Categories
ଆଜିର ଖବର ଜାତୀୟ ଖବର

ଟ୍ରେନ୍ ୧୩ ଘଣ୍ଟା ବିଳମ୍ବ: ରେଳବାଇ ଦେବ ୬୦ ହଜାର ଟଙ୍କା କ୍ଷତିପୂରଣ

କୋଚି: ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ୍ ଟ୍ରେନ୍‍କୁ ବାଦ୍ ଦେଲେ ସାଧାରଣ ଭାରତୀୟ ଟ୍ରେନ୍ ସାଧାରଣତଃ ବିଳମ୍ବରେ ଚଳାଚଳ କରିଥାଏ। ଘଣ୍ଟା ଘଣ୍ଟା ବିଳମ୍ବରେ ଟ୍ରେନ୍ ଚାଲୁଥିଲେ ମଧ୍ୟ ଲୋକେ ଏହାକୁ ବିରୋଧ କରୁନାହାନ୍ତି। ବିଳମ୍ବିତ ଟ୍ରେନରେ ରେଳ ଯାତ୍ରୀମାନେ ଯାତ୍ରା କରିବାକୁ ଅଭ୍ୟସ୍ତ ହୋଇପଡ଼ିଛନ୍ତି। କିନ୍ତୁ ଟ୍ରେନ୍ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ୧୩ ଘଣ୍ଟା ବିଳମ୍ବ ହେବାରୁ କେରଳର ଜଣେ ଯାତ୍ରୀ ରାଗି ଯାଇଥିଲେ। ଏହାପରେ ସେ ରେଳବାଇକୁ ଗ୍ରାହକ ଫୋରମକୁ ଟାଣି ନେଇଥିଲେ। ଏହି ମାମଲାରେ ଏବେ ରେଳବାଇକୁ ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ।

କ’ଣ ରହିଛି ଘଟଣା?:

ଚେନ୍ନାଇରେ ରହୁଥିବା କାର୍ତ୍ତିକ ମୋହନ ୨୦୧୮ ମେ ୬ ତାରିଖରେ ଚେନ୍ନାଇ-ଆଲେପ୍ପି ଏକ୍ସପ୍ରେସରେ ଟିକେଟ୍ ନେଇଥିଲେ। ଟ୍ରେନ୍ ତାଙ୍କୁ ୧୩ ଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳକୁ ପହଞ୍ଚିଥିଲା। ମୋହନ ଏହି ଘଟଣାକୁ ରେଳ ସେବାରେ ଏକ ଗୁରୁତର ତ୍ରୁଟି ବୋଲି କହିବା ସହ ଏର୍ଣ୍ଣାକୁଲମସ୍ଥିତ ଖାଉଟି ଫୋରମ (ଏର୍ଣ୍ଣାକୁଲମ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ)ର ଦ୍ୱାରସ୍ଥ ହୋଇଥିଲେ। ଫୋରମ୍ ଦକ୍ଷିଣ ରେଳବାଇ ବିରୋଧରେ ହୋଇଥିବା ଆବେଦନକୁ ଗ୍ରହଣ କରି ନିୟମ ଅନୁଯାୟୀ ଶୁଣାଣି କରିଥିଲା।

କାର୍ତ୍ତିକ କ’ଣ କହିଲେ?

ବସ୍ ଲିମିଟେଡରେ ଡେପୁଟି ମ୍ୟାନେଜରଭାବେ କାମ କରୁଥିବା କାର୍ତ୍ତିକ ନିଜ ଅଫିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ଟ୍ରେନରେ ଯିବାକୁ ବାଛିଥିଲେ। ସେମାନେ ଏକ ଟ୍ରେନ୍ ବାଛିଲେ ଯାହା ସେମାନଙ୍କୁ ସମୟର କିଛି ସମୟ ପୂର୍ବରୁ ସେହି ସହରରେ ଛାଡ଼ିଦେବ। କିନ୍ତୁ ଟ୍ରେନ୍ ସେଠାରେ ୧୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। କାର୍ତ୍ତିକ କହିଛନ୍ତି ଯେ ରେଳବାଇ କର୍ତ୍ତୃପକ୍ଷଙ୍କ ବହୁତ ଅବହେଳା ହୋଇଛି। ସମୟ ପୂର୍ବରୁ ଟ୍ରେନ଼ର ବିଳମ୍ବ ସମ୍ପର୍କରେ ସୂଚନା ଦିଆଯାଇନଥିଲା। ଯାତ୍ରୀଙ୍କ ବୋଝ କମାଇବା ପାଇଁ ରେଳ ପ୍ରଶାସନ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିନଥିଲା। ଏହି ବିଳମ୍ବ ଯୋଗୁଁ କାର୍ତ୍ତିକଙ୍କ କ୍ୟାରିୟର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିଲା।

