ରଣପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରର ଐତିହ୍ୟବାହୀ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବୁଧବାର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ପ୍ଲାଷ୍ଟିକମୁକ୍ତ ଭାବେ ସମ୍ପନ୍ନ କରିବାକୁ ବିଭିନ୍ନ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଭକ୍ତମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଆହ୍ୱାନ କରିଥିଲେ।
ବୈଠକରେ ଟ୍ରାଫିକ୍ ପରିଚାଳନା, ଆଇନଶୃଙ୍ଖଳା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଓ ଜରୁରୀକାଳୀନ ସେବା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।
ବୈଠକ ଆରମ୍ଭରେ ବାହୁବଳୀ ସେବାୟତ ସ୍ୱର୍ଗତ ଲଳିତ କୁମାର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ବୈଠକରେ ବିଡିଓ ମନୋଜ କୁମାର ନାୟକ, ଏନ୍ଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଥାନା ଅଧିକାରୀ ଆଶିଷ ଦେବ ସାହୁ, ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ପ୍ରଭାତ ଦଳ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଓ ସାମାଜିକ କର୍ମୀମାନେ ଉପସ୍ଥିତ ଥିଲେ।
ରଥଯାତ୍ରାକୁ ନେଇ ରଣପୁରରେ ଏବେ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।


