର ଜବାବରେ ପୁଲିସ ପାଲଟା ଗୁଳିଚାଳନା କରିଥିଲା, ଯେଉଁଥିରେ ଦୁଇଜଣ ଅଭିଯୁକ୍ତ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏନ୍କାଉଣ୍ଟର ସମୟରେ ପୁଲିସ ମୋଟ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି।
ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଏକ କାର ଏବଂ ଲୁଟ ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।