କ’ଣ ଥିଲା ରେଳବାଇର ଯୁକ୍ତି?

ରେଳବାଇ ପକ୍ଷରୁ କୌଣସି ଅଭାବ, ଅବହେଳା କିମ୍ବା ଅସ୍ଥିରତା ନାହିଁ ବୋଲି ରେଳବାଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। କାର୍ତ୍ତିକ ମୋହନ ଏବଂ ଅନ୍ୟମାନେ ଘଣ୍ଟା ଘଣ୍ଟା ବିଳମ୍ବରେ ଟ୍ରେନ୍ ଚାଲିଥିବାରୁ ହୋଇଥିବା କ୍ଷତିକୁ ରେଳବାଇ ଗ୍ରହଣ କରିବାରେ ବିଫଳ ହୋଇଥିଲା। ଏମାନଙ୍କ ମଧ୍ୟରେ ନିଟ୍ (ପ୍ରବେଶିକା) ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ସାମିଲ ଥିଲେ।

ଫୋରମ୍ ର ନିଷ୍ପତ୍ତି କ’ଣ ଥିଲା?

ରେଳବାଇର ଏହି କାର୍ଯ୍ୟକୁ ଗ୍ରାହକ ଫୋରମ ସେବାରେ ଏକ ଭୁଲ ବୋଲି ବିବେଚନା କରିଛି। ଫଳରେ ଯାତ୍ରୀ ଜଣକ ଅସୁବିଧା, ମାନସିକ ଯନ୍ତ୍ରଣା, ଶାରୀରିକ କଷ୍ଟ ସହ ତାଙ୍କ ଭବିଷ୍ୟତ ମଧ୍ୟ ପ୍ରଭାବିତ ହୋଇଥିଲା। ତେଣୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହ ମାମଲାର ଆଇନଗତ ପ୍ରକ୍ରିୟାରେ ହୋଇଥିବା ଖର୍ଚ୍ଚ ଭରଣା ପାଇଁ ପୀଡ଼ିତା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ମଧ୍ୟ ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନ ୧୧.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ହେଲା ଝାରସୁଗୁଡା, ଜାଣନ୍ତୁ ରାଜଧାନୀରେ କେତେ ତାପମାତ୍ରା

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମେଘମୁକ୍ତ ଆକାଶ, ସୂର୍ଯ୍ୟଙ୍କ ପ୍ରଖର କିରଣ, ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ହ୍ରାସ ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ପବନ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୯.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡ଼ିଗ୍ରୀ ଲେଖାଏଁ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକରଦ କରାଯାଇଛି।

ତେବେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଝାରସୁଗୁଡା ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ହୋଇଥିଲା। ଅନ୍ୟପଟେ ୧୬ ତାରିଖରେ ପାଗରେ ପରିବର୍ତ୍ତନ ହେବା ସହ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ପ୍ରଭାବରେ ଉତ୍ତର ଉପକୂଳ ସହ ଖୋର୍ଦ୍ଧା, ନୟାଗଡା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ଅଳିଆଗଦାରୁ ମିଳିଲା କଟା ହାତ ଆଉ ଗୋଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ଏକ ଅଳିଆ ଗଦାରୁ କଟା ହାତ ଆଉ ଗୋଡ ମିଳିଥିବା ଦେଖିବାକୁ ମିଳିଛି। ୟୁନିଟ ୩ ର ରାମ ମନ୍ଦିର ପଛ ପଟେ ଥିବା ଅଳିଆ ଗଦାରୁ ଏଭଳି କଟା ହାତ ଗୋଡ ପଡିଥିବା ଦେଖିବାକୁ ମିଳିଛି। କଟା ଅଙ୍ଗରେ ସିଲାଇ ହୋଇଥିବା ସୂଚନା ରହିଛି। ହେଲେ ଏଭଳି ସ୍ଥାନକୁ କଟା ହାତ ଆଉ ଗୋଡ କେଉଁଠୁ ଆସିଲା ଏବଂ ଏହା କାହାର ହୋଇଥିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଅଧିକ ତଦନ୍ତ ପାଇଁ ଉଦ୍ଧାର ହୋଇଥିବା କଟା ଅଙ୍ଗକୁ ଏମ୍ସ ପଠାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ ମନୋରଂଜନ

