ଝାରସୁଗୁଡା : ବିଜୁ ଏକ୍ସପ୍ରେସ୍ସ ୱେ ଖେରୁଆଲ ନିକଟରୁ ଗଞ୍ଜେଇ ଜବତ । ବିଜୁ ଏକ୍ସପ୍ରେସୱେର ଖେରୁଆଲ ନିକଟରେ ପୁଲିସ ଏକ ବଡ଼ ଗଞ୍ଜେଇ ଚାଲାଣକୁ ବିଫଳ କରିଛି। ଚେକିଂ ବେଳେ ପୁଲିସକୁ ଦେଖି ଗଞ୍ଜେଇ ବୋଝେଇ ଗାଡ଼ିର ଚାଳକ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ସମୟରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା।
ସୂଚନା ଅନୁସାରେ, ବେଆଇନ ନିଶାଦ୍ରବ୍ୟ ଚାଲାଣ ସମ୍ପର୍କରେ ସୂଚନା ପାଇ ପୁଲିସ ସେହି ଅଞ୍ଚଳରେ ଯାନବାହନ ଯାଞ୍ଚ କରୁଥିଲା। ଏହି ସମୟରେ ସନ୍ଦେହଜନକ ଏକ ଗାଡ଼ିକୁ ଅଟକାଇବା ପାଇଁ ସଙ୍କେତ ଦିଆଯାଇଥିଲା। କିନ୍ତୁ ଚାଳକ ଗାଡ଼ି ଅଟକାଇବା ପରିବର୍ତ୍ତେ ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲେ।
ପଳାୟନ ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ପରେ ପୁଲିସ ତୁରନ୍ତ ଗାଡ଼ିଟିକୁ ଜବତ କରି ତଲାସି କରିଥିଲା। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଜବତ ଗଞ୍ଜେଇର ପରିମାଣ ଓ ଆନୁମାନିକ ମୂଲ୍ୟ ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।
ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ଗଞ୍ଜେଇ କେଉଁଠାରୁ ଆସୁଥିଲା, କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏହା ପଛରେ କେଉଁ ଚୋରାଚାଲାଣ ଚକ୍ର ସକ୍ରିୟ ରହିଛି, ସେନେଇ ତଦନ୍ତ ଜୋରଦାର କରିଛି। ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।


