କୋଟପାଡ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ ଜାରି ରହିଛି। ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ, ଜୟପୁରଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ କୋରାପୁଟ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ୭ଟି ସ୍ଥାନରେ ତଲାସି ଚାଲିଛି। ଭିଜିଲାନ୍ସର ୭ ଜଣ ଡ଼ିଏସପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉ କରୁଛି ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସତ୍ୟନାରାୟଣ ସେଠୀଙ୍କ ସମ୍ପର୍କିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଏହି ଚଢ଼ାଉରେ ଜୟପୁରର ପାରାବେଡାସ୍ଥିତ ତାଙ୍କ ଭଡା ଘର, ଜଟଣୀର ହାଇ-ଟେକ୍ ପ୍ଲାଜାରେ ଥିବା ଆବାସିକ ଫ୍ଲାଟ୍, କେନ୍ଦ୍ରାପଡ଼ା ଜିଲ୍ଲାର ଜାହାନଗରସ୍ଥିତ ପୈତୃକ ଘର, କୋଟପାଡ଼ରେ ଥିବା ସରକାରୀ କ୍ୱାର୍ଟର ଏବଂ କାର୍ଯ୍ୟାଳୟ ଚାମ୍ବର ସମେତ ବୋରିଗୁମା ତହସିଲ ଅନ୍ତର୍ଗତ ତାରାଗାଁରେ ଥିବା ଦୁଇଟି ଫାର୍ମକୁ ସାମିଲ କରାଯାଇଛି। ବର୍ତ୍ତମାନ ଭିଜିଲାନ୍ସ ଅଧିକାରୀମାନେ ସମ୍ପତ୍ତି, ବ୍ୟାଙ୍କ ଜମା, ଜମିଜମା ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲପତ୍ରର ଖୋଳତାଡ଼ ଯାଞ୍ଚ କରୁଛନ୍ତି। ଚଢ଼ାଉ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।


