କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଦର ଥାନା ଅନ୍ତର୍ଗତ ରାଇଗୁଡ଼ା ଆମୁଣି ଗାଁରେ ଜଣେ ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଆଜି ସକାଳେ ଗାଁ ନିକଟସ୍ଥ ଏକ ପୋଖରୀ ହୁଡ଼ା ପାଖରୁ ବାବାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହର ଅବସ୍ଥା ଦେଖି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା, ପୁରୁଣା ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।
ପୁଲିସ ପକ୍ଷରୁ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଦୋଷୀଙ୍କ ସନ୍ଧାନ ପାଇଁ ତଦନ୍ତ ଜୋରଦାର କରାଯାଇଛି।


