ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ। ଏତେ ଜଳରେ ସ୍ନାନ କରିବା ପରେ ଠାକୁରମାନେ ଜ୍ୱରରେ ପଡ଼ନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ୧୫ ଦିନିଆ ସମୟକୁ ଅଣସର କୁହାଯାଏ। ସେବକମାନେ ଏହି ସମୟରେ ଠାକୁରଙ୍କ ଗୁପ୍ତ ସେବା ଏବଂ ଚିକିତ୍ସା କରିଥାନ୍ତି।ଠାକୁରଙ୍କୁ ନ ପାଇ ଭକ୍ତମାନଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି। ଦେବସ୍ନାନ ପୂର୍ଣ୍ଣିମା ପରେ ଆଜିଠାରୁ ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ଅଣସର ଦର୍ଶନ। ଆସନ୍ତା ୧୪ ଦିନ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଅଣସରରେ ରହିବାରୁ ଭକ୍ତମାନେ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ଏହି ସମୟରେ ବ୍ରହ୍ମଗିରି ଆଉ ଏକ ଶ୍ରୀକ୍ଷେତ୍ରର ରୂପ ନେଇଥାଏ।
ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁଗନ୍ଧିତ ଜଳରେ ସ୍ନାନ ପରେ ମହାପ୍ରଭୁ ଅସୁସ୍ଥ ହୋଇଥିବା ପରମ୍ପରା ରହିଛି। ଏହି ଅବଧିରେ ଶ୍ରୀମନ୍ଦିରରେ ଗୁପ୍ତ ଉପଚାର ଚାଲିଥାଏ ଏବଂ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହେ। ଏହି ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ବର୍ଷସାରା ଜଗନ୍ନାଥଙ୍କ ଦର୍ଶନ ସମାନ ପୁଣ୍ୟ ଲାଭ ହୁଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି।
ଅଣସର ସମୟରେ ଶ୍ରୀମନ୍ଦିରରେ ମୂର୍ତ୍ତି ବଦଳରେ ସୁନ୍ଦର ଚିତ୍ରିତ ପଟି ଦିଅଁଙ୍କୁ ପୂଜା କରାଯାଏ ।
ଅଣସର ସମୟରେ ରାଜ୍ୟ ଓ ରାଜ୍ୟ ବାହାରରୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।


