ଭୁବନେଶ୍ୱର: ଗତ ତିନି ଦିନ ଧରି ଓଡ଼ିଶାରେ ଓମ୍ସା (OMSA) ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବାକୁ ଅବ୍ୟାହତ ରଖିବାରେ ଆୟୁଷ, ଏମ ଏଚ ୟୁ ଓ ଆରବିଏସକେ (RBSK)ର ତିନି ହଜାର ଡାକ୍ତରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଦେଖାଯାଉଛି। ଜରୁରୀ ସ୍ୱାସ୍ଥ୍ୟସେବା ବ୍ୟାହତ ନ ହେବା ପାଇଁ ସେମାନେ ନିଜ ଦାୟିତ୍ୱ ନିଷ୍ଠାର ସହିତ ପାଳନ କରୁଛନ୍ତି।
ରାଜ୍ୟର ବନ୍ୟା, ବାତ୍ୟା ଓ ବିଭିନ୍ନ ବିପର୍ଯ୍ୟୟ ତଥା କୋଭିଡ୍-୧୯ ମହାମାରୀ ସମୟରୁ ଆରମ୍ଭ କରି ଟିକାକରଣ, ସ୍ୱାସ୍ଥ୍ୟ ସଚେତନତା, ଗ୍ରାମାଞ୍ଚଳରେ ଚିକିତ୍ସାସେବା ଏବଂ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଆୟୁଷ ଓ ଆର୍ବିଏସକେ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସୁଛନ୍ତି। ଆବଶ୍ୟକତା ପଡ଼ିଲେ ସେମାନେ ସର୍ବଦା ଆଗକୁ ଆସି ରୋଗୀ ସେବାକୁ ପ୍ରାଥମିକତା ଦେଇଛନ୍ତି।
ତେବେ, ଆୟୁଷ ଡାକ୍ତରମାନଙ୍କ ମତ ଅନୁଯାୟୀ, ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସେମାନଙ୍କ ଅବଦାନ ଥିଲେ ମଧ୍ୟ ସରକାରୀ ସୁବିଧା, ପଦୋନ୍ନତି, ସେବା ସୁରକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସେମାନେ ଆଶାନୁରୂପ ସୁଯୋଗ ପାଉନାହାନ୍ତି। ସେମାନଙ୍କ କ୍ଷେତ୍ରରେ ସମାନ ସୁବିଧା ଓ ପ୍ରୋତ୍ସାହନ ମିଳିଲେ ଆୟୁଷ ଓ ଆର୍ବିଏସକେ ଡାକ୍ତରମାନେ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିପାରିବେ।
ବର୍ତ୍ତମାନ ପରିସ୍ଥିତିରେ ଅନ୍ୟୁନ ତିନି ହଜାର ଆୟୁଷ ,ଏମ ଏଚ ୟୁ ଓ ଆର୍ବିଏସକେ ଡାକ୍ତରମାନଙ୍କ ସେବା ରାଜ୍ୟର ବିଭିନ୍ନ ପିଏଚସି, ସିଏଚସି ଓ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସେମାନଙ୍କ ଗୁରୁତ୍ୱ ଓ ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି।


