କେନ୍ଦ୍ରାପଡା : ରାଜନଗର ଅଞ୍ଚଳରେ ବାଲି ମାଫିଆଙ୍କ ଦୋରାତ୍ମ୍ୟ ପୁଣିଥରେ ସାମ୍ନାକୁ ଆସିଛି। ରୁଟିନ୍ ଏନ୍ଫୋର୍ସମେଣ୍ଟ ବେଳେ ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନାଙ୍କ ଗାଡ଼ିକୁ ଅଟକାଇ ପୁଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଏକ ବାଲି ବୋଝେଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଅତିରିକ୍ତ ତହସିଲଦାର। ହେଲେ ହାଇୱାଟି ନ ଅଟକି ଦ୍ରୁତଗତିରେ ଚାଲିଯାଇଥିଲା। ଏହାର ପିଛା କରୁଥିବା ବେଳେ ବାଲି ମାଫିଆଙ୍କ ଏକ କାର ତହସିଲଦାରଙ୍କ ଗାଡ଼ି ସାମ୍ନାରେ ଅଟକିଥିଲା। ଏହାପରେ କାରରୁ କିଛି ବ୍ୟକ୍ତି ବାହାରି ପୁଲିସ ଉପସ୍ଥିତିରେ ତହସିଲଦାରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଘଟଣା ପରେ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ବାଲି ବୋଝେଇ ହାଇୱାଟି ଫେରାର ଥିବା ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।