ସଙ୍ଗୀତ କ୍ଷେତ୍ରରେ ଦେବ ଦାସଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର: ରାଜଧାନୀର ସାଂସ୍କୃତିକ କ୍ଷେତ୍ରକୁ ସମୃଦ୍ଧ କରିବାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦେବ ଦାସଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କର ଅକାଳ ବିୟୋଗରେ ସଙ୍ଗୀତ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।

ସ୍ଥାନୀୟ ବୁଦ୍ଧବିହାର ପରିସରରେ ସାଂସ୍କୃତିକ ଅନୁଷ୍ଠାନ ସଂସ୍କତି ଓ ସଂସ୍କୃତି, ମ୍ୟୁଜିକ ସିଜ୍‌ଲର୍ସ ଓ ଉପାସନା ପକ୍ଷରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୂଚନା କମିଶନର ଦିଲ୍ଲୀପ ବିଶୋଇ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଇଂ କମଳାକାନ୍ତ ମହାନ୍ତି, ପ୍ରସନ୍ନ କୁମାର ସାହୁ, ଦିଲ୍ଲୀପ ହାଲି, ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦେବ ଦାସଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ ଦେବ ଦାସ ଜଣେ ସଙ୍ଗୀତ ପ୍ରତି ଉତ୍ସର୍ଗୀକୃତ ମଣିଷ ଥିଲେ । ରାଜଧାନୀ ଭୁବନେଶ୍ୱରରେ ପ୍ରଥମେ ଯେଉଁ କେତେଜଣ ସଙ୍ଗୀତପ୍ରେମୀ ଓ କଣ୍ଠଶିଳ୍ପୀଙ୍କୁ ନେଇ ଅର୍କେଷ୍ଟା ଗଠନ ହୋଇଥିଲା, ସେମାନଙ୍କ ମଧ୍ୟରେ ଦେବ ଦାସ ଥିଲେ ପ୍ରମୁଖ। ସଦାସର୍ବଦା ଅନ୍ୟକୁ ଭଲ ପାଇବା ଓ ଗରିବଙ୍କ ପ୍ରତି ସହାୟତାର ହାତ ବଢାଉଥିବା ମଣିଷ ସେ ଥିଲେ । ସେ ଆଜି ନାହାଁନ୍ତି ସତ, ହେଲେ ସେ ଛାଡ଼ି ଯାଇଥିବା ସଙ୍ଗୀତର ଛାପ ନିଶ୍ଚିତ ଭାବେ ତାଙ୍କୁ ସ୍ମରଣୀୟ କରି ରଖିବ। ମୁକେଶଙ୍କ ଗୀତରେ ସେ ଥିଲେ ମାହିର। ପ୍ରତିବର୍ଷ ରାଜଧାନୀରେ ଏକାଧିକବାର ସଙ୍ଗୀତ କାର୍ଯ୍ୟକ୍ରମ କରି ଲୋକଙ୍କୁ ମନୋରଞ୍ଜନ ଯୋଗାଇ ଦେଉଥିବା ଦେବ ଦାସ ସମସ୍ତଙ୍କ ହୃଦୟରେ ବଞ୍ôଚ ରହିବେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ।

