ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରୁଖୁରୁରେ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରଥଯାତ୍ରାର ବିଭିନ୍ନ ପରିଚାଳନାଗତ କାର୍ଯ୍ୟ ସୁପରିଚାଳନା ପାଇଁ ୨୩ ଜଣ OAS ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି।
ଏନେଇ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ନିଯୁକ୍ତ ୨୩ ଜଣ OAS ଅଧିକାରୀଙ୍କୁ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ଭାବେ ନିଯୁକ୍ତ କରାଯାଇଛି। ସେମାନେ ଆଜିଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହି ରଥଯାତ୍ରା ଏବଂ ଏହା ସହ ଜଡ଼ିତ ସମସ୍ତ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କାର୍ଯ୍ୟର ତଦାରଖ କରିବେ।
ପ୍ରତିବର୍ଷ ରଥଯାତ୍ରାରେ ଦେଶ-ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ କରୁଥିବାରୁ ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ସେବାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି OAS ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି।
ରଥଯାତ୍ରା ଅବସରରେ କୌଣସି ପ୍ରକାରର ଅବ୍ୟବସ୍ଥା ନ ହେଉ ଏବଂ ଭକ୍ତମାନେ ସୁରକ୍ଷିତ ଓ ସୁବିଧାଜନକ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସରକାର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।


