ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ଶଗଡ଼ା ଝାଙ୍କରପଡ଼ାରେ ଘଟିଛି ହୃଦୟବିଦାରକ ଅଘଟଣ। କ୍ରିକେଟ୍ ଖେଳୁଥିବା ବେଳେ ବର୍ଷାରୁ ବଞ୍ଚିବା ପାଇଁ ଗଛ ତଳେ ଆଶ୍ରୟ ନେଇଥିବା ଦୁଇ ନାବାଳକ ବଜ୍ରାଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି।
ମୃତକମାନେ ହେଲେ ଝାଙ୍କରପଡ଼ା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଚଉଁରିଆପଦର ଗାଁର ଚରଣ କୁମ୍ଭାର। ସୂଚନା ଅନୁସାରେ, ଉଭୟ କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ ବର୍ଷା ଆରମ୍ଭ ହେବାରୁ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇ ଉଭୟ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ମନମୁଣ୍ଡା ମେଡିକାଲକୁ ଏବଂ ପରେ ସୋନପୁର ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ମିଳିଛି ଯେ, ଚରଣ କୁମ୍ଭାର ନିଜ ମାମୁଁ ଘର ଝାଙ୍କରପଡ଼ାକୁ ଆସିଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