କମଲ କିରନ, ଗୁଲ୍‌ଶନ ଓ ଡ. ଜେନାମଣି ସଞ୍ଜୀବ କୁମାରଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଲୋଭା ବିଶ୍ୱାଳ, ଅବନୀକାନ୍ତ ଦାସ, ପ୍ରଯୋଜକ ଲୁଟୁ ମହାନ୍ତି, ସଂସ୍କୃତି ଓ ସଂସ୍କୃତିର ଉପ ସଭାପତି ରବି ବିଶ୍ୱାଳ, ସୀମା ମହାନ୍ତି, ଶ୍ୱେତା ମିଶ୍ର ତଥା ଦେବଙ୍କ ସୁପୁତ୍ର ସୁରଜ ଦାସ ପ୍ରମୁଖ ତାଙ୍କ ଉଦ୍ଦେଶ୍ୟରେ ସ୍ମତିଚାରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

‘ସୋଆ’ର ସର୍ଭେ: ଯୋଗକୁ ଗୁରୁତ୍ୱ ଦେଉନାହାନ୍ତି ରାଜଧାନୀବାସୀ

ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତ୍ତମାନ ଯୋଗକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଏହା ସାହାଯ୍ୟରେ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୋଗରୁ ଦୁରେଇ ରଖିବା ନିମନ୍ତେ ଭାରତରେ ଚିନ୍ତା କରାଯାଉଛି। ଏହାସତ୍ତ୍ୱେ ସହରାଂଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣା ପଡିଛି।

ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ’, ‘ପ୍ରାଣାୟାମ ‘ ବା ‘ଧ୍ୟାନ’ କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି।
ଡ଼ଃ ସତ୍ୟଜିତ ମହାନ୍ତି, ଡ଼ଃ ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ଼ଃ ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସାମ୍ପଲ ଷ୍ଟଡି କରାଯାଇଛି।

ନିକଟରେ ଭାରତର ବିଭିନ୍ନ ରାଜ୍ୟ ର ରାଜଧାନୀ ଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ଶ୍ରେଷ୍ଠ ୪ଟି ବାସପଯୋଗୀ ସହର ମଧ୍ୟରେ ସ୍ଥାନିତ ହୋଇଛି।

ଏହି ସର୍ଭେରୁ ଜଣାପଡିଛି ଯେ ପୁରୁଷ ମାନଙ୍କ ଅପେକ୍ଷା ଭୁବନେଶ୍ୱରରେ ମହିଳା ମାନେ ଅଧିକ ସଂଖ୍ୟାରେ ଯୋଗାଭ୍ୟାସ କରୁଛନ୍ତି। ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନେ ଯୋଗାଭ୍ୟାସ କୁ ଗ୍ରହଣ କରିବା ନିମନ୍ତେ ଅଧିକ ଆଗ୍ରହୀ ବୋଲି କହିଛନ୍ତି କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ।

ଯୋଗର ଗ୍ରହଣୀୟତା କ୍ଷେତ୍ରରେ ଭାରତରେ ଏହା ଦ୍ଵିତୀୟ ସର୍ଭେ ବୋଲି ପ୍ରଫେସର ରାଓ ସୂଚନା ଦେଇ ପୂର୍ବ ସର୍ଭେ ଅନୁଯାୟୀ ପୂର୍ବ ଭାରତର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୫.୩ ପ୍ରତିଶତ ଯୋଗକୁ ଗୁରୁତ୍ୱ ଦେଉଥିବା ଜଣା ପଡିଥିଲା ବୋଲି କହିଛନ୍ତି।

ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ଉଚ୍ଚ ସାମାଜିକ ଓ ଅର୍ଥନୈତିକ ବର୍ଗର ବ୍ୟକ୍ତି ମାନେ ଯୋଗାଭ୍ୟାସ ନିମନ୍ତେ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି। ତେବେ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ଏବଂ ଭୁବନେଶ୍ବରରେ ୪୯ ପ୍ରତିଶତ ଡାକ୍ତର ତାଙ୍କ ରୋଗୀ ମାନଙ୍କୁ ଶାରୀରିକ ବ୍ୟାୟାମ ଭାବେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଉଛନ୍ତି।

ବୈଦିକ ଯୁଗରେ ଯୋଗର ଉତ୍ପତି ହୋଇଥିବା ବେଳେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସୁସ୍ଥତା ଓ ଜନକଲ୍ୟାଣ ନିମନ୍ତେ ଯୋଗର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିବା ପରେ ସାରା ବିଶ୍ୱରେ ଏହା ପରିବ୍ୟାପ୍ତ ହୋଇଥିଲା। ଏହା ଛଡ଼ା ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି।

