ନୂଆଦିଲ୍ଲୀ: WhatsApp ୱେବ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରି ସାଇବର ଅପରାଧୀମାନେ ମାଲୱେର ଆକ୍ରମଣ ଆରମ୍ଭ କରିଥିବା ନେଇ କେନ୍ଦ୍ର ସରକାରଙ୍କ ସାଇବର ସୁରକ୍ଷା ସଂସ୍ଥା CERT-In ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।
CERT-In ସତର୍କ କରିଛି ଯେ, ବିଶ୍ୱସ୍ତ କିମ୍ବା ଅଜଣା କୌଣସି ସୂତ୍ରରୁ ଆସିଥିବା ସନ୍ଦେହଜନକ ଫାଇଲ୍ କିମ୍ବା ଆଟାଚ୍ମେଣ୍ଟକୁ ଖୋଲନ୍ତୁ ନାହିଁ। ଏପରି ଫାଇଲ୍ ଖୋଲିବା ମାତ୍ରେ ମାଲୱେର ଡିଭାଇସ୍କୁ ସଂକ୍ରମିତ କରି ସାଇବର ଅପରାଧୀଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେଇପାରେ।
ସଂସ୍ଥାର ସୂଚନା ଅନୁସାରେ, ଏଭଳି ଆକ୍ରମଣ ମାଧ୍ୟମରେ ବ୍ୟକ୍ତିଗତ ଓ ସମ୍ବେଦନଶୀଳ ତଥ୍ୟ ଚୋରି ହେବା ସହ ନେଟୱର୍କରେ ସଂଯୁକ୍ତ ଅନ୍ୟ କମ୍ପ୍ୟୁଟରକୁ ମଧ୍ୟ ମାଲୱେର ବ୍ୟାପିପାରେ। ଏହା ଫଳରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବଡ଼ ଧରଣର ଆର୍ଥିକ କ୍ଷତି ହୋଇପାରେ।
CERT-Inର ପରାମର୍ଶ: ସନ୍ଦେହଜନକ ଫାଇଲ୍, ଲିଙ୍କ୍ କିମ୍ବା ଆଟାଚ୍ମେଣ୍ଟ ଖୋଲିବା ପୂର୍ବରୁ ସତର୍କ ରୁହନ୍ତୁ ଏବଂ ସଫ୍ଟୱେରକୁ ସର୍ବଦା ଅପଡେଟ୍ ରଖନ୍ତୁ।


