ଭୁବନେଶ୍ୱର: ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ଏବଂ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରି ଚାଲିଛନ୍ତି। ସରକାର ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସମୟ ଅବଧି ପୂରଣ ହୋଇଛି, କମିଟି ମଧ୍ୟ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି କିନ୍ତୁ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ଏଯାଏଁ ସମାଧାନ ହୋଇ ନାହିଁ। ଏହାର ପ୍ରତିବାଦରେ ଆସନ୍ତା ଜୁନ୍ ୨୯ ତାରିଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଏକ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି।
ସୂଚନାଥାଉକି, ସରକାର ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ଗଠନ କରିଥିବା କମିଟିର ଛଅ ମାସର ସମୟ ଅବଧି ଜୁନ୍ ମାସ ୬ ତାରିଖରେ ପୂରଣ ହୋଇଯାଇଛି। କମିଟି ତାଙ୍କର ରିପୋର୍ଟ ସରକାରଙ୍କ ନିକଟରେ ପ୍ରଦାନ କରି ସାରିଛନ୍ତି। କିନ୍ତୁ ସରକାରଙ୍କ ତରଫରୁ ସେ ଦିଗରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଦୁଃଖ ଓ ବିଡ଼ମ୍ବନାର ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପବିତ୍ର ବିଧାନସଭାର ଅନୁମୋଦନରେ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ପାଇଁ ଗଠିତ ସରକାରୀ କମିଟି ତାହାର ରିପୋର୍ଟ ପ୍ରଦାନ କରିସାରିଥିଲେ ମଧ୍ୟ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ହୋଇ ଚାଲିଛି । ଯାହାର ପ୍ରଭାବ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉପରେ ପ୍ରତ୍ୟକ୍ଷଭାବରେ ପଡ଼ୁଛି।
ସରକାର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ନିଯୁକ୍ତିର ବ୍ୟବସ୍ଥା କରିଛନ୍ତି। ୨୦୨୩ ମସିହା ସଂକଳ୍ପ ଅନୁଯାୟୀ ଏସ୍.ଏସ୍.ବି. ମାଧ୍ୟମରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ୨୦୨୪ ମସିହାରେ ୧୮୦୦ ଶିକ୍ଷକ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସରକାର କଳା, ବିଜ୍ଞାନ, ଖେଳ ଆଦି ବିଭିନ୍ନ ବିଷୟରେ ୧୬୫୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିବାକୁ ଯାଉଥିବା କଥା ଶୁଣିବାକୁ ମିଳୁଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ଏହିକି ଭାଙ୍ଗି ଯାଉଥିବା ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାର ପ୍ରକ୍ରିୟା ଆରମ୍ଭ କରି ନାହାଁନ୍ତି। ତେଣୁ ଯଦି ଏହି ବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପାଇଁ ନିଯୁକ୍ତିର ବ୍ୟବସ୍ଥା କରାଯାଆନ୍ତା ତେବେ ଏହି ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ଓ ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟ ଗୁଡ଼ିକ ମଧ୍ୟ ସୁରୁଖୁରୁରେ ଚାଲି ପାରନ୍ତା ବୋଲି ସମନ୍ୱୟ ସମିତି ତରଫରୁ କୁହାଯାଇଛି।
ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ବହି, ପୋଷାକ, ସାଇକେଲ ଓ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଅଟନ୍ତି। ସବୁ ପିଲା ଆମର। ସମସ୍ତଙ୍କ ପାଇଁ ସମାନ ସୁବିଧା, ସମାନ କାମକୁ ସମାନ ଦରମା ଦେବାର ଆବଶ୍ୟକତା ରହିଛି। ଶିକ୍ଷକ କର୍ମଚାରୀ ମାନଙ୍କର ବିଭିନ୍ନ ଦାବିଗୁଡ଼ିକ ମଧ୍ୟରେ ଅନୁଦାନ ପାଉନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ଖାଲିପଡ଼ିଥିବା ପଦବୀରେ ନିଯୁକ୍ତିର ବ୍ୟବସ୍ଥା, ଗ୍ରେଡ଼ପେରେ ଥିବା ଅସଙ୍ଗତି, ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ସମସ୍ତ ବିଦ୍ୟାଳୟର ସରକାରୀ କରଣ ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପ୍ରଚଳନ କରିବା ଆଦି ଅନ୍ତର୍ଭୁକ୍ତ।
ଆମ ସମ୍ବିଧାନ, ଶିକ୍ଷା ବ୍ୟବସ୍ଥା ଅଧିନରେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷଙ୍କୁ ସମାନତା ଓ ସାମାଜିକ ନ୍ୟାୟର ଗ୍ୟାରେଣ୍ଟି ଦେଇଥାଏ ମାତ୍ର ସରକାରଙ୍କର ଦୀର୍ଘ ଦିନର ପ୍ରତିଶ୍ରୁତି, ଶିକ୍ଷା କମିଟିର ରିପୋର୍ଟ ପ୍ରଦାନ ପରେ କାଳକ୍ଷେପଣ ନୀତି ଅବଲମ୍ବନ ଓ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ଶିକ୍ଷା ବ୍ୟବସ୍ଥାକୁ ଧ୍ୱସଂ ମୁଖକୁ ଠେଲି ଦେଉଛି । ଗୋଟିଏ ପଟେ ସମସ୍ତଙ୍କୁ ସମାନ ଶିକ୍ଷା ଓ ସମାନ ସୁବିଧାର ସ୍ଲୋଗାନ ଦିଆଯାଉଥିବା ବେଳେ ଅନ୍ୟପଟେ ସରକାରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷମ୍ୟ ସୃଷ୍ଟି କରାଯାଇ ଗଣତନ୍ତ୍ରର ମୂଳଦୁଆକୁ କୁଠାରଘାତ କରାଯାଉଛି । ଶିକ୍ଷକମାନଙ୍କର ସମସ୍ୟା କୌଣସି ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ଶିକ୍ଷା ବ୍ୟବସ୍ଥାର ସମସ୍ୟା, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତର ସମସ୍ୟା ଓ ସମାଜ ଉନ୍ନତିର ପ୍ରତିବନ୍ଧକ । ଯଦି ଶିକ୍ଷକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଓ ଆଇନ୍ଗତ ଅଧିକାରରୁ ସରକାର ବଞ୍ôଚତ କରନ୍ତି ତେବେ ଆଗାମୀ ଜୁନ୍ ୨୯ ତାରିଖ ଦିନ ଭୁବନେଶ୍ୱରସ୍ଥ ଗାନ୍ଧିମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ମିଳିତ ସମନ୍ୱୟ ସମିତି ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛ ା
ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ନଚେତ୍ ଆଗାମୀ ଦିନରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଯେଉଁ ବିଶାଳ ଗଣ ଆନ୍ଦୋଳନ ଗଢ଼ି ଉଠିବ ସେଥିନିମନ୍ତେ ସରକାର ଦାୟୀ ରହିବେ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।