‘ଫିଟ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗ କୁ ଅନ୍ୟତମ ଶାରୀରିକ ଅଭ୍ୟାସ ଭାବେ ଉଦ୍ଦିଷ୍ଟ କରାଯାଇଛି।

କୋଭିଡ ମହାମାରୀ ସାରା ମାନବ ସମାଜକୁ ସ୍ତବ୍ଧ କରିରଖିଥିବା ବେଳେ କୋଭିଡ ପରବର୍ତ୍ତୀ ଚିକିତ୍ସାରେ ଯୋଗର ଏକ ପ୍ରମୁଖ ଭୂମିକା ରହୁଛି ଏବଂ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି।

ଆଠଟି ଯୋଗାଭ୍ୟାସ ମଧ୍ୟରୁ ଆସନ, ପ୍ରାଣାୟାମ ଏବଂ ଧ୍ୟାନ ଯୋଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ ହୋଇଥିବା ବେଳେ ଅନେକ କ୍ଷେତ୍ରରେ କେବଳ ଆସନ କୁ ହିଁ ଯୋଗ ଭାବେ ଗଣା ଯାଉଛି। ତେବେ ଯୋଗାଭ୍ୟାସ ମଣିଷର ଉଭୟ ଶରୀର ଓ ମନ ଉପରେ ପ୍ରଭାବ ପକାଉ ଥିବା ସ୍ପଷ୍ଟ। ଉଚ୍ଚ ରକ୍ତ ଚାପ, ମଧୁମେହ, ବିଭିନ୍ନ ଯକୃତ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ଅଣ୍ଟା ଯନ୍ତ୍ରଣା, ଏବଂ ମାନସିକ ସମସ୍ୟାର ଉପଚାର ନିମନ୍ତେ ମଧ୍ୟ ଯୋଗ ଏକ ପ୍ରକୃଷ୍ଟ ମାଧ୍ୟମ।

ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ୩୦ ମିନିଟ ର ବ୍ୟାୟ।ମ ନିମନ୍ତେ ପରାମର୍ଶ ଦିଆଯାଇଥିବା ବେଳେ ଯୋଗ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଏହି ରିପୋର୍ଟ ରେ ଉଲ୍ଲେଖ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟ ଜନପଥର ଉନ୍ନତିକରଣ ପାଇଁ ବିଏମସିର ନିଷ୍ପତ୍ତି: ରାଜଧାନୀରୁ ଉଠିବ ୩ ମନ୍ଦିର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଅସ୍ଥାୟୀ ଭାବେ ୩ ଟି ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ରାଜମହଲ ଛକରେ ଥିବା ଶିବ ମନ୍ଦିର ଏବଂ ପାଣ୍ଟାଲୁନ ସମ୍ମୁଖରେ ଥିବା ମା’ କାଳୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ।

ଏହି ତିନି ମନ୍ଦିରକୁ ଏବେ ଅସ୍ଥାୟୀ ଭାବେ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ପରେ ୟୁନିଟ-୨ ରେ ଦେବାସ୍ଥଳୀ ନିର୍ମାଣ କରି ଏହି ଦେବାଦେବୀଙ୍କୁ ସେଠାରେ ଅବସ୍ଥାପିତ କରାଯିବ। ସ୍ମାର୍ଟ ଜନପଥ ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୧୮୬: ସୁସ୍ଥ ହେଲେ ୧୦୪୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ହଜାର ୮୮୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୩ ହଜାର ୮୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୬୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ସ୍କୁଲ ବସରୁ ମିଳିଲା ମୃତ ଦେହ: ଏଯାଏଁ ମିଳିନି ମୃତକଙ୍କ ପରିଚୟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛିଡା ହୋଇଥିବା ଏକ ସ୍କୁଲ ବସ ମଧ୍ୟରୁ ମୃତ ଦେହ ଉଦ୍ଧାର କରାଯାଇଛି। ଲକଡାଉନ ଯୋଗୁଁ ନୂଆପଲ୍ଲୀରେ ବସଟି ଛିଡା ହୋଇ ରହିଥିଲା। ମୃତ୍ୟୁକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ବର୍ତ୍ତମାନ ଘଟଣା ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଗାଇଡଲାଇନ ଉଲ୍ଲଘଂନ ଅଭିଯୋଗ: ରାଜଧାନୀରେ ସିଲ୍ ହେଲା ଘରୋଇ କୋଚିଂ ସେଣ୍ଟର

