ଭୁବନେଶ୍ଵର: କୌଣସି ଏକ ଘଟଣାରେ ଲାଞ୍ଚ ଦାବି କରିବା ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଜଣେ ଏଏସଆଇ ଓ ଜଣେ ହୋମଗାର୍ଡଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ମୋବାଇଲ ଫୋନ ଫେରାଇବା ଏବଂ ଏକ ମାମଲାରେ ସହାୟତା କରିବା ପାଇଁ ମଞ୍ଚେଶ୍ୱର ଥାନାର ଏଏସଆଇ ରାଜେଶ କୁଲୁ ତଦନ୍ତକାରୀ ଅଧିକାରୀ ଥିଲେ। ସେ ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଦୁଇଟି ମୋବାଇଲ ଫୋନ ଫେରାଇବା ସହ ମାମଲାରେ ସହାୟତା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଆଧାରରେ ଭିଜିଲାନ୍ସ ବୁଧବାର ଉଭୟ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା। ଘଟଣା ପରେ ଏଏସଆଇଙ୍କ ବାସଭବନ ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ସଂକ୍ରାନ୍ତ ତଲାସି ଚାଲିଛି।


