ଭୁବନେଶ୍ଵର : କମିଶନରେଟ୍ ପୁଲିସ୍କୁ ମିଳିଛି ବଡ଼ ସଫଳତା। ବହୁଚର୍ଚ୍ଚିତ କୋଟି କୋଟି ଟଙ୍କାର ଠକେଇ ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଅଭିଯୁକ୍ତ ସଚିଦାନନ୍ଦ ଭୋଇଙ୍କୁ ଗିରଫ କରିଛି ଭୁବନେଶ୍ୱର ଇନଫୋସିଟି ଥାନା ପୁଲିସ୍। ପଶ୍ଚିମବଙ୍ଗ ସୀମା ଦେଇ ନେପାଳ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତକୁ କାବୁ କରାଯାଇଛି।
ଅଭିଯୋଗ ଅନୁସାରେ, ‘ଗୋ ସ୍ପିଡ୍ ଗୋ କାର୍ ସର୍ଭିସ୍’ ନାମକ କମ୍ପାନୀ ମାଧ୍ୟମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରାଯାଇଥିଲା। ଭୁବନେଶ୍ୱରର ସହିଦନଗର, ସ୍ପେସାଲ୍ କ୍ରାଇମ୍ ୟୁନିଟ୍, ପାହାଳ ଓ କଞ୍ଜୁମର ରେଡ୍ରେସାଲ୍ ଥାନାରେ ତାଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ମଧ୍ୟ ଜାରି ହୋଇଥିଲା।
ପୁଲିସ୍ ସୂଚନା ଅନୁସାରେ, ପ୍ରାୟ ୨୫୦ ଜଣଙ୍କଠାରୁ ଟଙ୍କା ଆଦାୟ କରି ଠକେଇ କରାଯାଇଥିବା ଅଭିଯୋଗ ରହିଛି। ବର୍ତ୍ତମାନ ସୁଦ୍ଧା ସାଢ଼େ ୩ କୋଟି ଟଙ୍କାର ଠକେଇ ହୋଇଥିବା ପ୍ରମାଣ ମିଳିଥିବାବେଳେ ମୋଟ ଠକେଇର ପରିମାଣ ୫ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ସିଲିଗୁଡ଼ି କୋର୍ଟରେ ହାଜର କରାଯିବା ପରେ ଅଭିଯୁକ୍ତଙ୍କୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି। ଆର୍ଥିକ କାରବାର, ରାଜ୍ୟ ବାହାରେ ହୋଇଥିବା ଠକେଇ ଏବଂ ବିଦେଶରେ କୌଣସି ନିବେଶ ରହିଛି କି ନାହିଁ, ସେନେଇ ମଧ୍ୟ ପୁଲିସ୍ତ ଦନ୍ତ ଚଳାଇଛି।