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଏହା ମଧ୍ୟରୁ ରାଜଧାନୀରେ ସଂକ୍ରମଣ ସଂଖ୍ୟା ଅଧିକ ଦେଖାଯାଉଛି। ତେବେ ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ବିଏମସି କରୋନା କଟକଣାକୁ କଡାକଡି କରିଛି।

ଏହି ପ୍ରରିପ୍ରେକ୍ଷୀରେ ଆଜି ବିଏମସି ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। କରୋନା ଗାଇଡଲାଇନ ଉଲ୍ଲଘଂନ ଅଭିଯୋଗରେ ଜୟଦେବ ବିହାରରେ ଥିବା ଏକ ଘରୋଇ କୋଚିଂ ସେଂଟରକୁ ବିଏମସି  ସିଲ୍ କରିଛି। ଏହାସହିତ ଆଜି ବିଏମସି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ହୋଲି ଏବଂ ଦୋଳ ମେଳଣ ପାଇଁ ରାଜଧାନୀ ଭୁବନେଶ୍ବରରେ ଲାଗିଲା କରୋନା କଟକଣା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମହାନଗର ଅଞ୍ଚଳରେ ହୋଲି ଏବଂ ଦୋଳ ମେଳଣ ପାଇଁ କରୋନା କଟକଣା ଲାଗିଛି। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରିବା ପାଇଁ ନିଷେଦ୍ଧ କରାଯାଇଛି। ଗୋଟିଏ ସ୍ଥାନରେ ୬୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ୧୦ ଟି ଦୋଳ ବିମାନ ଏକତ୍ରିତ ହୋଇ ଆସିବାକୁ ବାରଣ କରାଯାଇଛି। ପ୍ରତ୍ୟେକ ଠାକୁରଙ୍କ ସାଥିରେ ୪/୫ ଜଣ ଆସିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ତେବେ ବର୍ତ୍ତମାନ ହୁବନେଶ୍ବରର କରୋନା ସ୍ଥିତି ଗମ୍ଭୀର ହୋଇନି, ନିୟନ୍ତ୍ରଣରେ ରହିଛି ବୋଲି କମିଶନର କହିଛନ୍ତି। କିନ୍ତୁ ଗାଇଡ଼ଲାଇନ ନମାନିଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ସେ ଲୋକଙ୍କୁ ସତର୍କ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ କାରକୁ ଟାର୍ଗେଟ: ବୋମା ଫିଙ୍ଗି ଦୁଇ ଦୁର୍ବୃତ୍ତ ଫେରାର

ଭୁବନେଶ୍ଵର: ଆଜି ସନ୍ଧ୍ୟାରେ ରାଜଧାନୀରେ ଏକ କାରକୁ ଟାର୍ଗେଟ କରି ଦୁଇ ଜଣ ଦୁର୍ବୃତ୍ତ ବୋମା ଫିଙ୍ଗି ଥିବାର ସୂଚନା ମିଳିଛି। ଭୁବନେଶ୍ଵର-କଟକ ରୋଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁର୍ବୃତ୍ତମାନେ ଏକ କାର ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି।

ତେବେ କାରଟି ବିଶେଷ କିଛି କ୍ଷତି ହୋଇନଥିବା ବେଳେ କେହି ଆହତ ହୋଇନଥିବା ଜଣାପଡିଛି। ଫିଙ୍ଗା ଯାଇଥିବା ବୋମା ମଧ୍ୟରୁ ଗୋଟିଏ ବୋମାକୁ ପୋଲିସ ଜବତ କରିବା ସହ ଆଉ ଏକ ବୋମାକୁ ନିଷ୍କ୍ରିୟ କରାଯାଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 142

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 75 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 14ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 61 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି 142 ଜଣ ସୁସ୍ଥ ହୋଇଛନ୍ତି । ନୂତନ 75 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 454ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 280ଜଣ ସୁସ୍ଥ ହୋଇଥିବାବେଳେ 172ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 9813ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।